ଅଙ୍କାରା: ଇସ୍ତାନାବୁଲ ସିଲିଭରି ଜିଲ୍ଲା ନିକଟରେ ବୁଧବାର ସକାଳେ ମରମାରା ସମୁଦ୍ରରେ ଦୁଇଟି ବାଣିଜ୍ୟିକ ପୋତ ମଧ୍ୟରେ ଧକ୍କା ଲାଗିଛି। ଫଳରେ ଗୋଟିଏ ଜାହାଜ ବୁଡି ଯାଇଥିବା ବେଳେ ଏଥିରେ ଥିବା ୧୦ ଜଣିଆ ଚାଳକ ଦଳ ସଦସ୍ୟ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ନିମନ୍ତେ ତୁର୍କିଏ କୋଷ୍ଟଗାର୍ଡର ୧୪ଟି ଜାହାଜ ଓ ଗୋଟିଏ ହେଲିକପ୍ଟରକୁ ମୁତୟନ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଉଭୟ ଜାହାଜ ତୁର୍କିଏର ବୋଲି ଜଣାପଡିଛି।

ସୂଚନା ଅନୁସାରେ ସ୍ଥାନୀୟ ସମୟ ଭୋର ୩ଟା ବେଳେ ପାଖାପାଖି ୩ ହଜାର ଟନ ଇଞ୍ଜିନ ଅଏଲ ନେଇ ଯାଉଥିବା କେମିକାଲ ଟ୍ୟାଙ୍କର ‘ଅଲସୁ’ ଓ ୪,୨୦୦ ଟନ କଏଲ୍ଡ ଷ୍ଟିଲ ବୋଝେଇ ବଲ୍କ କ୍ୟାରିୟର ଟଗବେର୍କ ଇମାମୋଗ୍ଲୁ ପରସ୍ପର ସହ ଧକ୍କା ଲାଗିଥିଲେ। ଏଥିରେ ଇମାମୋଗ୍ଲୁ ବ୍ଲାକ୍ ସି ପୋର୍ଟ କରାଡେନିଜେରେଗଲି ଆଡକୁ ବଢୁଥିଲା ଅନ୍ୟପଟେ ‘ଅଲସୁ’ ଏଜିୟନ ସାଗରର ଆଲିୟାଗା ବନ୍ଦରକୁ ଯାଉଥିଲା। ତୁର୍କିଏ ସାମୁଦ୍ରିକ ବ୍ୟାପାର ପ୍ରାଧିକରଣ ଅନୁସାରେ ଭୋର ପ୍ରାୟ ୩ଟା ୨୬ ମିନିଟ୍ ରେ ଟଗବେର୍କ ଇମାମୋଗ୍ଲୁରୁ ରେସ୍କ୍ୟୁ ସେଣ୍ଟରକୁ ଏମାର୍ଜେନ୍ସୀ କଲ ମିଳିଥିଲା। ଏହାର ୧୫ ମିନିଟ୍ ପରେ ଆଲସୁ ର କ୍ୟାପ୍ଟେନ ଦୁର୍ଘଟଣା ସୂଚନା ଦେଇଥିଲେ।

ଦୁର୍ଘଟଣା ପରେ ଇମାମୋଗ୍ଲୁ ଓ ଏହାର ଚାଳକଦଳ ସଦସ୍ୟଙ୍କ ସହ ସମ୍ପର୍କ ସ୍ଥାପିତ ହୋଇ ପାରୁନାହିଁ। ରେଡିଓ କଲ ଓ ମୋବାଇଲ ଫୋନ ଲାଗୁ ନଥିବାରୁ ଅଧିକାରୀମାନେ ଜାହାଜ ବୁଡି ଯାଇଥିବାର ଅନୁମାନ କରୁଛନ୍ତି। ଇସ୍ତାନାବୁଲ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରୁ ମିଳୁଥିବା ସୂଚନା ଅନୁସାରେ ଟ୍ୟାଙ୍କର ଜାହାଜ ଆଲସୁ ର ସେପରି କୌଣସି କ୍ଷୟକ୍ଷତି ହୋଇ ନାହିଁ। ଇସ୍ତାନାବୁଲ ଚାମ୍ବର ଅଫ ମେରିଟାଇମ କମର୍ସ ଅନୁସାରେ ଟଗବେର୍କ ଇମାମୋଗ୍ଲୁ ଜାହାଜଟି ଜେବେ ଡେନିଜସିଲିକ କମ୍ପାନୀର ସେହିପରି ଆଲସୁ କୁ ଓଜପୁଲାଥାନେ ଡେନିଜ ତାସିମାସିଲିଗି ସଞ୍ଚାଳନ କରୁଛି। ନିଖୋଜ ଚାଳକଦଳ ସଦସ୍ୟଙ୍କ ସନ୍ଧାନ ଜାରି ରହିଛି।