ଭୁବନେଶ୍ୱର ୨୭।୦୫ : ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲେ। ଦାମୀ କାରରେ ସବୁଆଡ଼େ ବୁଲୁଥିଲେ । ପାର୍ଟି, କ୍ଲବ୍‌, ପବ୍‌ରେ ନନ୍‌ଷ୍ଟପ୍‌  ନାଚକୁଦରେ ରାତି ବିତୁଥିଲା। ଜଣେ ଯୁବ ଠିକାଦାରଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ । ଏମିତି ହାଇପ୍ରୋଫାଇଲ୍‌ ଜୀବନଶୈଳୀରେ ରହୁଥିବା ଜଣେ ଯୁବତୀ ଶେଷରେ ଜୀବନ  ହାରିଛନ୍ତି ।

ମନିଷା  ଓରଫ୍‌ ଗୋଲ୍ଡି(୩୪) । ତାଙ୍କ ଘର ଭଦ୍ରକ ବାସଦେବପୁର ଅଞ୍ଚଳରେ। ପାହାଳ ଅଞ୍ଚଳର ଭଡ଼ା ଘରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ପାହାଳ ଥାନା ପୁଲିସ ସୂଚନା  ମୁତାବକ, ବିଷ୍ଣୁ ବିହାରରେ ଦୀର୍ଘ ବର୍ଷ ଧରି ଭଡ଼ାସୂତ୍ରରେ ରହୁଥିଲେ ଗୋଲ୍ଡି। ତାଙ୍କ ପରିବାର ଧନୀକ ଶ୍ରେଣୀୟ । ପ୍ରାୟ ୫ବର୍ଷ  ତଳେ ପରିବାର ଲୋକଙ୍କ ସହ ସମ୍ପର୍କରେ  ତିକ୍ତତା ହୋଇଥିଲା । ସେଥିପାଇଁ ଗୋଲ୍ଡି  ପୈତୃକ ଘରକୁ ଅଧିକାଂଶ ସମୟରେ ଯାଉ ନଥିଲେ। ସେହି ଭଡ଼ା ଘରେ ତାଙ୍କ ସହ ଜଣେ ଠିକାଦାର ଲିଭ୍‌-ଇନ୍‌ରେ ରହୁଥିଲେ। ଯୁବକଙ୍କ ଘର କଟକ ଜଗତପୁରରେ। କଟକ ଏକ କ୍ଲବ୍‌ରେ ଉଭୟଙ୍କ ଚିହ୍ନା ପରିଚିତ ହୋଇଥିଲା।  

Also Read:-Drew McIntyre Vs Vaibhav Sooryavanshi: RR ଜର୍ସିରେ ଦେଖାଗଲେ WWE ରେସଲର୍ ଡ୍ରୁ ମ୍ୟାକଇଣ୍ଟାୟର୍, ବୈଭବଙ୍କୁ କହିଲେ ‘Chosen One’

ପୋଲିସକୁ ଯୁବକ ଦେଇଥିବା ବୟାନ  ମୁତାବକ, ସୋମବାର ସକାଳ ୯ଟାରେ ସେ କୌଣସି କାମରେ କଟକ ଯାଇଥିଲେ। ସେତେବେଳେ ଗୋଲ୍ଡିଙ୍କ ହାବଭାବ ଠିକ୍‌ଠାକ୍‌ ଥିଲା। ଗୋଲ୍ଡି ହସହସ ମୁହଁରେ ବିଦା କଲେ। ଠିକ୍‌ ସନ୍ଧ୍ୟା ୭ଟାରେ ସୂର୍ଯ୍ୟ ଘରେ ପହଞ୍ଚିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା। ଅନେକ ଥର ଡାକିବା ସତ୍ତେ୍ୱ ଗୋଲ୍ଡି  କବାଟ ଖୋଲିଲେନି। ଶେଷରେ ପୋଲିସ, ପଡ଼ୋଶୀ ଓ ଅନ୍ୟ ସମ୍ପର୍କୀୟମାନଙ୍କୁ ସୂର୍ଯ୍ୟ  ଘଟଣା ସମ୍ପର୍କରେ ଜଣାଇଲେ। ରାତି ୧୧ଟାରେ ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗାଗଲା। ଗୋଲ୍ଡି ଏକ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲିପଡି଼ଥିବା ସଭିଏଁ ଦେଖି  ଆଚମ୍ବିତ ହୋଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସକାଳେ ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ  ପଠାଯାଇଥିଲା। ଶବ ପଞ୍ଚନାମାରୁ ଏହା  ଆତ୍ମହତ୍ୟା ବୋଲି ପୋଲିସ ଠଉରାଇଛି। ପୋଲିସ ୫୫/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତେବେ ଆଶ୍ଚର୍ଯ୍ୟର କଥା ହେଲା, ପରିବାର ଲୋକ ଏତଲା କପିରେ ପୁରୁଷବନ୍ଧୁଙ୍କ ସମ୍ପର୍କରେ ଧାଡି଼ଟିଏ ବି ଲେଖିନାହାନ୍ତି । ପୁରୁଷବନ୍ଧୁ ଜଣକ ଗୋଲ୍ଡିଙ୍କ ସ୍ୱାମୀ ନୁହନ୍ତି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋଲ୍ଡିଙ୍କ ସାଙ୍ଗ ସୋନିଆ ସାହୁଙ୍କ କହିବା ମୁତାବକ, ଆମ  ଗୋଲ୍ଡି କେବେ ବି ଆତ୍ମହତ୍ୟା କରିପାରିବନି। ଝୁଲନ୍ତା ମୃତଦେହର ଆଣ୍ଠୁ ତଳକୁ ଅଛି। ଅନ୍‌ଲାଇନ୍‌ରୁ ଅର୍ଡର କରିଥିବା ଖାଦ୍ୟ ବି ମୃତଦେହ ପାଖରେ ଅଛି। ଏହା ପଛରେ କିଛି ନା କିଛି ରହସ୍ୟ ରହିଛି । ପୋଲିସ ତଦନ୍ତରୁ ଜଣାପଡି଼ଛି ଯେ ୮ ମାସ ତଳୁ ଗୋଲ୍ଡି ଏଚ୍‌ଆର୍‌ ଭାବେ ଚାକିରି  କରୁଥିବା ଏକ ଘରୋଇ ସଂସ୍ଥାକୁ ଛାଡି ସାରିଛନ୍ତି । ସେବେଠୁ ମାନସିକ ସ୍ତରରେ ଭାଙ୍ଗି ପଡି଼ଥିଲେ। ବାପା ବି. ଜେନା ବି ଝିଅ  ସହ ଆଦୌ କଥା ହେଉନଥିଲେ। ପରିବାର  ଲୋକ କାଁ ଭାଁ ଫୋନ୍‌ରେ କଥା ହେଉଥିଲେ। ଟଙ୍କା ପାଇଁ ପୁରୁଷ ବନ୍ଧୁଙ୍କ ସହ ମଧ୍ୟ ବିଗତ  ଦିନରେ ଝଗଡା଼ ହୋଇଥିଲା । ଏହିସବୁ କାରଣ  ଯୋଗୁ ଗୋଲ୍ଡି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।