ନୂଆଦିଲ୍ଲୀ ୨୧।୧୨: ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଋଷିଆରୁ ବଡ଼ ଖବର ଆସୁଛି। ଏବେ ଭାରତୀୟ ବିଦ୍ୟାର୍ଥୀ ଋଷିଆରେ ବିନା କୌଣସି ଏଣ୍ଟ୍ରାନ୍ସରେ ସରକାରୀ ଛାତ୍ରବୃତ୍ତି ପାଇ ପାରିବେ। ଏହି ଛାତ୍ରବୃତ୍ତି ସ୍ନାତକରୁ ନେଇ ଉଚ୍ଚତର ପ୍ରଶିକ୍ଷଣ ଓ ପିଏଚଡି ପର୍ଯ୍ୟନ୍ତ ଉଚ୍ଚତର ପାଠ୍ୟକ୍ରମ ଲାଗି ଉପଲବ୍ଧ ହେବ। ଋଷିଆ ପ୍ରଶାସନ ଅନୁସାରେ ଏହି ଛାତ୍ରବୃତ୍ତି ମେଡିସିନ, ଇଞ୍ଜିନିୟରିଂ, ଫାର୍ମାସୀ ଓ ସ୍ପେସ୍ ଷ୍ଟଡିଜ ସମେତ ଅନ୍ୟ କେତେକ ବିଷୟରେ ଦିଆଯିବ।

ସେହିପରି ଯେଉଁ ଛାତ୍ରଛାତ୍ରୀଙ୍କୁ ଋଷୀୟ ଭାଷା ନ ଆସୁଛି ସେମାନଙ୍କ ଲାଗି ବର୍ଷକର ପ୍ରିପରେଟରୀ ଭାଷା କୋର୍ସ ମଧ୍ୟ ରଖା ଯାଇଛି। ଏଣୁ ଛାତ୍ରଛାତ୍ରୀ ସେମାନଙ୍କ ମୁଖ୍ୟ ପାଠପଢା ଆରମ୍ଭ କରିବା ପୂର୍ବରୁ ଋଷିଆ ଭାଷା ଶିଖିପାରିବେ। ତେବେ ଅନେକ କୋର୍ସ ଇଂରାଜୀରେ ମଧ୍ୟ ଉପଲବ୍ଧ ଅଛି। ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ୨୦୨୬-୨୭ବର୍ଷ ନିମନ୍ତେ ଭାରତୀୟ ଛାତ୍ରଛାତ୍ରୀଙ୍କ ଠାରୁ ଆମନ୍ତ୍ରଣ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଋଷୀୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ଉଚ୍ଚଶିକ୍ଷା ପ୍ରାପ୍ତ କରିବାକୁ ଅବସର ପ୍ରଦାନ କରିବା।

ରିପୋର୍ଟ ଅନୁସାରେ ଏଥି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଚୟନ ପରୀକ୍ଷା ବିନା କେବଳ ପ୍ରବେଶ ପରୀକ୍ଷା କରାଯିବ। ପ୍ରାର୍ଥୀଙ୍କୁ ସେମାନଙ୍କ ପିଛିଲା ଶିକ୍ଷା ରେକର୍ଡ ଓ ପୋର୍ଟଫୋଲିଓ ଆଧାରରେ ଚୟନ କରାଯିବ। ପୋର୍ଟଫୋଲିଓରେ ରିସର୍ଚ୍ଚ ପେପର, ସୁପାରିଶ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗୀତାର ପ୍ରମାଣପତ୍ର ଓ ଅନ୍ୟ କାଗଜପତ୍ର ସାମିଲ ହୋଇପାରେ। ଏଥି ପାଇଁ ଚୟନ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ପୂରଣ ହେବ। ଏଥିରୁ ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଦ୍ୱିତୀୟ ପର୍ଯ୍ୟାୟରେ ଋଷୀୟ ବିଜ୍ଞାନ ଓ ଉଚ୍ଚଶିକ୍ଷା ମନ୍ତ୍ରାଳୟ, ଭାଗ ନେଉଥିବା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଂସ୍ଥାନରେ ଆବଣ୍ଟିତ କରିବେ ଓ ଭିସା ସମ୍ପର୍କିତ କାଗଜପତ୍ର ଜାରି କରିବେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବିଭିନ୍ନ ସହର ଯେପରିକି ମସ୍କୋ, ସେଣ୍ଟ ପିଟର୍ସବର୍ଗ, କାଜନ, ଭ୍ଲାଦିଭୋସ୍ତକ ଓ କ୍ୟାଲେନିନଗ୍ରାଦ ରେ ଅଧ୍ୟୟନ କରିପାରିବେ। ଏଣୁ ଇଛୁକ ଛାତ୍ରଛାତ୍ରୀ ଏଜୁକେସନ-ଇନ-ଋଷିଆ ଡଟକମକୁ ଯାଇ ବିସ୍ତୃତ ସୂଚନା ଓ ଆବେଦନ ପ୍ରକ୍ରିୟା ଦେଖି ପାରିବେ। ଏହି ପଦକ୍ଷେପ ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଋଷିଆରେ ଉଚ୍ଚଶିକ୍ଷା ଦିଗରେ ଏକ ସୁବର୍ଣ୍ଣ ସୁଯୋଗ ସାବ୍ୟସ୍ତ ହୋଇପାରେ।