ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୟୁରୋପୀୟ ମାନବାଧିକାର ଅଦାଲତ (ECHR)ରେ ନୀରବଙ୍କ ଶେଷ ଆଇନଗତ ଆବେଦନ ଖାରଜ ହେବା ପରେ, ତାଙ୍କୁ ତୁରନ୍ତ ଭାରତ ଆଣିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ସୂତ୍ର ଅନୁସାରେ, ବ୍ରିଟେନ୍‌ (UK)ରେ ତାଙ୍କ ପାଖରେ ଥିବା ସମସ୍ତ ଆଇନଗତ ବିକଳ୍ପ ଏବେ ଶେଷ ହୋଇସାରିଛି ଏବଂ ବର୍ତ୍ତମାନ କେବଳ କିଛି ପ୍ରଶାସନିକ ପ୍ରକ୍ରିୟା ବାକି ରହିଛି।

ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ, ଷ୍ଟ୍ରାସବର୍ଗ ସ୍ଥିତ ୟୁରୋପୀୟ ମାନବାଧିକାର ଅଦାଲତରେ ନୀରବ ମୋଦୀଙ୍କ ଆବେଦନକୁ ଗୋପନୀୟ ରଖାଯାଇଥିଲା। ମାମଲା ବିଚାରଧୀନ ଥିବା ସମୟରେ ଅଦାଲତ ଏ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ କରିନଥିଲେ। ବ୍ରିଟେନର ଉଚ୍ଚ ନ୍ୟାୟାଳୟ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ କାଏମ ରଖିବା ପରେ, ଗତ ଏପ୍ରିଲ୍ ୨୦୨ରେ ନୀରବ ECHR ର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସେଠାରୁ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ।

ନୀରବ ମୋଦୀଙ୍କୁ ଭାରତ ପଠାଇବା ପାଇଁ ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇ ସାରିଛି। ପୂର୍ବରୁ ଲଣ୍ଡନ ହାଇକୋର୍ଟ ନୀରବଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ଭାରତ ସରକାର ଜେଲର ସ୍ଥିତି ଏବଂ ମାନବାଧିକାର ରକ୍ଷା ନେଇ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ତାହା ସନ୍ତୋଷଜନକ। ତେଣୁ ତାଙ୍କୁ ଭାରତ ପଠାଇବାରେ କୌଣସି ଅସୁବିଧା ନାହିଁ।

ନିକଟରେ ମାର୍ଚ୍ଚ ମାସରେ ନୀରବ ମୋଦୀ ଲଣ୍ଡନର କିଙ୍ଗସ୍ ବେଞ୍ଚ ଡିଭିଜନରେ ପୁନର୍ବାର ବିଚାର ପାଇଁ ଆବେଦନ କରିଥିଲେ। ବ୍ରିଟେନ କୋର୍ଟ ସେ କହିଥିଲେ ଯେ, ଭାରତ ଗଲେ ତାଙ୍କୁ ନିର୍ଯାତନା ଦିଆଯାଇପାରେ ଏବଂ ମାନବୀୟ ଆଧାରରେ ତାଙ୍କ ପ୍ରତ୍ୟର୍ପଣକୁ ରୋକାଯାଇଥିଲା। ମାତ୍ର ଅଦାଲତ ନୀରବଙ୍କ କ୍ଷେତ୍ରରେ ଏହି ଯୁକ୍ତିକୁ ଗ୍ରହଣ ନକରି ତାଙ୍କ ଆବେଦନ ଖାରଜ କରିଦେଇଥିଲେ।

୨୦୧୯ ମାର୍ଚ୍ଚ ମାସରେ ଗିରଫ ହେବା ପରଠାରୁ ନୀରବ ମୋଦୀ ଲଣ୍ଡନର ୱାଣ୍ଡସୱର୍ଥ ଜେଲରେ ବନ୍ଦୀ ଅଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୪,୦୦୦ କୋଟି ଟଙ୍କାର ମହାଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ରହିଆସିଛନ୍ତି ନୀରବ ମୋଦୀ । ତେବେ ରାଜନୈତିକ ଏବଂ କୂଟନୈତିକ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବ୍ରିଟେନ କର୍ତ୍ତୃପକ୍ଷ ଏବେ ନୀରବ ମୋଦୀଙ୍କୁ ଭାରତୀୟ ଏଜେନ୍ସି ହାତକୁ ଟେକିଦେବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।