ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦରେ ଏକାଧିକ ଜୋରଦାର ବିସ୍ଫୋରଣ ହୋଇଛି। ସାଉଦି ନାଗରିକ ସୁରକ୍ଷା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରିବାର କିଛି ସମୟ ପରେ ଏହି ବିସ୍ଫୋରଣ ହୋଇଥିଲା। ରୟଟର୍ସର ରିପୋର୍ଟ ଅନୁସାରେ, ଏଥିରେ ବିଶ୍ୱର ସବୁଠାରୁ ବଡ଼ ତୈଳ କମ୍ପାନୀ ସାଉଦି ଆରାମକୋର ଏକ କୋଠା କ୍ଷତିଗ୍ରସ୍ତ ହୋଇଛି।

ଏହି ଆକ୍ରମଣ ହୁତି ବିଦ୍ରୋହୀ କରିଥିବା କୁହାଯାଉଛି। ଏନେଇ ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟ କହିଛି ଯେ ରିୟାଦ ଓ ଦକ୍ଷିଣ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଦୁଇଟି କ୍ରୁଜ୍ ମିସାଇଲ ସମେତ ମୋଟ ୪ଟି ହୁତି ମିସାଇଲକୁ ଆକାଶ ମାର୍ଗରେ ନଷ୍ଟ କରି ଦିଆଯାଇଛି ବୋଲି ସାଉଦି ସେନା ସୂଚନା ଦେଇଛି।

ଏୟାରପୋର୍ଟ ଓ ତୈଳ ପ୍ରତିଷ୍ଠାନକୁ ଟାର୍ଗେଟ୍

ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତୈଳ କାରଖାନାକୁ ଟାର୍ଗେଟ୍ କରି ମିସାଇଲ ଓ ଡ୍ରୋନ୍ ମାଡ଼ କରିଥିବା ଦାବି କରିଛନ୍ତି।

ହୁତି ସାମରିକ ମୁଖପାତ୍ର ୟାହ୍ୟା ସାରିଙ୍କ ସୂଚନା ଅନୁସାରେ ସାଉଦି ଆରବର ପ୍ରମୁଖ ସାମରିକ ଓ ରଣନୈତିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ୬ଟି ସାମରିକ ଅଭିଯାନ ଆରମ୍ଭ କରାଯାଇଛି। ବାଲିଷ୍ଟିକ୍ ମିସାଇଲ, କ୍ରୁଜ୍ ମିସାଇଲ ଓ ଡ୍ରୋନ୍ ବ୍ୟବହାର କରି ଏହି ଟାର୍ଗେଟ୍ କରାଯାଉଛି। ୟେମେନ ବିରୁଦ୍ଧଧରେ ସାଉଦି କାର୍ଯ୍ୟାନୁଷ୍ଠାନରେ ଏହା ଦୃଢ଼ ଜବାବ ବୋଲି ୟାହ୍ୟା ସାରି କହିଛନ୍ତି। ଯେଉଁ ୬ଟି ସ୍ଥାନକୁ ଟାର୍ଗେଟ୍ କରାଯାଇଛି ସେଗୁଡ଼ିକ ହେଲା-

ପ୍ରଥମ ଟାର୍ଗେଟ୍- ପ୍ରଥମ ଅଭିଯାନରେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର, ତୈଳ ସଂରକ୍ଷଣ ଟାଙ୍କ ଏବଂ ଆରାମକୋର ଡିଷ୍ଟିଲେସନ୍ ଟାୱାରକୁ ଟାର୍ଗେଟ୍ କରାଯାଇଥିଲା।

ଦ୍ୱିତୀୟ ଓ ତୃତୀୟ ଟାର୍ଗେଟ୍- ଖୁରାଇସ୍ସ୍ଥିତ ଆରାମକୋ ପ୍ରତିଷ୍ଠାନ ଉପରେ ଦ୍ୱିତୀୟ ଟାର୍ଗେଟ୍ କରାଯାଇଥିବା ବେଳେ ଦାୱାଦମି ଅଞ୍ଚଳର ପମ୍ପିଂ ଷ୍ଟେସନ୍ ନମ୍ବର ୮କୁ ଟାର୍ଗଟେ୍ କରି ତୃତୀୟ ଆକ୍ରମଣ କରାଯାଇଛି।

ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଆକ୍ରମଣ: ଏହି ଅଭିଯାନରେ ନଜରାନର ନ୍ୟାସନାଲ ଗାର୍ଡ କ୍ୟାମ୍ପରେ ଥିବା ସାଉଦି ସୈନ୍ୟଙ୍କୁ ଚତୁର୍ଥ ଟାର୍ଗେଟ୍ କରାଯାଇଥିବା ବେଳେ ପଞ୍ଚମ ଅଭିଯାନରେ ଅଲ୍-ଜୌଫର ପୂର୍ବ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଥିଲା। ଷଷ୍ଠ ଅଭିଯାନରେ ମାରିବରେ ଥିବା ସାଉଦି ସେନାର ଠିକଣାକୁ ଟାର୍ଗେଟ୍ କରାଯାଇଥିବା ହୁତିମାନେ ପ୍ରବକ୍ତା ଦାବି କରିଛନ୍ତି।

ଏହି ଆକ୍ରମଣରେ ଏକାଧିକ ସାଉଦି ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ହୁତି ଦାବି କରିଥିବା ବେଳେ ସାଉଦି ଆରବ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏହି ଆକ୍ରମଣ ଶେଷ ନୁହେଁ ଆଗକୁ ମଧ୍ୟ ସାଉଦିକୁ କଡ଼ା ଜବାବ ଦିଆଯିବ ବୋଲି ହୁତୀ ବିଦ୍ରୋହୀମାନେ କହିଛନ୍ତି।

ସାଉଦି ଉପରେ ଆଗକୁ ମଧ୍ୟ ଆକ୍ରମଣ ଜାରି ରଖିବାକୁ ଧମକ

ୟେମେନ ଉପରେ ସାଉଦି ଆକ୍ରମଣର ପ୍ରତିଶୋଧ ନିଆଯାଉଛି। ଆଗକୁ ଆହୁରି ଶକ୍ତିଶାଳୀ ଆକ୍ରମଣ କରାଯିବ ବୋଲି ହୁତି ଧମକ ଦେଇଛି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ହୁତି ପ୍ରବକ୍ତା ୟାହ୍ୟା ସାରି ସାଉଦି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଯେ ଗତ ୨୪ ଘଣ୍ଟାରେ ୟେମେନର ସନା, ଅଲ-ଜୌଫ, ତାଇଜ, ସାଦା ଓ ମାରିବ ସମେତ ଏକାଧିକ ରାଜ୍ୟରେ ୧୦୫ଟି ଏୟାର ଷ୍ଟ୍ରାଇକ୍ କରାଯାଇଛି।

ଏହି ମିସାଇଲ ମାଡ଼ରେ ଏକାଧିକ ସାଧାରଣ ଲୋକଙ୍କର ଜୀବନ ଯାଇଛି। ସେ ଆହୁରି କହିଛନ୍ତି ଯେ ସଂଘର୍ଷ ବଢିବା ପରେ ସାଉଦି ସଂଗଠନ ୪୩୬୯ଟି ଆକ୍ରମଣ କରିଛି। ସାଉଦି ଯେଉଁଭଳି ଆଚରଣ କରିବ, ତା ଉପରେ ସେମିତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହୁତି କହିଛି।

ଲେବାନନ ସରକାରଙ୍କୁ ଅନୁରୋଧ କଲେ ୟମନ ସରକାର

ସେପଟେ ହୁତିମାନଙ୍କୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ୟମନ ସରକାର ଲେବାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ଲେବାନନ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ହୁତିଙ୍କୁ ଅସ୍ତ୍ରଶସ୍ତ୍ର ଦେଉଛି। ଏହାକୁ ରୋକିବା ପାଇଁ ସହଯୋଗ କରିବାକୁ ୟମନ ବିଦେଶ ମନ୍ତ୍ରୀ ଅଫରାହ ଅଲ-ଜୌବା ଲେବାନନକୁ ଅନୁରୋଧ କରିଛନ୍ତି। ଦୁଇ ଦେଶର ଗୁଇନ୍ଧା ମଧ୍ୟରେ ସମନ୍ୱୟ ରଖିବାକୁ ସେ ଦାବି କରିଛନ୍ତି।