ମସ୍କୋ, ୦୨/୦୯: ୟୁକ୍ରେନ ଯୁଦ୍ଧରେ ପୂରା ଡୋନବାସ କ୍ଷେତ୍ରକୁ କବଜା ନ କରି ଲଢ଼େଇ ଶେଷ କଲେ ରୁଷରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ପ୍ରଭାବଶାଳୀ ଲୋକଙ୍କ ଅସନ୍ତୋଷ ବଢ଼ିବା ଆଶଙ୍କା ରହିଛି। ଏପରିକି ପୁଟିନଙ୍କୁ କ୍ଷମତା ଚାଲିଯିବାର ଭୟ ବି ରହିଛି । ଦି ଇକୋନୋମିଷ୍ଟର ଏକ ରିପୋର୍ଟ ଅନୁସାରେ, ପୁଟିନଙ୍କୁ ଲାଗୁଛି ଯେ ନିଜ ବଡ଼ ଦାବି ପୂରଣ କରିବା ବିନା ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ରୁଷରେ ତାଙ୍କ ଦୁର୍ବଳତା ବୋଲି ବିବେଚନା କରାଯିବ। କ୍ରେମଲିନର ଏକ ନିକଟତମ ସୂତ୍ର ଅନୁସାରେ, ଯୁଦ୍ଧ ବନ୍ଦ କରିଦେଲେ ତାଙ୍କୁ ଫାଶୀରେ ବି ଝୁଲାଇ ଦିଆଯାଇପାରେ ବୋଲି ପୁଟିନ୍ ଏକଦା କହିଥିଲେ।

Also Read :- ତିନି ଦେଶ ଉପରେ ଇରାନର ଭୟଙ୍କର ଆଟାକ୍ : ଛାନିଆ ହୋଇଗଲା ଆମେରିକା !

ରିପୋର୍ଟରେ କୁହାଯାଇଛି, ଯଦି ରୁଷର ନେତା ଦୁର୍ବଳ ମନେହୁଅନ୍ତି ତେବେ ସେହି ନେତା କ୍ଷମତାରେ ରହିବା କଷ୍ଟକର ହୋଇଯାଇଥାଏ ବୋଲି ପୁଟିନ୍ ବିବେଚନା କରନ୍ତି। ଏହି କାରଣରୁ ପୁଟିନ୍ ଯୁଦ୍ଧ ବନ୍ଦ କରିବା ଲାଗି ବୁଝାମଣା କରିବାରୁ ଦୂରେଇ ରହୁଛନ୍ତି। ୟୁକ୍ରେନର ଡୋନେସ୍କ ଏବଂ ଲୁହାନସ୍କକୁ ମିଶାଇ ଡୋନବାସ୍ର ପ୍ରାୟ ୯୦ ପ୍ରତିଶତ ଭାଗକୁ ରୁଷ୍ କବଜା କରିଛି। ଏବେ ସମ୍ପୂର୍ଣ୍ଣ ଡୋନବାସକୁ କବଜା କରିବା ପୁଟିନ୍ଙ୍କ ଲକ୍ଷ୍ୟ। ୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ଏବେ ପୁଟିନଙ୍କ ପାଇଁ ସ୍ଥିତି ଜଟିଳ କରିଛି। ଯୁଦ୍ଧ ଜାରି ରହିବା ଯୋଗୁ ୟୁକ୍ରେନ୍ ଏବେ ରୁଷର ତୈଳ ଏବଂ ଶକ୍ତି ଭିତ୍ତିଭୂମି ଉପରେ ଶକ୍ତିଶାଳୀ ଆକ୍ରମଣ କରୁଛି ।

ଏହା ଦ୍ୱାରା ରୁଷ୍ ଖର୍ଜ ଲଗାତର ବଢୁଛି। ସେହିପରି ଡୋନବାସକୁ ହରାଇବା ପାଇଁ ୟୁକ୍ରେନ୍ ମଧ୍ୟ ପ୍ରସ୍ତୁତ ନୁହେଁ । ଏହା ହିଁ ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣାର ବଡ଼ ବାଧକ ସାଜୁଛି। ଯୁଦ୍ଧ ରୋକିବା ଏବେ ପୁଟିନଙ୍କ ପାଇଁ ସହଜ ମଧ୍ୟ ନୁହେଁ । ପୁଟିନଙ୍କୁ ରୁଷ ଜନସାଧାରଣଙ୍କ ଅପେକ୍ଷା ପ୍ରଭାବଶାଳୀ ଲୋକଙ୍କ ଚିନ୍ତା ଅଧିକ। ଏଷ୍ଟୋନିଆ ଗୁଇନ୍ଦା ମୁଖ୍ୟ କଉପୋ ରୋସିନଙ୍କ ମୁତାବକ, ଏହି ପ୍ରଭାବଶାଳୀ ଲୋକେ ଏବେ ଯୁଦ୍ଧରେ ସମ୍ପୂର୍ଣ୍ଣ ବିଜୟ କଥା ଆଲୋଚନା କରୁନାହାନ୍ତି। ବରଂ ଠିକ୍ ଢଙ୍ଗରେ କିପରି ଯୁଦ୍ଧ ଶେଷ ହୋଇପାରିବ ତାହା ଚର୍ଚ୍ଚା ହେଉଛି। ସେହିପରି ୫ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ରୁଷ୍ କ’ଣ ହାସଲ କରିଛି ତାହାର ହିସାବ ମଧ୍ଯ ଚାଲିଛି ।