କାହିରା: ଇଜିପ୍ଟ ରାଜଧାନୀ କାହିରାରୁ ଦକ୍ଷିଣରେ ୫୨ କିଲୋମିଟର ଦୂର ଗିଜା ପ୍ରାନ୍ତର ଅଲ ଅୟାତ ଜିଲ୍ଲାରେ ରବିବାର ଭୀଷଣ ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନୁନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ଇଜିପ୍ଟ ପରିବହନ ମନ୍ତ୍ରାଳୟ ଅନୁସାରେ କୟୁମ ପ୍ରୋଭିନ୍ସ ଆଡକୁ ଯାଉଥିବା ଏକ ଟ୍ରେନ ଅସୱାନ ପ୍ରାନ୍ତକୁ ଯାଉଥିବା ଟ୍ରେନକୁ ପଛରୁ ଧକ୍କା ଦେଇଛି। ଏହି ଧକ୍କା ଏତେ ଜୋରରେ ଥିଲା ଯେ ଗୋଟିଏ ଟ୍ରେନ ଲାଇନଚ୍ୟୁତ ହୋଇଛି। ତେବେ ଦୁଇ ଟ୍ରେନ ମଧ୍ୟରୁ କେଉଁଟି ଲାଇନଚ୍ୟୁତ ହୋଇଛି ତାହା ମନ୍ତ୍ରାଳୟ ସ୍ପଷ୍ଟ କରିପାରିନାହାନ୍ତି।

ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛନ୍ତି ଯେ ଏହି ରେଳ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୮୮ ଜଣ ଆହତ ହୋଇଛନ୍ତି। ସବୁ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆଖାପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ଶିଶିରେଳ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକଟ କରିବା ସହ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତତ୍କାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ଦୁର୍ଘଟଣା ନିମନ୍ତେ ଦାୟି ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି। ଦୁର୍ଘଟଣା ସୂଚନା ମିଳିବା ମାତ୍ରେ ରିଲିଫ ଓ ଉଦ୍ଧାରକାରୀ ଦଳଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା।

ସେପଟେ ରେଳବାଇ ଅଧିକାରୀମାନେ ରେଳ ଟ୍ରାକରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନ ହଟାଇବାକୁ ଓ ଲାଇନରେ ପୁଣି ରେଳ ଚଳାଚଳ ସ୍ୱଭାବିକ କରିବାକୁ କ୍ରେନ ସମେତ ଅନ୍ୟ ଯନ୍ତ୍ର ମୁତୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଅଲ-ଅୟାତ ଜିଲ୍ଲାରେ ଦୁଇଟି ମାଲଗାଡି ମଧ୍ୟରେ ଧକ୍କା ଲାଗିଥିଲା। ସେହି ଦୁର୍ଘଟଣାରେ ଗୋଟିଏ ଟ୍ରେନର ଚାଳକ ଓ ସହାୟକ ଆହତ ହୋଇଥିଲେ।