ଭୁବନେଶ୍ୱର ୨୦।୧୧ : ବାତ୍ୟା ମୁକାବିଲା ଓ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ସ୍ଥାନାନ୍ତରଣ କରିଛି ରାଜ୍ୟ ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ବାତ୍ୟା ମୁକାବିଲା ଓ ସ୍ଥାନାନ୍ତରଣ ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ସମଗ୍ର ପରିସ୍ଥିତି ଉପରେ ନଜର ରଖାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଅଧିକାରୀମାନେ ମଧ୍ୟ ଲୋକଙ୍କ ସହ ରହିଛନ୍ତି।

ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେଇଛି ପ୍ରଶାସନ। ମୋଟ ୪ ହଜାର ୪୭୦ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪୫୦ ଜଣ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଉଭୟ ମା' ଓ ନବଜାତ ଶିଶୁ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Also Read:-ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା, ଆଗାମୀ ୨୪ ଘଣ୍ଟା ବର୍ଷା ଆଶଙ୍କା

ଅନ୍ୟପଟେ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକରେ ଅଧିକ ବର୍ଷା ହୋଇଥିବା ନେଇ ସୂଚନା ଦେଇଛନ୍ତି ଅନୁ ଗର୍ଗ। ତେବେ ଆଗକୁ ପରିସ୍ଥିତି କିଭଳି ରହିବ, ସେନେଇ ପ୍ରଶାସନ ନଜର ରଖିଛି।ବର୍ତ୍ତମାନ ମଧ୍ୟ ବାତ୍ୟା ମୁକାବିଲା ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଆଗକୁ ଯେକୌଣସି ପରିସ୍ଥିତି ଉପୁଜିଲେ ସେ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

Watch Video:-