ଭୁବନେଶ୍ୱର ୨୧।୧୧ : ବାତ୍ୟାର ଲ୍ୟାଣ୍ଡଫଲ୍ ପରେ ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା ନାହିଁ। ଧୀରେ ଧୀରେ କମୁଛି ବର୍ଷାର ପରିମାଣ। ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଆଜି ସକାଳ ସାଢ଼େ ୮ଟା ମଧ୍ୟରେ କିଛି ସ୍ଥାନରେ ଭାରି ବର୍ଷା ହୋଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ବର୍ଷା କମିଛି। ଭୋଗରାଇ, ନୟାଗଡ଼ ଓ ଗଞ୍ଜାମର ବୁଗୁଡ଼ାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି ବୋଲି ସୂଚନା ଦେଇଛନ୍ତି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୁଷିକୁଲ୍ୟା ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ବଡ଼ ବନ୍ୟା ସ୍ଥିତି ନାହିଁ । କିଛି ଅଞ୍ଚଳରେ ଏବେ ବି ଜଳବନ୍ଦୀ ସମସ୍ୟା ଲାଗି ରହିଛି। ତେବେ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ଜଳବନ୍ଦୀର ଏକ କାରଣ ହେଉଛି ଧନେଇ ଡ୍ୟାମ୍ରୁ ଅତିରିକ୍ତ ଜଳ ନିଷ୍କାସନ। ଡ୍ୟାମ୍ରେ ଅଟୋମେଟିକ୍ ଗେଟ୍ ବ୍ୟବସ୍ଥା ଥିବାରୁ ଅତିରିକ୍ତ ଜଳ ନିଷ୍କାସିତ ହୋଇ ପୋଲସରା ଅଞ୍ଚଳକୁ ଆସିଥିଲା। ଫଳରେ ସେଠାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି।

Also Read:-ବାତ୍ୟାର ପ୍ରଭାବ କମ୍, ଚିନ୍ତାଜନକ ସ୍ଥିତି ନାହିଁ ; ବାତ୍ୟା ମୁକାବିଲାରେ ସାଧାରଣ ଲୋକଙ୍କୁ ଶ୍ରେୟ ଦେଲେ SRC

ଅନ୍ୟପଟେ ବର୍ଷା ଯୋଗୁଁ ଚାଷକୁ ବ୍ୟାପକ କ୍ଷତି ପହଞ୍ଚିଛି। ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। କ୍ଷୟକ୍ଷତିର ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ସରକାର ବିଚାର କରିବେ। ଜଳବନ୍ଦୀ ଥିବା ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।