ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ନିଟ୍-ୟୁଜି ୨୦୨୬ ପରୀକ୍ଷାର ଜନୈକ ପ୍ରାର୍ଥୀଙ୍କୁ ତାଙ୍କ ପିଟିସନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି, ଏଥିରେ ପ୍ରାର୍ଥୀ ଅଭିଯୋଗ କରିଥିଲେ ଯେ ଆରମ୍ଭରେ ତାଙ୍କ ସ୍କୋର ୬୦୩ ଦେଖା ଯାଇଥିଲା, ହେଲେ ପରେ ବିନା କୌଣସି ସ୍ପଷ୍ଟିକରଣରେ ଏହାକୁ ହ୍ରାସ କରି ୩୨ ଅଙ୍କ କରି ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ପି.ଏସ.ନରସିମହା ଓ ଜଷ୍ଟିସ୍ ଆଲୋକ ଅରାଧେଙ୍କ ପୀଠ ଏହି ମାମଲାର ଶୁଣାଣି କରୁଥିଲେ। ଏଥିରେ ଜଷ୍ଟିସ୍ ନରସିମହା ଆବେଦନକାରୀଙ୍କୁ ସମ୍ବିଧାନର ଅନୁଚ୍ଛେଦ ୩୨ରେ ସିଧା ସୁପ୍ରିମକୋର୍ଟ ଆସିବାକୁ ତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।

ତେବେ ପୀଠ ଆବେଦନକୁ ଏହାର ଗୁଣ ଓ ଦୋଷ ପାଇଁ ଖାରଜ କରୁନଥିବା କହିଛନ୍ତି, ହେଲେ ଆବେଦନକାରୀ ତାଙ୍କ ଅଭିଯୋଗକୁ ଉଚିତ ଉଚ୍ଚନ୍ୟାୟାଳୟଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବେ ବୋଲି ପରାମର୍ଶ ଦେଇଛନ୍ତି। କୋର୍ଟଙ୍କ ଏହି ଟିପ୍ପଣୀ ପରେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ଓକିଲ ଅନୁଚ୍ଛେଦ ୩୨ରେ ଦାଖଲ ହୋଇଥିବା ପିଟିସନ ପ୍ରତ୍ୟାହାର କରିବାକୁ ନିବେଦନ କରି କହିଥିଲେ ଯେ ଏହା ଦ୍ୱାରା ଆବେଦନକାରୀ ଉଚ୍ଚନ୍ୟାୟାଳୟକୁ ଯାଇ ପାରିବେ। ସର୍ବୋଚ୍ଚନ୍ୟାୟାଳୟ ତାଙ୍କୁ ପିଟିସନ ପ୍ରତ୍ୟାହାର କରିବାକୁ ଅନୁମତି ଦେବା ସହିତ ସମ୍ବଦ୍ଧିତ ଉଚ୍ଚନ୍ୟାୟାଳୟରେ ମାମଲାକୁ ଆଗକୁ ବଢାଇବା ପାଇଁ ନିଟ-ୟୁଜି ପ୍ରାର୍ଥୀଙ୍କୁ ସ୍ୱାଧୀନ କରିଛନ୍ତି।

ତେବେ କେବଳ ଏହି ଆବେଦନକାରୀ ଏକାକୀ ଏପରି ଅଭିଯୋଗ ଆଣି ନାହାନ୍ତି। ଅନେକ ନିଟ୍-ୟୁଜି ଆବେଦନକାରୀ ଦାବି କରିଛନ୍ତି ଯେ ସେମାନଙ୍କ ଓଏମଆର ପତ୍ରରେ ଗଣନା କରିଥିବା ଅଙ୍କ ସେମାନଙ୍କ ଅନ୍ତିମ ସ୍କୋରକାର୍ଡରେ ଦେଖାଯାଇଥିବା ଅଙ୍କ ସହ ମେଳ ଖାଉ ନାହିଁ। ଏଥିରେ କିଛି ପ୍ରାର୍ଥୀ ଗୁରୁତର ଅଭିଯୋଗ କରିଛନ୍ତି। ସେମାନେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ (ଏନଟିଏ)ଙ୍କୁ ଚୂଡ଼ାନ୍ତ ଅଙ୍କର ଗଣନା କିପରି କରାଯାଇଛି ସେ ବାବଦେ ସ୍ପଷ୍ଟିକରଣ ମାଗିଛନ୍ତି। ଏହିପରି ଏକ ମାମଲା ମହାରାଷ୍ଟ୍ର୍ରର ସୋହନ ଗାଭଟେ ବମ୍ବେ ହାଇକୋର୍ଟରେ ରୁଜୁ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଓଏମଆର ଉତ୍ତର ଅନୁସାରେ ତାଙ୍କୁ ୫୨୨ ଅଙ୍କ ମିଳିବାର ଥିଲା, ହେଲେ ଏନଟିଏ ଦ୍ୱାରା ଜାରି ସ୍କୋର କାର୍ଡରେ ଏହା ମାତ୍ର ୯୫ ଦେଖା ଯାଇଛି। ଏହି ପ୍ରସଙ୍ଗ ସୋସିଆଲ ମିଡିଆରେ ଅଭିଯୋଗର ଏକ ବ୍ୟାପକ ଲହରକୁ ଜନ୍ମ ଦେଇଛି, ଯେଉଁଥିରେ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍, ଉତ୍ତରମାଳା ଓ ସ୍କୋରକାର୍ଡ ଫଟୋ ପୋଷ୍ଟ କରୁଛନ୍ତି ଓ ମୂଲ୍ୟାଙ୍କନରେ ତ୍ରୁଟିର ଅଭିଯୋଗ କରୁଛନ୍ତି। ଏଥିମଧ୍ୟରେ ଏନଟିଏ ପରୀକ୍ଷାର୍ଥୀମାନଙ୍କୁ ଅନଲାଇନରେ ପ୍ରସାରିତ ହେଉଥିବା ହେରଫେର କରାଯାଇଥିବା ଡକ୍ୟୁମେଣ୍ଟକୁ ବିଶ୍ୱାସ ନ କରିବାକୁ କହିଛନ୍ତି। ଏଜେନ୍ସୀ କହିଛନ୍ତି ଯେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା କିଛି ଓଏମଆରସିଟ୍ ଓ ସ୍କୋର କାର୍ଡ ଡିଜିଟାଲ ରୂପେ ପରିବର୍ତ୍ତିତ ଅଥବା ଏଆଇ ଦ୍ୱାରା ନିର୍ମିତ ହୋଇଛି। ତେବେ ସର୍ବୋଚ୍ଚନ୍ୟାୟାଳୟ ଆଦେଶରେ ଏହା ସ୍ପଷ୍ଟ ହୋଇପାରୁନି ଅଙ୍କରେ କଥିତ ପରିବର୍ତ୍ତନ ହୋଇଥିଲା ନା ପ୍ରାର୍ଥୀଙ୍କ ପରିଣାମରେ କୌଣସି ତ୍ରୁଟି ରହିଛି। ଆବେଦନକାରୀ ଏବେ ତାଙ୍କ ତାଙ୍କ ରେକର୍ଡ ଓ ଅଭିଯୋଗର ଯାଞ୍ଚ ପାଇଁ ଉଚ୍ଚନ୍ୟାୟାଳରେ ଆବେଦନ କରିବେ।