ନୂଆଦିଲ୍ଲୀ:  Flydubai ବିମାନରେ ଘଟିଥିବା ଘଟଣା ଲାଗି ଯେଉଁମାନେ ଦାୟୀ ସେମାନଙ୍କୁ ଶାସ୍ତି ମିଳିବ  । ଏନେଇ କଡ଼ ଚେତବାନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଏହି ବିମାନରେ ଓମାନୀ ସହ-ପାଇଲଟ୍ ଜଣକ କ୍ୟାପଟେନ୍‌‌ଙ୍କୁ ମାରଣାତ୍ମକ ଆକ୍ରମଣ କରି ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିଲା। ତେବେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଛାର ଗୁରୁତର ଆହତ ହୋଇ ମଧ୍ୟ ଅସୀମ ସାହସ ଦେଖାଇ କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ । ଫଳରେ ଯାତ୍ରୀମାନେ ଅଭିଯୁକ୍ତକୁ କାବୁ କରିନେଇଥିଲେ। 

ଏହି ଘଟଣାକୁ ନେଇ ନେତାନ୍ୟାହୁ କହିଛନ୍ତି ଯେ, ଆକ୍ରମଣକାରୀ ସହ-ପାଇଲଟ୍ ଜଣକ ଆତଙ୍କବାଦୀ କଟ୍ଟରପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲା ଏବଂ ସମସ୍ତ ଯାତ୍ରୀଙ୍କ ଜୀବନ ନେବା ଉଦ୍ଦେଶ୍ୟରେ ଏହି ଯୋଜନା କରିଥିଲା। ଯଦି କୌଣସି ସଂଗଠନ କିମ୍ବା ଦେଶ ତାକୁ ଏଥିପାଇଁ ପଠାଇଥାଏ, ତେବେ ସେମାନଙ୍କୁ ଏହାର ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । 

ଅନ୍ୟପଟେ, ଏହି ଘଟଣାରେ ଇରାନର ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କଡ଼ା ଚେତାବନୀ ଜାରି କରିଛନ୍ତି। ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ, ଯଦି ଏହି ହାଇଜ୍ୟାକ୍ ଉଦ୍ୟମ ପଛରେ ଇରାନର ହାତ ଥିବା ପ୍ରମାଣିତ ହୁଏ, ତେବେ ତାହା ବିରୋଧରେ ଅତ୍ୟନ୍ତ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ପେଣ୍ଟାଗନ୍ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ସୁରକ୍ଷା ବୃଦ୍ଧି କରିବା ପାଇଁ ସାଉଦି ଆରବ ଏବଂ କାତାରରେ ପାଟ୍ରିଅଟ୍ ମିସାଇଲ୍ ସିଷ୍ଟମ୍ ମୁତୟନ କରିଛି। ଏହା ସହିତ ଆମେରିକା ନିଜର ଏୟାରକ୍ରାଫ୍ଟ କ୍ୟାରିଅର୍ 'USS ଥିଓଡୋର ରୁଜଭେଲ୍ଟ' ଏବଂ ଅତିରିକ୍ତ ସେନାବାହିନୀକୁ ମଧ୍ୟପ୍ରାଚ୍ୟ ଆଡ଼କୁ ପଠାଇ ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି।