ନୂଆଦିଲ୍ଲୀ ୦୯।୧୧; କ୍ଷମତା ଥିଲା, ପଦବୀ ଥିଲା, ଚାହିଁଥିଲେ ଅୟସ୍ରେ ଜୀବନ କାଟିପାରିଥାନ୍ତେ। କିନ୍ତୁ ସେ ବାଛିଥିଲେ ସରଳତାର ରାସ୍ତା। ଉରୁଗୁଏର ପୂର୍ବତନ ରାଷ୍ଟ୍ରପତି ହୋସେ ମୁଜିକାଙ୍କ ଜୀବନଶୈଳୀ ଆଜି ବି ସାରା ବିଶ୍ୱ ପାଇଁ ଏକ ଉଦାହରଣ। ଦରମାର ୯୦ ପ୍ରତିଶତ ଦାନ କରିବାଠାରୁ ଆରମ୍ଭ କରି ପୁରୁଣା କାର୍ରେ ଯାତାୟାତ କରିବା ପର୍ଯ୍ୟନ୍ତ, ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଥିଲା ନିଆରା ଚିନ୍ତାଧାରା। ତେବେ କିଏ ଏହି ମଣିଷ, ଯାହାଙ୍କ ସରଳ ଜୀବନ ଆଜି ବି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଉଛି?

ନାଁ ହୋସେ ମୁଜିକା। ଉରୁଗୁଏର ରାଷ୍ଟ୍ରପତି ଭାବେ ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ। ହେଲେ ରାଷ୍ଟ୍ରପତି ହେବା ପରେ ବି ତାଙ୍କ ଜୀବନଶୈଳୀରେ ଆସିନଥିଲା କୌଣସି ପରିବର୍ତ୍ତନ। ରାଷ୍ଟ୍ରପତି ଭବନର ଆଡ଼ମ୍ବର ଛାଡ଼ି ପତ୍ନୀଙ୍କ ସହ ନିଜ ଛୋଟ ଫାର୍ମ ହାଉସ୍ରେ ରହୁଥିଲେ। ଯାତାୟାତ ପାଇଁ ବ୍ୟବହାର କରୁଥିଲେ ଏକ ପୁରୁଣା ଭୋକ୍ସୱାଗନ୍ ବିଟଲ୍ କାର୍। ତାଙ୍କ ସାଙ୍ଗରେ ରହୁଥିଲା ତାଙ୍କ ପ୍ରିୟ କୁକୁର।

କେବଳ ଜୀବନଶୈଳୀ ନୁହେଁ, ତାଙ୍କ ଆୟର ବ୍ୟବହାର ମଧ୍ୟ ଥିଲା ଭିନ୍ନ। ରିପୋର୍ଟ ଅନୁସାରେ, ନିଜ ମାସିକ ଦରମାର ପ୍ରାୟ ୯୦ ପ୍ରତିଶତ ସେ ଦାନ କରିଦେଉଥିଲେ। ଏହି ଅର୍ଥ ସମାଜର ଗରିବ ଓ ଅଭାବୀ ଲୋକଙ୍କ କଲ୍ୟାଣରେ ବ୍ୟବହାର ହେଉଥିଲା। ନିଜ ପାଇଁ ଆବଶ୍ୟକ ଅର୍ଥ ରଖି ବାକିତକ ସମାଜ ପାଇଁ ଖର୍ଚ୍ଚ କରିବାକୁ ସେ ପସନ୍ଦ କରୁଥିଲେ।ମୁଜିକାଙ୍କ ଜୀବନଦର୍ଶନ ଥିଲା ଖୁବ୍ ସ୍ପଷ୍ଟ। ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ହେଉଛି, "ଯାହା ପାଖରେ କମ୍ ଅଛି, ସେ ଗରିବ ନୁହେଁ; ବରଂ ଯିଏ ସବୁବେଳେ ଅଧିକ ପାଇବାକୁ ଚାହେଁ, ସେ ହିଁ ପ୍ରକୃତ ଗରିବ।"

୨୦୨୫ ମସିହା ମେ' ମାସରେ ୮୯ ବର୍ଷ ବୟସରେ ଏହି ମହାନ ବ୍ୟକ୍ତିତ୍ୱଙ୍କ ପରଲୋକ ହୋଇଥିଲା। ହେଲେ ତାଙ୍କ ଚିନ୍ତାଧାରା ଓ ଜୀବନଶୈଳୀ ଆଜି ବି ଲୋକଙ୍କ ମନରେ ଜୀବିତ। ତାଙ୍କ ଦେହାନ୍ତର ପ୍ରଥମ ବାର୍ଷିକୀ ଅବସରରେ ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ତାଙ୍କର ସରଳ ଜୀବନର କାହାଣୀ। ପଦବୀ ବଡ଼ ଥିଲା, କିନ୍ତୁ ଜୀବନ ଥିଲା ସାଧାରଣ। ଧନ ସମ୍ପତ୍ତି ଅପେକ୍ଷା ସନ୍ତୋଷକୁ ଅଧିକ ମୂଲ୍ୟ ଦେଉଥିଲେ ହୋସେ ମୁଜିକା। ତାଙ୍କ ଜୀବନ ଆମକୁ ଶିଖାଏ, ମଣିଷର ମହାନତା ତା' ପାଖରେ କେତେ ସମ୍ପତ୍ତି ଅଛି ସେଥିରେ ନୁହେଁ, ବରଂ ସେ ଅନ୍ୟମାନଙ୍କ ପାଇଁ କେତେ କରିପାରୁଛି ସେଥିରେ ରହିଛି।