ଟାମ୍ପା: ରିଲାଏନ୍ସ ଫାଉଣ୍ଡେସନ ସଂସ୍ଥାପକ ତଥା ଚେୟାରପର୍ସନ ନୀତା ଅମ୍ବାନୀଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରିଡ଼ା କ୍ଷେତ୍ରରେ ତାଙ୍କ ଯୋଗଦାନ ନିମନ୍ତେ ଫ୍ଲୋରିଡାର ଟାମ୍ପା ସହରରେ ଏଏପିଆଇ ହ୍ୟୁମାନିଟାରିୟନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ପୁରସ୍କାର ଆମେରିକାନ ଆସୋସିଏସନ ଅଫ ଫିଜିକ୍ସିଆନ ଅଫ ଇଣ୍ଡିଆନ ଓରିଜିନ (ଏଏପିଆଇ) ଦ୍ୱାରା ଦିଆଯାଏ ଓ ନୀତା ଅମ୍ବାନୀଙ୍କୁ ଏହି ପୁରସ୍କାର ଟାମ୍ପାର ମେୟର ଜେନ କେଷ୍ଟର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯେଉଁମାନେ ମାନବ ସେବାରେ ଉତ୍କୃଷ୍ଟ ଯୋଗଦାନ କରିଥାଆନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ଶୁକ୍ରବାର ମାଇକ୍ରୋ-ବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସରେ ଜାରି ବୟାନରେ କହିଛି ଯେ ଏହି ପୁରସ୍କାର ହେଲଥ କେୟାର, ଶିକ୍ଷା, କ୍ରିଡ଼ା, ସଂସ୍କୃତି ଓ ସାମୂଦାୟିକ ବିକାଶରେ ନୀତା ଅମ୍ବାନୀଙ୍କ ଅସାଧାରଣ ଯୋଗଦାନ ତଥା ସେବା ପ୍ରତି ତାଙ୍କ ଅତୁଟ ସମର୍ପଣ, କଋଣା ଓ ଗାରିମାକୁ ମାନ୍ୟତା ଦେଉଛି। ଏହି ପୁରସ୍କାର ବିତରଣୀ ଉତ୍ସବରେ ଟାମ୍ପା ମେୟର ଜେନ କେଷ୍ଟର ନୀତା ଅମ୍ବାନୀଙ୍କୁ ‘ଟାମ୍ପା ସହରର ଚାବି’ (କି ଟୁ ଦି ସିଟି ଅଫ ଟାମ୍ପା) ଉପହାର ଦେଇଛନ୍ତି। ଏହି ସମ୍ମାନକୁ ଆମେରିକାରେ ସବୁଠୁ ପ୍ରତିଷ୍ଠିତ ସମ୍ମାନ ମନେ କରାଯାଏ।

ଚଳିତବର୍ଷ ନୀତା ଅମ୍ବାନୀଙ୍କୁ ମିଳିଥିବା ଏହା ଦ୍ୱିତୀୟ ହ୍ୟୁମାନିଟାରିୟନ ଆୱାର୍ଡ। ଏହା ପୂର୍ବରୁ ମାର୍ଚ୍ଚ ମାସରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରିଥିଲା। ଏହି ପୁରସ୍କାର ବିତରଣୀ ଉତ୍ସବରେ ଶ୍ରୀଲଙ୍କାର ନୋବେଲ ବିଜେତା ପ୍ରଫେସର ମୋହନ ମୁନସିଂଘେ ନୀତା ଅମ୍ବାନୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆମେରିକାନ ଆସୋସିଏସନ ଅଫ ଫିଜିକ୍ସିଆନ ଅଫ ଇଣ୍ଡିଆନ ଓରିଜିନ (ଏଏପିଆଇ)ର ସ୍ଥାପନା ୧୯୮୨ ମସିହାରେ ହୋଇଥିଲା। ଏହି ସଂଗଠନ ଆମେରିକା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ସଂସ୍ଥାରେ ପରିଣତ ହୋଇଛି। ୧୯୬୦-୧୯୭୦ ଦଶକରେ ଆମେରିକା ପହଞ୍ଚିଥିବା କେତେକ ଭାରତୀୟ ଡାକ୍ତରଙ୍କୁ ପେଷାଦାର ରୂପେ ମିଳାମିଶା, କ୍ରିଡେନ୍ସିଆଲ ମାନ୍ୟତା ଓ ଆମେରିକା ହେଲଥ୍ କେୟାର ସିଷ୍ଟମ ସହିତ ତାଳମେଳ ରଖିବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏଏପିଆଇ ଡାକ୍ତରଙ୍କ ସେହି ସମସ୍ୟା ସମାଧାନ ଲାଗି କାର୍ଯ୍ୟ କରୁଛି।