କାଇରୋ: ଇଜିପ୍ଟର ଦକ୍ଷିଣ ସିନାଇରେ ବୁଧବାର ଏକ ଯାତ୍ରାବାହୀ ବସ୍ ଓଲଟି ପଡିଛି। ଦହାବ-ନୁଭୈବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ଇଜିପ୍ଟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଦୁର୍ଘଟଣାର ପୁଷ୍ଟି କରିଛି। ଏହି ଦୁର୍ଘଟଣା ଲୋହିତ ସାଗର ଉପକୂଳ ନିକଟରେ ଘଟିଛି। ଲୋହିତ ସାଗର ପର୍ଯ୍ୟଟଙ୍କ ମଧ୍ୟରେ ବେଶ୍ ଲୋକପ୍ରୀୟ ଓ ଏହା ଏକ ବ୍ୟସ୍ତତମ ଅଞ୍ଚଳ ଭାବେ ଜଣାଶୁଣା। ତେବେ କେଉଁ କାରଣରୁ ବସ୍ ଦୁର୍ଘଟଣା ଘଟିଛି ତାର ଯାଞ୍ଚ ଆରମ୍ଭ ହୋଇଛି।

ରାସ୍ତାରେ ବସ୍ ଓଲଟି ପଡିବା ସୂଚନା ମିଳିବାମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିବା ସହ ଉଦ୍ଧାର ଅଭିଯାନ ହାତକୁ ନେଇଥିଲେ। ଆହତମାନଙ୍କୁ ଉଦ୍ଧାର ପରେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି। ଇଜିପ୍ଟର ବଡ଼ ଧରଣର ସଡ଼କ ଦୁର୍ଘଟଣା କିଛି ନୂଆ କଥା ନୁହେଁ। ଠିକ୍ ମାସକ ପୂର୍ବରୁ ଏହିଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଇସ୍ମାଇଲିୟା ଗବର୍ନେଟରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ୩୨ ଜଣ ଆହତ ହୋଇଥିଲେ।