ତିରୁପତି ୧୦।୧୨: ଆନ୍ଧ୍ରପ୍ରଦେଶ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି)ରେ ପୁଣି ଦୁର୍ନୀତି । ପ୍ରଥମେ ନକଲୀ ଘିଅରେ ତିଆରି ଲଡୁ ଦୁର୍ନୀତି ସାମ୍ନାକୁ ଆସିଥିଲା, ପରେ ମନ୍ଦିରର ଦାନବାକ୍ସ ଚୋରି ହାଇଯାଇଥିଲା। ଏବେ ୫୪ କୋଟି ଟଙ୍କାର ‘ରେସମୀ ଓଢଣୀ’ ଦୁାର୍ନୀତି ସାମ୍ନାକୁ ଆସିଛି। ୨୦୧୫ରୁ ୨୦୨୫ ପର୍ଯ୍ୟନ୍ତ ହୋଇଥିବା ଏହି କଥିତ ଠକେଇରେ ଜଣେ ସପ୍ଲାୟର ଶୁଦ୍ଧ ରେସମ ନାମରେ ଶସ୍ତା ପଲିଷ୍ଟର ତିଆରି ଓଢଣୀ ଯୋଗାଣ କରି ଟିଟିଡିର କୋଟିକୋଟି ଟଙ୍କା ଠକି ନେଇଥିବା ଜଣାପଡିଛି।

ଭିଜିଲାନ୍ସ ଅଧିକାରୀଙ୍କ ତଦନ୍ତରୁ ଜଣାପଡିଛି ଯେ ଏହି ଓଢଣୀ ଯାହା ମନ୍ଦିର ପକ୍ଷରୁ ଭକ୍ତଙ୍କୁ ସମ୍ମାନ ସ୍ୱରୂପ ପ୍ରଦାନ କରାଯାଏ ତାହା ସମ୍ପୂର୍ଣ୍ଣ ନକଲୀ। ଟିଟିଡି ବୋର୍ଡ ମାମଲାର ଯାଞ୍ଚ ଆନ୍ଧ୍ରପ୍ରଦେଶ ଆଣ୍ଟି କରପସନ ବ୍ୟୁରୋକୁ ନ୍ୟସ୍ତ କରିଛନ୍ତି। ତିରୁପତି ତିରୁମାଲା ଦେବସ୍ଥାନମ ମନ୍ଦିରରେ ‘ପଟ୍ଟୁ ବସ୍ତ୍ରାଲୁ’ (ରେସମ ଓଢଣୀ) ଏକ ପବିତ୍ର ପରମ୍ପରାର ଅଂଶବିଶେଷ। ଏ ଗୁଡିକୁ ଭିଆଇପି ଦର୍ଶନ, ବେଦାର୍ଶିବଚନମ ଓ ଦାନଦାତାଙ୍କୁ ସମ୍ମାନ ସ୍ୱରୂପ ପ୍ରଦାନ କରାଯାଏ। ଏହି ଓଢଣୀର ଟେଣ୍ଡର ସ୍ପେଶିଫିକେସନରେ ସ୍ପଷ୍ଟ ରୂପେ ଏହା ଓମ ନମଃ ଭେଙ୍କଟେଶ ଲେଖା ଶଙ୍ଖ, ଚକ୍ର ସିମ୍ବଲରେ ମାଲବାରୀ ସିଲ୍କ (୨୦/୨୨ ଡୋନିୟର ୟାର୍ଣ୍ଣ)ରେ ତିଆରି ହୋଇଥିବା ଆବଶ୍ୟକ।ତେବେ ଭିଜିଲାନ୍ସ ଯାଞ୍ଚରୁ ଜଣାପଡିଛି ଯେ ନାଗରୀସ୍ଥିତ ଭିଆରଏସ ଏକ୍ସପର୍ଟ ଫାର୍ମ ଓ ଏହାର ସିଷ୍ଟର କନସର୍ଣ୍ଣ ୨୦୧୫-୨୦୨୫ ପର୍ଯ୍ୟନ୍ତ ନକଲୀ ଓଢଣୀ ଯୋଗାଣ କରିଛି।

ଫାର୍ମ ପ୍ରତି ଓଢଣୀ ପିଛା ୧,୩୮୯ ଟଙ୍କା ଦରରେ ୧୫ ହଜାର ଓଢଣୀ ବିକ୍ରି କରିଛି। ମୋଟ ମିସାଇ ୧୦ ବର୍ଷରେ ୫୪.୯୫ କୋଟି ଟଙ୍କାର କ୍ଲଥ ସପ୍ଲାଇ କରିଛି। ନିକଟରେ ୧୫ ହଜାର ଓଢଣୀ ପାଇଁ କମ୍ପାନୀକୁ ଆଉ ଏକ ଅର୍ଡର ଦିଆଯାଇଥିଲା। ଏହାକୁ ରଦ୍ଦ କରିଦିଆଯାଇଛି। ନିକଟରେ ଟିଟିଡି ଚେୟାରମ୍ୟାନ ବି.ଆର.ନାୟଡୁଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଟିମ୍ ତିରୁପତି ଗୋଦାମ ଓ ତିରୁମାଲାର ବୈଭବୋତ୍ସବ ମଣ୍ଡପମରୁ ନମୁନା ସଂଗ୍ରହ କରିଥିଲା। ଏହାକୁ ଯାଞ୍ଚ ନିମନ୍ତେ ବେଙ୍ଗାଲୁରରୁ ସେଣ୍ଟ୍ରାଲ ସିଲ୍କ ବୋର୍ଡ ଓ ଧର୍ମାଭରମ ଲ୍ୟାବକୁ ପଠାଯାଇଥିଲା। ସେଠାରୁ ମିଳିଥିବା ରିପୋର୍ଟରେ ଏହା ୧୦୦% ପଲିଷ୍ଟରରେ ତିଆରି ମେଟିରିଆଲ ହୋଇଥିବା ବେଳେ ଏଥିରେ ଆଦୌ ସିଲ୍କ ନଥିବା କୁହାଯାଇଛି। ଏଥିରେ ସିଲ୍କ ହଲୋଗ୍ରାମ ମଧ୍ୟ ନଥିଲା।

ବିଶୁଦ୍ଧ ସିଲ୍କରେ ତିଆରି ଓଢଣୀ ପିସ୍ ପିଛା ଦର ୨୦୦୦ରୁ ୩ ହଜାର ଟଙ୍କା ମଧ୍ୟରେ ହୋଇଥିବା ବେଳେ ପଲିଷ୍ଟରରେ ମାତ୍ର ୨୦୦ରୁ ୩ଶହ ଟଙ୍କା ମଧ୍ୟାରେ ହୋଇଥାଏ। ଇନଫ୍ଲିଟେଡ ବିଲିଂ ଓ କ୍ୱାଣ୍ଟିଟିରେ ଟିଟିଡିକୁ ୫୪ କୋଟି ଟଙ୍କାର କ୍ଷତି ହୋଇଛି। ଟିଟିଡି ବାର୍ଷିକ ବଜେଟର ଏହା ଏକ ବଡ଼ ଅଂଶ। ନାୟଡୁ କହିଛନ୍ତି ଯେ କ୍ରୟ ବିଭାଗରୁ ଏହି ଅନିୟମିତତା ଜଣାପଡିଛି। ଏଣୁ ଆମେ ଏସିବିକୁ ତଦନ୍ତ ନିର୍ଦ୍ଦେଶ ଦେଇଛୁ। ନିକଟରେ ମଞ୍ଜୁର ହୋଇଥିବା ଟେଣ୍ଡର ରଦ୍ଦ କରି ପୁଣି ପ୍ରୋକ୍ୟୋରମେଣ୍ଟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଠକେଇ କ୍ୱାଲିଟି ଯାଞ୍ଚ ଓ ମନିଟରିଂ ସିଷ୍ଟମର ଅବହେଳାକୁ ଉଜାଗର କରିଛି।