ଭୁବନେଶ୍ୱର ୨୦।୧୧ : ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇଛି ବାତ୍ୟା ଅକଓ୍ୱାନ। ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ବର୍ତ୍ତମାନ ପବନର ବେଗ ହ୍ରାସ ପାଇ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଛି ଏବଂ ଝଟକା ପବନ ୭୫ କିଲୋମିଟର ବେଗରେ ବହୁଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯିବା ସହ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ରଖାଯାଇଛି।

Also Read:-ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି: ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ, ବିପଦ ସଙ୍କେତ ଟପିବନି ନଦୀ ଜଳସ୍ତର

ବର୍ତ୍ତମାନ ରାଜ୍ୟର କୌଣସି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇନାହିଁ। ଅତିପ୍ରବଳ ବର୍ଷା ସମ୍ଭାବନାକୁ ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଭଳି ୧୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ପ୍ରବଳ ବର୍ଷା ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ଗଜପତି, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଶନିବାରଠୁ ରାଜ୍ୟରେ ବର୍ଷାର ପରିମାଣ ଯଥେଷ୍ଟ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୧୦ଟି ସ୍ଥାନରେ ଅତିପ୍ରବଳ ଏବଂ ୨୬ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ହିଞ୍ଜିଳିରେ ୨୦୬.୫ ମିଲିମିଟର ଏବଂ ଚିକିଟି ନିକଟରେ ୧୯୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Watch Video:-