ନ୍ୟୁୟର୍କ: ଜାତିସଂଘ ସାଧାରଣ ସଭାରେ ସମ୍ବୋଧନ କଲା ବେଳେ ହଟହଟା ହେଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଗୁରୁବାର ନ୍ଯୁୟର୍କର ସାଧାରଣ ସଭାରେ ସେ ସମ୍ବୋଧନ କରିବାକୁ ପୋଡିୟମକୁ ଉଠିବା ବେଳେ ପ୍ରବଳ ନାରାବାଜୀ ହୋଇଥିଲା। ସେ ଭାଷଣ ଦେବା ବେଳକୁ ଏକାଧିକ କୂଟନୀତିଜ୍ଞ ସଭା ଛାଡ଼ି ଚାଲିଯାଇଥିଲେ। ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କକୁ କବ୍ଜା କରିବାରେ ଇସ୍ରାଏଲ ନୀତିକୁ ଡିପ୍ଲୋମାଟମାନେ ବିରୋଧ କରିଥିଲେ।

ତେବେ କିଛି ଡିପ୍ଲୋମାଟ୍ ସଭା ଛାଡ଼ି ଚାଲିଥିବା ବେଳେ ଆଉ କିଛି ନେତନ୍ୟାହୁଙ୍କ ଭାଷଣରେ ତାଳିମାରି ତାଙ୍କୁ ଉତ୍ସାହିତ କରିଥିଲେ। ଛିଡ଼ା ହୋଇ କରତାଳି ଦେଇ ଅନ୍ୟମାନଙ୍କୁ "ଆମ୍ ୟିସ୍ରାଏଲ୍ ଚାଇ" (Am Yisrael Chai) ବୋଲି ଘୋଷଣା କରୁଥିବାର ଶୁଣିବାକୁ ମିଳିଥିଲା। ଏହା ଏକ ହିବ୍ରୁ ବାକ୍ୟାଂଶ ଯାହାର ଅର୍ଥ ହେଉଛି "ଇସ୍ରାଏଲର ଲୋକମାନେ ଏବେ ବି ବଞ୍ଚି ରହିଛନ୍ତି"।

ସେପଟେ ସଭା ଛାଡ଼ି ଚାଲିଯାଉଥିବା ଲୋକଙ୍କୁ ନେତାନ୍ୟାହୁ ତୁରନ୍ତ କଟାକ୍ଷ କରିଥିଲେ। ନିଜ ଭାଷଣ ଆରମ୍ଭ କରିବା ସମୟରେ ସେ କହିଥିଲେ, "ଯଦି ଆଉ କୌଣସି ନୈତିକ ଦୃଷ୍ଟିକୋଣରୁ କାପୁରୁଷ ବ୍ୟକ୍ତି ଏହି ହଲ୍ରୁ ବାହାରି ଯାଇନାହାନ୍ତି, ତେବେ ଦୟାକରି ବର୍ତ୍ତମାନ ହିଁ ଚାଲିଯାଆନ୍ତୁ।"

ଜାତିସଂଘ ସାଧାରଣ ପରିଷଦରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାଷଣ ସମୟରେ ଇରାନ, କତାର, ତୁର୍କୀ ଓ ସିରିଆକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଇରାନର ପରମାଣୁ କାର୍ଯ୍ୟକ୍ରମ ବିରୋଧରେ ଇସ୍ରାଏଲ୍ ଓ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସେ ସମର୍ଥନ କରିଥିଲେ।

‘ଇରାନ ଉପରେ ଆକ୍ରମଣ ପାଇଁ ଗୁପ୍ତରେ ଧନ୍ୟବାଦ ଦେଇଥିଲେ’

ତେବେ ଭାଷଣ ବେଳେ ଯେଉଁମାନେ ହଲ୍ ଛାଡ଼ି ପଳାଇଥିଲେ ନେତାନ୍ୟା ସେମାନଙ୍କୁ କଟାକ୍ଷା କରି କହିଛନ୍ତି ଯେଉଁ ଦେଶଗୁଡ଼ିକର ପ୍ରତିନିଧିମାନେ ତାଙ୍କ ଭାଷଣ ସମୟରେ ହଲ୍ରୁ ବାହାରିଯାଇଥିଲେ, ସେମାନଙ୍କ ମଧ୍ୟରୁ କିଛି ଦେଶର ନେତା ଗୁପ୍ତ ଭାବେ ଇସ୍ରାଏଲ୍କୁ ଧନ୍ୟବାଦ ଦେଇଛନ୍ତି। ନେତାନ୍ୟାହୁଙ୍କ ଭାଷଣ ଶୁଣିବା ପରେ ହଲରେ ଉପସ୍ଥିତି ଥିବା ଡିପ୍ଲୋମାଟମାନେ ହସିଥିଲେ।

Also Read- ଭାରତ ମହାସାଗରରେ ହେବ ଯୁଦ୍ଧ : ଚେତାବନୀ ଦେଲା ଇରାନ, ତୈଳ ଜାହାଜ ଉପରେ କରିବ ଆକ୍ରମଣ !

ଇରାନର ପରମାଣୁ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥ ବୋଲି ଦର୍ଶାଇ ନେତାନ୍ୟାହୁ କହିଛନ୍ତି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଧ୍ୱଂସ କରିବାର ନିଷ୍ପତ୍ତି କଠିନ ଥିଲା, କିନ୍ତୁ ତାଙ୍କ ମତରେ ଏହା ଆବଶ୍ୟକ ଥିଲା। ତାଙ୍କ ଦାବି ଅନୁସାରେ, ଇସ୍ରାଏଲ୍ ଓ ଆମେରିକା ଯଦି କାର୍ଯ୍ୟାନୁଷ୍ଠାନ ନେଇନଥାନ୍ତେ, ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରିଥାନ୍ତା।

ଏହି ପ୍ରସଙ୍ଗରେ ସେ ବ୍ରିଟେନ୍ ଓ ଫ୍ରାନ୍ସର ଇସ୍ରାଏଲ୍ ବିରୋଧୀ ସମାଲୋଚନାକୁ ମଧ୍ୟ ଟାର୍ଗେଟ୍ କରିଥିଲେ। ଦୁଇ ଦେଶ ଇସ୍ରାଏଲ୍କୁ ‘ଉପନିବେଶବାଦ’ ଅଭିଯୋଗ କରୁଥିବା କହି ସେ ଏହାର ପ୍ରତିବାଦ କରିଥିଲେ।

ଇରାନ ପ୍ରତିନିଧିଙ୍କ ଖାଲି ଆସନ

ନେତାନ୍ୟାହୁଙ୍କ ଭାଷଣ ସମୟରେ ଇରାନର ପ୍ରତିନିଧିମାନେ ସଭାକକ୍ଷ ଛାଡ଼ି ଯାଇଥିଲେ। ଇରାନର ଖାଲି ଆସନରେ ପୂର୍ବତନ କୁଦ୍ସ ଫୋର୍ସ କମାଣ୍ଡର କାସିମ୍ ସୋଲେମାନିଙ୍କ ଫଟୋ ରଖାଯାଇଥିବା ଦେଖାଯାଇଥିଲା।

ସୋଲେମାନିଙ୍କୁ ୨୦୨୦ ଜାନୁଆରୀ ୩ରେ ବାଗଦାଦ ବିମାନବନ୍ଦର ନିକଟରେ ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ହତ୍ୟା କରାଯାଇଥିଲା। ସେତେବେଳେ ଆମେରିକା ପକ୍ଷରୁ କୁହାଯାଇଥିଲା ଯେ, ସୋଲେମାନି ଆମେରିକୀୟ କର୍ମଚାରୀଙ୍କ ବିରୋଧରେ ଆକ୍ରମଣର ଯୋଜନା କରୁଥିଲେ।

ସିରିଆ ରାଷ୍ଟ୍ରପତିଙ୍କୁ ମଧ୍ୟ ନିଶାନା

ଗୋଲାନ୍ ହାଇଟ୍ସକୁ ନେଇ ସିରିଆ ରାଷ୍ଟ୍ରପତି ଅହମଦ ଅଲ୍-ଶାରାଙ୍କୁ ମଧ୍ୟ ନେତାନ୍ୟାହୁ ଟାର୍ଗେଟ୍ କରିଥିଲେ। ୧୯୬୭ ମସିହାର ଯୁଦ୍ଧକୁ ଉଲ୍ଲେଖ କରି ସେ କହିଥିଲେ ଯେ, ସେତେବେଳେ ଇସ୍ରାଏଲ୍କୁ ନିଜ ଧ୍ୱଂସ ଚାହୁଁଥିବା ଦେଶଗୁଡ଼ିକ ଘେରି ରହିଥିଲେ। ଅଲ୍-ଶାରାଙ୍କୁ ସମ୍ବୋଧନ କରି ନେତାନ୍ୟାହୁ କହିଥିଲେ ଯେ, ଇହୁଦୀମାନଙ୍କର ଗୋଲାନ୍ ହାଇଟ୍ସ ସହ ପୁରୁଣା ଐତିହାସିକ ସମ୍ପର୍କ ରହିଛି। ଅନ୍ୟପକ୍ଷରେ, ଅଲ୍-ଶାରା ଗୋଲାନ୍ ହାଇଟ୍ସକୁ ସିରିଆର ଅଂଶ ବୋଲି ଦାବି କରିଛନ୍ତି। ୨୦୧୯ରେ ଆମେରିକା ଗୋଲାନ୍ ହାଇଟ୍ସ ଉପରେ ଇସ୍ରାଏଲ୍ର ସାର୍ବଭୌମତ୍ୱକୁ ସ୍ୱୀକୃତି ଦେଇଥିଲା।

Also read- ମାନବ ନିୟନ୍ତ୍ରଣରେ ରହୁ AI ବିକାଶ: ହ୍ୱାଇଟ୍ ହାଉସରେ ଜିନପିଙ୍ଗଙ୍କ ବଡ଼ ବୟାନ

ପେଜର ଦେଖାଇ ହିଜବୁଲ୍ଲାକୁ ଟାର୍ଗେଟ୍

ଲେବାନନର ହିଜବୁଲ୍ଲା ବିରୋଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ମନେ ପକାଇ ନେତାନ୍ୟାହୁ ୨୦୨୪ର ପେଜର ବିସ୍ଫୋରଣ ଘଟଣାର ଉଲ୍ଲେଖ କରିଥିଲେ। ଭାଷଣ ସମୟରେ ସେ ଏକ ପେଜର ମଧ୍ୟ ଦେଖାଇଥିଲେ।

ହିଜବୁଲ୍ଲାର ବ୍ୟାପକ ରକେଟ୍ ଓ କ୍ଷେପଣାସ୍ତ୍ର ଭଣ୍ଡାର ଇସ୍ରାଏଲ୍ର ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିବା ପାଇଁ ଥିଲା ବୋଲି ନେତାନ୍ୟାହୁ ଦାବି କରିଥିଲେ। ଇସ୍ରାଏଲ୍ର ଅଭିଯାନରେ ହିଜବୁଲ୍ଲାର ନେତୃତ୍ୱ ଓ ଅସ୍ତ୍ରଶସ୍ତ୍ର କ୍ଷମତା ଉପରେ ବଡ଼ ପ୍ରଭାବ ପଡ଼ିଥିବା ମଧ୍ୟ ସେ କହିଥିଲେ।

ଟ୍ରମ୍ପଙ୍କୁ ପ୍ରଶଂସା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେତାନ୍ୟାହୁ ପ୍ରଶଂସା କରିଥିଲେ। ଇରାନ ବିରୋଧରେ ଇସ୍ରାଏଲ୍ ସହ ଠିଆ ହେବା ପାଇଁ ସେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ। ନେତାନ୍ୟାହୁ କହିଥିଲେ ଯେ, ଇରାନର ନେତୃତ୍ୱକୁ ଯଦି ଚ୍ୟାଲେଞ୍ଜ କରାଯାଇନଥାନ୍ତା, ତେବେ ଏହା ଆମେରିକା, ଇସ୍ରାଏଲ୍ ଏବଂ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିପାରିଥାନ୍ତା। ଇସ୍ରାଏଲ୍ ଓ ଆମେରିକା ମିଳିତ ଭାବେ ନିଜକୁ ସୁରକ୍ଷା କରିବା ସହ ବିଶ୍ୱକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ସେ ଦାବି କରିଥିଲେ।

କତାର ଓ ତୁର୍କୀ ଉପରେ ଅଭିଯୋଗ

କତାର ଓ ତୁର୍କୀକୁ ମଧ୍ୟ ନେତାନ୍ୟାହୁ ତୀବ୍ର ଭାବେ ସମାଲୋଚନା କରିଥିଲେ। କତାର ଇସ୍ରାଏଲ୍ ବିରୋଧରେ ପ୍ରଚାର ପାଇଁ ଦୀର୍ଘ ସମୟ ଧରି ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ସେ ଅଭିଯୋଗ କରିଥିଲେ। ଆମେରିକାର ବିଶ୍ୱବିଦ୍ୟାଳୟ ଓ ମିଡିଆ ମାଧ୍ୟମରେ ମଧ୍ୟ କତାର ପ୍ରଭାବ ବଢ଼ାଇଛି ବୋଲି ସେ ଦାବି କରିଥିଲେ।

ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନଙ୍କୁ ମଧ୍ୟ ନେତାନ୍ୟାହୁ ଟାର୍ଗେଟ୍ କରିଥିଲେ। ଏର୍ଦୋଗାନ ଇସ୍ରାଏଲ୍ ବିରୋଧରେ ଭୁଲ୍ ଓ ଇହୁଦୀ ବିରୋଧୀ ଦାବି ପ୍ରଚାର କରୁଥିବା ନେତାନ୍ୟାହୁ ଅଭିଯୋଗ କରିଥିଲେ। ତୁର୍କୀ ସରକାରଙ୍କ ମାନବାଧିକାର ଓ ଆଞ୍ଚଳିକ ନୀତିକୁ ନେଇ ମଧ୍ୟ ସେ ଅନେକ ଅଭିଯୋଗ ଆଣିଥିଲେ।

ନେତାନ୍ୟାହୁଙ୍କ ଏହି ଭାଷଣ ଏପରି ସମୟରେ ଆସିଛି, ଯେତେବେଳେ ଇରାନ ଓ ଇସ୍ରାଏଲ୍ର ସଂଘର୍ଷ, ଗାଜା ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ତଣାପୋଡ଼କୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜାରି ରହିଛି।