କାଠମାଣ୍ଡୁ: ନେପାଳ ବିନାଶକାରୀ ବନ୍ୟାର ସପ୍ତାହକ ପରେ ବି ହଜାର ହଜାର ଲୋକେ ନିଜ ଆତ୍ମୀୟଙ୍କୁ ଖୋଜୁଛନ୍ତି। ବନ୍ୟା ସୁଅରେ ଅନେକ ଘର ଓ ଗାଁ ଭାସିଯାଇଛି। ବହୁ ସଂଖ୍ୟାରେ ଲୋକଙ୍କ ଆଉ ସନ୍ଧାନ ମିଳୁନି। ଲଗାତାର ଖୋଜାଖୋଜି କରିବା ପରେ ଯେତେବେଳେ ନିଖୋଜ ଫେରିଆସିବାର ଆଶା ମଉଳିଲା ପରିଜନ ଲୋକେ ଏବେ ସେମାନଙ୍କ ଅନ୍ତ୍ୟେଷ୍ଟି କରୁଛନ୍ତି। ନିଖୋଜ ପରିଜନଙ୍କ ଆତ୍ମାର ଶାନ୍ତି ଲାଗି ଲୋକେ ପ୍ରତୀକାତ୍ମକ ଅନ୍ତ୍ୟେଷ୍ଟି ଆରମ୍ଭ କରିଦେଇଛନ୍ତି।

ଏପରି ହେଉଥିବା ଅନ୍ତିମ ସଂସ୍କାରରେ କୁଶରେ ତିଆରି ପ୍ରତିମାକୁ ନିଖୋଜ ବ୍ୟକ୍ତିର ପ୍ରତୀକ ମାନି ପୁରା ରୀତି ରିବାଜର ସହ ଅନ୍ତିମ ବିଦାୟ ଜଣାଉଛନ୍ତି ଲୋକେ। ପରିଜନଙ୍କ କହିବା କଥା ହେଉଛି ସେମାନଙ୍କୁ ଶବ ମିଳି ନାହିଁ, ହେଲେ ସେମାନେ ଚାହୁଁଛନ୍ତି ନିଖୋଜ ବ୍ୟକ୍ତି ଯେଉଁଠି ବି ଥାଆନ୍ତୁ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।

ଅନ୍ୟପଟେ ଯେଉଁ ଲୋକଙ୍କ ଶବ ମିଳିଛି ହେଲେ ଚିହ୍ନଟ ହୋଇ ପାରୁନି ସେମାନଙ୍କ ଲାଗି ପ୍ରଶାସନ ସାମୂହିକ ଅନ୍ତିମ ସଂସ୍କାର ଓ ପୋତିବାର ବ୍ୟବସ୍ଥା କରୁଛି। ଡିଏନଏ ଯାଞ୍ଚ ଲାଗି ସାମ୍ପୁଲ ସୁରକ୍ଷିତ ରଖିବା ପରେ ଅନେକ ଅଜ୍ଞାତ ଶବକୁ ବଡ଼ ଖାତ କରି ପୋତି ଦିଆଯାଇଛି। ଏଥି ଲାଗି ଜେସିବି ମେସିନର ସହାୟତା ନିଆଯାଉଛି। ଜରୁରିକାଳୀନ ଟିମ୍ ଅନୁସାରେ ଏ ପର୍ଯ୍ୟନ୍ତ ୧୧୦୦ ଲୋକଙ୍କ ଶବ ମିଳିଲାଣି। ହେଲେ ଏବେବି ୪,୫୦୦ ଲୋକେ ନିଖୋଜ ଅଛନ୍ତି। ଗତ ଅଗଷ୍ଟ ୨୬ ତାରିଖ ଦିନ ଚୀନ ସୀମା ପାଖ ନେପାଳରେ ଗ୍ଲାସିୟର ଧସିବା ଯୋଗୁ ବରଫ ପାଣି, ପଥର ଓ ମାଟି କାଦୁଅ ବନ୍ୟା ତଳକୁ ମୁହାଁଇଥିଲା। ଏହା ବ୍ୟାପକ କ୍ଷୟକ୍ଷତି କରିଛି।

ଉଦ୍ଧାରକାରୀ ଦଳ ଜଳବିଦ୍ୟୁତ ପ୍ରକଳ୍ପ ସୁଡ଼ଙ୍ଗରେ ତଲାସ ଅଭିଯାନ ଜାରି ରଖିଛନ୍ତି। ଏହି ସବୁ ସ୍ଥାନରୁ କିଛି ଶବ ମିଳିଥିବାର ସୂଚନା ଆସୁଛି। ହେଲେ ଉଦ୍ଧାରକାରୀ ଦଳ ଏବେବି ଆଶା ଛାଡି ନାହାନ୍ତି। ପଙ୍କ କାଦୁଅ ହଟାଇବା ସହ ଡ୍ରିଲିଂ ଓ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ସୁଡ଼ଙ୍ଗ ପର୍ଯ୍ୟନ୍ତ ପହଞ୍ଚିବାକୁ ଉଦ୍ୟମ କରାଯାଉଛି। ନେପାଳ ବିଦେଶ ମନ୍ତ୍ରୀ ଶିଶିର ଖନାଲ ନିଖୋଜ ଲୋକଙ୍କ ମଧ୍ୟରୁ କିଛି ଜୀବିତ ମିଳି ପାରନ୍ତି ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଥି ମଧ୍ୟରେ ଭାରତକୁ ବହୁଥିବା ନଦୀରୁ ଅନୁନ୍ୟ ୧୭ଟି ଶବ ମିଳିଛି।