ନୂଆଦିଲ୍ଲୀ: କ୍ରିକେଟ୍ ଖେଳ ବେଳେ ନାଟକୀୟ ମୋଡ଼ ଆସିଲେ ଉତ୍ସାହ ଶୀର୍ଷରେ ପହଞ୍ଚିଥାଏ । ସିପିଏଲ୍ ୨୦୨୬ରେ କିଛି ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ସିପିଏଲର ଚଳିତ ସଂସ୍କରଣର ୨୩ତମ ମ୍ୟାଚରେ ଏକ ଜବରଦସ୍ତ ନାଟକୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍ ବାରବାଡୋସ୍ ଟ୍ରାଇଡେଣ୍ଟସ୍ ଏବଂ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ମଧ୍ୟରେ ଖେଳାଯାଉଥିଲା । ଏହି ମ୍ୟାଚରେ ନାଟକୀୟ ଘଟଣା ଏହା ଥିଲା ଯେ ଥାର୍ଡ ଅମ୍ପାୟର ଯେଉଁ ବ୍ୟାଟରଙ୍କୁ ପ୍ରଥମେ ଆଉଟ୍ ଦେଇଥିଲେ, ପରେ ତାଙ୍କୁ ପୁଣି ବ୍ୟାଟିଂ କରିବା ପାଇଁ ଡାକି ଆଣିଥିଲେ । ସୁଯୋଗ ମିଳିବା ପରେ ସେହି ବ୍ୟାଟ୍ସର ତାହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ଏବଂ ନିଜ ଦଳର ବିଜୟର ହିରୋ ପାଲଟିଥିଲେ ।

ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସର ଓପନର୍ ଜନସନ୍ ଚାର୍ଲସ ବାରବାଡୋସ୍ ଟ୍ରାଇଡେଣ୍ଟସ୍ ବିପକ୍ଷରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ହୋଇଥିଲେ । ୨୧୮ ରନ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଜନସନ୍ ଚାର୍ଲସ ମାତ୍ର ୪୫ଟି ବଲରୁ ୭୮ ରନର ବିସ୍ଫୋରକ ପାରି ଖେଳିଥିଲେ । ଏଥିରେ ୭ଟି ଛକା ଏବଂ ୬ଟି ଚୌକା ସାମିଲ ଥିଲା । କିନ୍ତୁ ଚାର୍ଲସଙ୍କ ଏହି ପାଳି ଦଳର ବିଜୟର କାରଣ ସାଜିନଥାନ୍ତା, ଯଦି ଚତୁର୍ଥ ଓଭରରେ ହିଁ ତାଙ୍କୁ ବରଦାନ ନ ମିଳିଥାନ୍ତା ।

ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ଇନିଂସର ଚତୁର୍ଥ ଓଭରର ପଞ୍ଚମ ବଲ୍ । ଏକ ହାଇ ଫୁଲ୍ ଟସ୍ ବଲ୍ ଥିଲା, ସେଥିରେ ଜନସନ୍ ଚାର୍ଲସ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ଥାର୍ଡ ଅମ୍ପାୟର ଚାର୍ଲସଙ୍କୁ ପ୍ରଥମେ ଆଉଟ୍ ଦେଇଥିଲେ, କିନ୍ତୁ ସେହି ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ଥାର୍ଡ ଅମ୍ପାୟରଙ୍କ ସେହି ନିଷ୍ପତ୍ତିକୁ ନେଇ ଆପତ୍ତି ଜଣାଇଥିଲା । ବିବାଦ ବଢ଼ୁଥିବା ଦେଖି ଫୁଟେଜକୁ ପୁଣି ଥରେ ରିଭ୍ୟୁ କରାଯାଇଥିଲା । ପରେ ଥାର୍ଡ ଅମ୍ପାୟର ସେହି ବଲକୁ 'ନୋ ବଲ୍' ଘୋଷଣା କରିଥିଲେ ଏବଂ ଚାର୍ଲସଙ୍କୁ ପୁଣି ବ୍ୟାଟିଂ କରିବା ପାଇଁ ଡାକିଥିଲେ ।

୨୬ ରନରେ ଆଉଟ୍ ହୋଇଥିଲେ, ଫେରିବା ପରେ ଆଉ ୫୨ ରନ୍ ଯୋଡ଼ିଲେ

ଜନସନ୍ ଚାର୍ଲସ ଯେତେବେଳେ ଆଉଟ୍ ହୋଇଥିଲେ, ସେତେବେଳେ ସେ ୩ଟି ଛକା ସହ ୨୬ ରନ୍ କରିଥିଲେ । ଅମ୍ପାୟର ତାଙ୍କୁ ପୁଣି ବ୍ୟାଟିଂ ପାଇଁ ଡାକିବାରୁ ସେ ନିଜ ସ୍କୋରରେ ଆଉ ୪ଟି ଛକା ମାରି ୫୨ ରନ୍ ଯୋଡ଼ିଥିଲେ । ଏହିପରି ଭାବେ ସେ ମୋଟ ୭ଟି ଛକା ସହ ୭୮ ରନ କରିଥିଲେ । ଚାର୍ଲସଙ୍କ ଏହି ବିସ୍ଫୋରକ ବ୍ୟାଟିଂ ମଧ୍ୟରେ ଓପନିଂ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ କରିଥିଲେ । ସେ ନିଜ ଓପନିଂ ପାର୍ଟନର କାଇଲ ମାୟର୍ସଙ୍କ ସହ ମିଶି ୧୧୨ ରନ୍ ଭାଗିଦାରୀ କରିଥିଲେ ।