ନୂଆଦିଲ୍ଲୀ: ନିଜର ଅସୀମ ସାହସିକତା ଲାଗି ବିଶ୍ବ ମଞ୍ଚରେ ପ୍ରଶଂସାର ପାତ୍ର ପାଲଟିଥିବା ପାଇଲଟ୍‌ ସ୍ମିତ ମଚ୍ଛାର ବଡ଼ ଖୁଲାସା କରିଛନ୍ତି । ତାଙ୍କ ଉପରେ ଆକ୍ରମଣ ପରେ, ସେ ବିମାନ ସମେତ ଯାତ୍ରୀଙ୍କୁ ସୁରକ୍ଷିତ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ଆଉ ଏହି ସମୟରେ ତାଙ୍କୁ ସାହା ହୋଇଥିଲେ ସଙ୍କଟମୋଚକ ପ୍ରଭୁ ହନୁମାନ ! ସେ ଏହି ବିପଦ ସମୟରେ ହନୁମାନ ଚାଳିଶା ପାଠ କରୁଥିଲେ । ଜୀବନ- ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସେ ହନୁମାନ ଚାଳିଶା ପାଠ କରୁଥିଲେ ବୋଲି କହିଛନ୍ତି କ୍ୟାପ୍ଟେନ ମଚ୍ଛାର । 

ଫ୍ଲାଇଦୁବାଇ (Flydubai) ବିମାନକୁ ହାଇଜ୍ୟାକ୍ ପାଇଁ ହୋଇଥିବା ଉଦ୍ୟମକୁ ପଣ୍ଡ କରି ୧୮୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର ସାରା ବିଶ୍ୱରେ ପ୍ରଶଂସିତ ହୋଇଛନ୍ତି। କକପିଟ୍‌ରେ ସହ-ପାଇଲଟ୍ (ଓମାନୀ ନାଗରିକ) ଜଣକ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ମାରାତ୍ମକ ଆକ୍ରମଣ କରିଥିଲେ। ଗମ୍ଭୀର ଆହତ ହୋଇଥିଲେ ମଧ୍ୟ ମଚ୍ଛାର ହାର ନମାନି ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ କରିଥିଲେ ।  ଶେଷ ମୁହୂର୍ତ୍ତରେ କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଦ୍ୱାର ଖୋଲିବା ମାତ୍ରେ ଯାତ୍ରୀମାନେ ଭିତରକୁ ପଶି ଆକ୍ରମଣକାରୀ ସହ-ପାଇଲଟ୍‌କୁ କାବୁ କରିନେଇଥିଲେ।

ଅକ୍ଟୋବର ୨, ୨୦୨୬ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ବେଳେ କ୍ୟାପ୍ଟେନ ମଚ୍ଛାର କହିଛନ୍ତି ଯେ, ସେହି ସଙ୍କଟ ସ୍ଥିତିରେ ସେ  'ହନୁମାନ ଚାଳିଶା' ପାଠ କରୁଥିଲେ। ନିଜର ୧୭ ବର୍ଷର ବିମାନ ଚାଳନା ଅନୁଭବ ଯୋଗୁଁ ଆଖି ବୁଜି ହୋଇଯାଉଥିଲେ ମଧ୍ୟ ବିମାନଟି ତଳକୁ ଖସୁଥିବା ସେ ଅନୁଭବ କରିପାରିଥିଲେ। ନିଜ ଜୀବନ ବଞ୍ଚାଇବା ସହ ଅନ୍ୟ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ନିଜର କର୍ତ୍ତବ୍ୟ ବୋଲି ଭାବି ସେ ଶେଷ ଚେଷ୍ଟା କରି କକପିଟ୍ ଦ୍ୱାର ଖୋଲିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇ ସେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ନିଜର ଆଦର୍ଶ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାପ୍ଟେନ ମଚ୍ଛାରଙ୍କ ଧୈର୍ଯ୍ୟ, ସାହସ ଏବଂ ତତ୍କାଳ ନିଷ୍ପତ୍ତି ନେବାର କ୍ଷମତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ୟାପ୍ଟେନଙ୍କ ଏହି ଅତୁଳନୀୟ ସାହସିକତା ୧୪୦ କୋଟି ଭାରତୀୟଙ୍କ ଗୌରବ ବଢ଼ାଇଛି ଏବଂ ସାରା ଦେଶ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଘଟଣା ପରେ ସାଉଦି ଆରବର ତବୁକ‌ରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇ ମଚ୍ଛାରଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ୟୁଏଇ (UAE) ସ୍ଥାନାନ୍ତରିତ କରାଯାଇଛି। ସେ ସାଉଦି ଆରବ ଏବଂ ୟୁଏଇ ସରକାରଙ୍କ ସହାୟତା ପାଇଁ କୃତଜ୍ଞତା ଜଣାଇବା ସହ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ।