ଭୁବନେଶ୍ବର ୧୫।୮: ପାଣିପାଗ ପୂର୍ବାନୁମାନକୁ ଅଧିକ ସଠିକ୍ ଓ ତ୍ୱରିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ । ରାଜ୍ୟରେ ବଢ଼ିବ ଡପଲର୍ ରାଡାର ସଂଖ୍ୟା । ପାଣିପାଗ ସୂଚନା ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର । ରାଜ୍ୟର ଗୋପାଳପୁର ଏବଂ ପାରାଦୀପ ଡପଲର୍ ରାଡାରରେ ମରାମତି କାମ ଯୋଗୁ କାର୍ଯ୍ୟକ୍ଷମ ନଥିବା ଏବଂ ସମ୍ୱଲପୁର ରାଡାରରୁ ଫିକ୍ୱେଣ୍ଟ ଅପଡେଟ୍ ମିଳୁ ନଥିବା ନେଇ ଖବର ନ୍ୟୁଜ୍ ସେଭେନ୍ ଡିଜିଟାଲରେ ପ୍ରସାରଣ ପରେ ସରକାର ଏ ଦିଗରେ ତ୍ବରିତ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଇପାରେ ।

ଦେଖନ୍ତୁ ନ୍ୟୁଜ୍ ସେଭେନ୍ ଡିଜିଟାଲ୍‌ରେ ପ୍ରସାରଣ କରାଯାଇଥିବା ଖବରଟିକୁ…

ତେବେ ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨ଟି ଡପଲର୍ ରାଡାର କାର୍ଯ୍ୟ କରୁଛି । ଆଗାମୀ ଦିନରେ ଆଉ ୩ଟି ନୂଆ ଡପଲର୍ ରାଡାର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ବାଲେଶ୍ୱରରେ ଏକ ଡପଲର୍ ରାଡାର ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି । ଯାହା ଆଗାମୀ କିଛି ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏକ ଡପଲର୍ ରାଡାରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ପୁରୀ ଠାରେ ମଧ୍ୟ ଏକ ନୂଆ ଡପଲର୍ ରାଡାର ନିର୍ମାଣ ପାଇଁ ଯୋଜନା ରହିଛି ।

ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ପାଣିପାଗର ପୂର୍ବାନୁମାନ କରିବା ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ସହଜ ଓ ନିଖୁଣ ହୋଇପାରିବ । ଡପଲର୍ ରାଡାର ସଂଖ୍ୟା ବୃଦ୍ଧି ହେଲେ ବିଶେଷ କରି ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ସଠିକ୍ ସୂଚନା ମିଳିପାରିବ ।

ଶୁଣନ୍ତୁ କ’ଣ କହୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…