ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା- ଇସ୍ରାଏଲର ଆକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ, ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦୁନିଆର ଅନେକ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଭାରତରେ ସୃଷ୍ଟି ହୋଇଛି ରନ୍ଧନ ଗ୍ୟାସ ସଙ୍କଟ। ଅବଶ୍ୟ ସରକାର ଏହା ଉପରେ କଡ଼ା ନଜର ରଖିଛନ୍ତି। ବିଭିନ୍ନ ପଦକ୍ଷେପ ଦ୍ୱାରା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ହେଉଛି। ତଥାପି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ପେଟ୍ରୋଲ ପମ୍ପରେ ମିଳିବ କିରୋସିନି

ରିପୋର୍ଟ ଅନୁସାରେ, ସାଧାରଣ ବଣ୍ଟନ ବ୍ୟବସ୍ଥା ବା PDS ନିୟମରେ ୬୦ ଦିନ ପାଇଁ କୋହଳ କରିଛନ୍ତି ସରକାର। ଏହାଦ୍ୱାରା ରାସନ ଦୋକାନ ବ୍ୟତୀତ ଏଣିକି ପେଟ୍ରୋଲ ପମ୍ପରେ ବି କିରୋସିନି ମିଳିବ। ଏମିତିରେ ଯୁଦ୍ଧ ଯୋଗୁ ଭାରତରେ ଉପୁଜିଥିବା ରନ୍ଧନ ଗ୍ୟାସ ସଙ୍କଟ ମଧ୍ୟରେ ଏହି ବ୍ୟବସ୍ଥା ଦ୍ୱାରା କିଛିଟା ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି।

Also Read: Electronics Price Hike India: ୬ ରୁ ୮ ବର୍ଷ ତଳର ସ୍ଥିତିକୁ ଫେରୁଛି ବଜାର ଦର, ଆକାଶଛୁଆଁ ହେବ ସ୍ମାର୍ଟଫୋନ୍, ଟିଭି ଓ ଏସି ଦାମ୍

ତେବେ ଏହି ବ୍ୟବସ୍ଥା ସାମୟିକ ତଥା ଅସ୍ଥାୟୀ ହୋଇଥିବାରୁ କିରୋସିନି କେବଳ ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପରେ ହିଁ ମିଳିବ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ଦିଆଯାଇଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ଜିଲ୍ଲାରେ ସର୍ବାଧିକ ଦୁଇଟି ପେଟ୍ରୋଲ ପମ୍ପ ଚୟନ କରାଯିବ। ଆଉ ସେହିଠାରେ ହିଁ ଏହି ସୁବିଧା ଯୋଗାଇ ଦିଆଯିବ। ଏହି ପେଟ୍ରୋଲ ପମ୍ପଗୁଡ଼ିକ ୫ ହଜାର ଲିଟର ପର୍ଯ୍ୟନ୍ତ କିରୋସିନି ଗଚ୍ଛିତ ରଖିପାରିବେ।

ରହିଛି ସର୍ତ୍ତ

ତେବେ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରହିଛି। ସେଗୁଡ଼ିକ ହେଲା, ଏହାକୁ କେବଳ ଖାଦ୍ୟ ପ୍ରସ୍ତୁତ ପାଇଁ ତଥା ଆଲୋକ ପାଇଁ କିଣି ହେବ। ଗୋଟିଏ ପେଟ୍ରୋଲ ପମ୍ପରେ ୫ ହଜାର ଲିଟରରୁ ଅଧିକ ଷ୍ଟକ ରଖାଯାଇପାରିବ ନାହିଁ। ସମସ୍ତ ସୁରକ୍ଷା ନିୟମ ଏବଂ ଗାଇଡଲାଇନର ପାଳନ କରିବା ବାଧ୍ୟତାମୂଳକ। କିରୋସିନି ଷ୍ଟକ, ଯୋଗାଣ ଏବଂ ବିତରଣର ପୂରା ରେକର୍ଡ ରଖିବାକୁ ହେବ। ପ୍ରଶାସନ ଯେକୌଣସି ସମୟରେ ଏହାର ଯାଞ୍ଚ କରିପାରିବ।