ନୂଆଦିଲ୍ଲୀ: ପ୍ରାୟ ୩ ଦଶନ୍ଧୀ ଧରି ରିଟେଲ ବ୍ୟବସାୟର ନେତୃତ୍ୱ ନେବା ପରେ ଶେଷରେ ଟ୍ରେଣ୍ଟ ଗ୍ରୁପର ଚେୟାରମ୍ୟାନ ପଦରୁ ଇସ୍ତଫା ଦେବେ ନୋଏଲ ଏନ. ଟାଟା। ନଭେମ୍ବର ୧୧ ତାରିଖରୁ ସେ ତାଙ୍କ ପଦ ଛାଡ଼ିବେ। ତାଙ୍କ ସ୍ଥାନରେ ବହରାମ ଭକିଲଙ୍କୁ ଟ୍ରେଣ୍ଟ ଗ୍ରୁପ ସିଇଓ ନିଯୁକ୍ତ କରାଯାଇ। ସେ ଏହାର ଦିନକ ପରେ ଅର୍ଥାତ୍ ନଭେମ୍ବର ୧୨ ତାରିଖରୁ ନିଜ ଦାୟିତ୍ୱ ସମ୍ଭାଳିବେ।

ଏନେଇ ଟ୍ରେଣ୍ଟ ଗ୍ରୁପ ପକ୍ଷରୁ ରେଗୁଲେଟୋରି ଫାଇଲିଂ ବେଳେ ସୂଚନା ଦିଆଯାଇଛି। ନନୋଏଲ ଟାଟା ୧୯୯୭ ମସିହାରୁ ଟ୍ରେଣ୍ଟ ଗ୍ରୁପ ସହିତ ଜଡ଼ିତ ଆସିଛନ୍ତି। କମ୍ପାନୀରେ ତାଙ୍କର ଯୋଗଦାନକୁ ଦେଖି ସେ ନଭେମ୍ବର ୧୨ ତାରିଖରୁ ଚେୟାରମ୍ୟାନ ଏମିରେଟ୍ସ ଦାୟିତ୍ୱ ଗ୍ରହଣ କରିବେ।

'ଟାଟା ଗ୍ରୁପ୍ ଗଭର୍ଣ୍ଣାନ୍ସ ଗାଇଡ୍‌ଲାଇନ୍‌' ଅନୁସାରେ କମ୍ପାନୀର ନେତୃତ୍ୱ ପରିବର୍ତ୍ତନ କରାଯାଇଥାଏ। ଯେଉଁଥିରେ ବୋର୍ଡ ଗଠନ, ବିଭିନ୍ନ କମିଟି ଏବଂ ଡାଇରେକ୍ଟରମାନଙ୍କ ଅବସର ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ନିର୍ଦ୍ଧାରିତ କରାଯାଇଛି। ଏହି ନିୟମ ଅନୁସାରେ ନୋଏଲ ଟାଟାଙ୍କର ବି ନେତୃତ୍ୱ ପରିବର୍ତ୍ତନ କରାଯାଇଛି।

​​​​​​​Also Read- ଟାଟାର ରାଜୁତି ଶେଷ ! ଜିଓର ଲିଷ୍ଟିଂ ପରେ ରିଲାଏନ୍ସ ହେଲା ଦେଶର ସବୁଠାରୁ ମୂଲ୍ୟବାନ ବିଜନେଶ ଗ୍ରୁପ୍

ସେହିପରି ରାଜୀବ ଦୁବେଙ୍କୁ ଜଣେ ଅତିରିକ୍ତ ଅଣକାର୍ଯ୍ୟନିର୍ବାହୀ ତଥା ଅଣସ୍ୱାଧୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ବୋର୍ଡ ତାଙ୍କୁ ଡିସେମ୍ବର ୩୦ ତାରିଖ ଠାରୁ ଏହି ଦାୟିତ୍ୱ ପାଇଁ ନିଯୁକ୍ତ କରିଥିବା ବେଳେ ଏଥିରେ କମ୍ପାନୀର ଅଂଶିଦାରମାନଙ୍କର ଅନୁମତି ଆବଶ୍ୟକ ହେବ। ସେହିପରି କଳ୍ପନା ମର୍ଚ୍ଚାଣ୍ଟଙ୍କୁ ୩୦ ଅକ୍ଟୋବରରୁ ତିନି ବର୍ଷ ପାଇଁ ଜଣେ ଅତିରିକ୍ତ ନିର୍ଦ୍ଦେଶକ ତଥା ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇ ଥିବା ବେଳେ ଏହାର ଅନୁମୋଦନ ଅଂଶୀଦାରମାନଙ୍କ ଉପରେ ନିର୍ଭର କରେ।

ଖୁଚୁରା ବ୍ୟବସାୟ ବିସ୍ତାର ଯୋଜନା ମଧ୍ୟରେ ବୋର୍ଡର ପୁନର୍ଗଠନ କଲା ଟ୍ରେଣ୍ଟ

ବର୍ତ୍ତମାନ ଟ୍ରେଣ୍ଟ ଏହାର ଫ୍ୟାସନ ବ୍ରାଣ୍ଡ, ୱଷ୍ଟସାଇଡ୍(Westside) ଓ ଜୁଡିଓ(Zudio) ମାଧ୍ୟମରେ ଖୁଚୁରା ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛି। ଷ୍ଟାର ଫୁଡ୍ ଓ ଗ୍ରୋସରି ବିଜନେଶକୁ ମଧ୍ୟ କମ୍ପାନୀ ଆଗକୁ ବଢ଼ାଉଛି। ଏହି ସମୟରେ ଟ୍ରେଣ୍ଟ ବାର୍ଷିକ ଆଧାରରେ ୨୫% ଲାଭ କରିଛି। ସେପ୍ଟେମ୍ବର ତ୍ରୈମାସିକ ପାଇଁ ନିଜର ସମନ୍ୱିତ ନିଟ୍ ଲାଭରେ ବାର୍ଷିକ ଭିତ୍ତିରେ ୨୫% ବୃଦ୍ଧି ଘଟି ଏହା ୪୬୮ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ରିପୋର୍ଟରେ କହିଛି। ଅନ୍ୟପକ୍ଷରେ ଏହାର ରାଜସ୍ୱ ୨୨% ବଢ଼ି ୫,୮୭୩ କୋଟି ଟଙ୍କାରେ ପହଞ୍ଚି ବୋଲି ଟ୍ରେଣ୍ଟ ଫାଇଲିଂରେ ଜଣାଇଛି।