ନୂଆଦିଲ୍ଲୀ: ଆମେରିକା- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଦେଖାଦେଇଛି ଏଲପିଜି ଗ୍ୟାସ୍ ଓ ତେଲ ସଙ୍କଟ । ଭାରତରେ ମଧ୍ୟ ଏଲପିଜି ସିଲିଣ୍ଡର ଯୋଗାଣ ହ୍ରାସ ପାଇଛି। ଫଳରେ ଅନେକ ରାଜ୍ୟରେ ଏଲପିଜି ଅଭାବ ଯୋଗୁ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଅବଶ୍ୟ କେନ୍ଦ୍ର ସରକାର ଦେଶରେ ଗ୍ୟାସ ଅଭାବକୁ ଗୁଜବ ବୋଲି କହିବା ସହ, ସାଧାରଣ ଲୋକଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଦିଗରେ ଚେଷ୍ଟା କରୁଛନ୍ତି।

ଏହାରି ମଧ୍ୟରେ ସରକାର ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଉପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶନିବାର ଜାରି ବିବୃତ୍ତିରେ ସରକାର କହିଛନ୍ତି ଯେ, ବିତରକମାନଙ୍କ ପାଖରେ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଉପଲବ୍ଧ। ଗ୍ରାହକ ବିନା ଠିକଣା ପ୍ରମାଣରେ କେବଳ ଏକ ବୈଧ ପରିଚୟପତ୍ର ଦେଖାଇ କିଣିପାରିବେ।

ବିନା ଠିକଣା ପ୍ରମାଣ ପତ୍ରରେ ମିଳିପାରିବ ଗ୍ୟାସ ସିଲିଣ୍ଡର

ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁ ବିଶ୍ବରେ ଶକ୍ତି ସଙ୍କଟ ଦେଖାଦେଇଛି। ହେଲେ ଏହା ସତ୍ତ୍ବେବି ଇନ୍ଧନ ଏବଂ ଶକ୍ତି ଯୋଗାଣ ନିରବଚ୍ଛିନ୍ନ କରିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ନେଉଥିବା କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ, ନିକଟବର୍ତ୍ତୀ LPG ବିତରକମାନଙ୍କରେ ୫ କିଲୋଗ୍ରାମ FTL ସିଲିଣ୍ଡର ଉପଲବ୍ଧ। ଯେକୌଣସି ବୈଧ ପରିଚୟପତ୍ର ଦେଖାଇ ଏହା କିଣାଯାଇପାରିବ। ଏଥିପାଇଁ ଠିକଣା ପ୍ରମାଣ କୌଣସି ଆବଶ୍ୟକ ନାହିଁ।

Also Read: Switch to PNG or lose LPG: ୯୦ ଦିନ ଭିତରେ କରିବାକୁ ପଡିବ ପିଏନ୍ଜି କନେକ୍ସନ, ନ ହେଲେ ମିଳିବନି ଏଲ୍ପିଜି; କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ

ପ୍ରବାସୀ ଶ୍ରମିକଙ୍କୁ ହେବ ସୁବିଧା

ଅଧିକାରୀମାନେ କହିଛନ୍ତି ଯେ, ଏହି ପଦକ୍ଷେପ ବିଶେଷକରି ପ୍ରବାସୀ ଶ୍ରମିକ ବା ଯେଉଁମାନଙ୍କର ସ୍ଥାନୀୟ ଠିକଣାର କାଗଜପତ୍ର ନାହିଁ, ସେମାନଙ୍କ ପାଇଁ ଖୁବ୍ ସହାୟକ ହେବ। ମାର୍ଚ୍ଚ ୨୩ ତାରିଖରୁ ପ୍ରାୟ ୫.୭ ଲକ୍ଷ ଏପରି ସିଲିଣ୍ଡର ବିକ୍ରି ହୋଇଛି।

ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ

ଦେଶରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିବା ସହ ନାଗରିକମାନଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରିଛି। ଗୁଜବ ଯୋଗୁ କିଛି ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ହେଉଥିବା ରିପୋର୍ଟ ମିଳିଥିଲେ ମଧ୍ୟ ସମସ୍ତ ଖୁଚୁରା ଇନ୍ଧନ ଦୋକାନ ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି ଏବଂ ସାରା ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଉପଲବ୍ଧ ଅଛି ବୋଲି ମନ୍ତ୍ରଣାଳୟ କହିଛି।

Also Read: LPG Crisis: ପେଟ୍ରୋଲ ପମ୍ପରେ ବି ମିଳିବ କିରୋସିନି, ହେଲେ ରହିଛି ସର୍ତ୍ତ

ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି 

ସେପଟେ ଯୋଗାଣରେ ସ୍ଥିରତା ବଜାୟ ରଖିବା ପାଇଁ, ସରକାର ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରିଛନ୍ତି, ରିଫାଇନାରୀଗୁଡ଼ିକୁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବା ସୁନିଶ୍ଚିତ କରାଯାଉଛି। ସାଧାରଣ ଲୋକ, ହସ୍ପିଟାଲ ଏବଂ ଅତ୍ୟାବଶ୍ୟକ ସେବା ପାଇଁ ଇନ୍ଧନ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି।

ଜମାକାରୀ ଏବଂ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ସେହିଭଳି ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘରୋଇ ଏବଂ କର୍ମର୍ସିଆଲ ଗ୍ରାହକ ଉଭୟଙ୍କୁ ନୂତନ PNG ସଂଯୋଗ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ସରକାର ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ମଧ୍ୟ ନଜର ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୩,୭୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇ ଅନେକ ସିଲିଣ୍ଡର ଜବତ କରାଯାଇଛି। କଳାବଜାରୀ କରୁଥିବା LPG ବିତରକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କର ଲାଇସେନ୍ସ ବାତିଲ କରାଯାଉଛି।