ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍‌ ତ୍ରୈମାସିକରେ ଭାରତର ଜିଡିପି ବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଯାହାକୁ ନେଇ ଅର୍ଥଶାସ୍ତ୍ରୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। କେତେକ ଏହାକୁ ଜବ୍ ଲେସ୍ ଗ୍ରୋଥ୍ ବୋଲି କହୁଛନ୍ତି ତ ଆଉ କେତେକ ଭରତର ଦୃଢ଼ ପ୍ରଦର୍ଶନ ବୋଲି ଦର୍ଶାଇଛନ୍ତି।

ଏହାରି ଭିତରେ ପୂର୍ବତନ ଅର୍ଥ ଓ ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କିନ୍ତୁ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏହି ଅଭିବୃଦ୍ଧି ହାରକୁ ଅଧିକ ଗଭୀର ଭାବେ ଯାଞ୍ଚ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ କାହିଁକି ଏପରି କହିଲେ ତାର ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି ଶ୍ରୀ ଗର୍ଗ। ଶ୍ରୀ ଗର୍ଗ ଜିଡିପି ବୃଦ୍ଧିର ମୁଖ୍ୟ ଆକଳନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତାଙ୍କ ମତରେ, ପ୍ରକାଶିତ ଜିଡିପି ବୃଦ୍ଧି ହାର ଦେଶର ଅର୍ଥନୀତିର ପ୍ରକୃତ ବିସ୍ତାରକୁ ଠିକ୍ ଭାବେ ପ୍ରତିଫଳିତ କରୁନାହିଁ।

ଗର୍ଗ କହିଛନ୍ତି, ୨୦୨୬-୨୭ର ପ୍ରଥମ ତ୍ରୈମାସିକର ନୋମିନାଲ୍ GDP ୮୮.୨୭ ଲକ୍ଷ କୋଟି ଟଙ୍କାକୁ ଯଦି ୨୦୨୫-୨୬ର ପ୍ରଥମ ତ୍ରୈମାସିକର ସଂଶୋଧନ ହୋଇନଥିବା ୮୬ ଲକ୍ଷ କୋଟି ଟଙ୍କା ସହ ତୁଳନା କରାଯାଏ, ତେବେ GDP ବୃଦ୍ଧି ହାର ମାତ୍ର ପ୍ରାୟ ୨.୬ ପ୍ରତିଶତ ହେବ।

ଇଂରାଜୀ ଗଣମାଧ୍ୟମ ବିଜନେସ୍ ଟୁଡେକୁ ଦେଇଥିବା ସାକ୍ଷାତକାରରେ ଗର୍ଗ କହିଛନ୍ତି, ନୂଆ ଜିଡିପି ସିରିଜ୍‌ ଅନୁଯାୟୀ ପୂର୍ବବର୍ଷର ପ୍ରଥମ ତ୍ରୈମାସିକର ପ୍ରକୃତ ଜିଡିପି ତଥ୍ୟ ଉପଲବ୍ଧ ନାହିଁ। ସେହି ତ୍ରୈମାସିକର ତଥ୍ୟ ପୁରୁଣା ସିରିଜ୍‌ ଆଧାରରେ ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ୨୦୨୫-୨୬ର ପ୍ରଥମ ତ୍ରୈମାସିକର ବୃଦ୍ଧି ହିସାବ କରିବାବେଳେ ନୂଆ ସିରିଜ୍‌ର ତଥ୍ୟକୁ ଆଧାର କରାଯାଇଛି। ଗର୍ଗଙ୍କ ମତରେ, ଆଧାର ବଦଳିଯିବାରୁ ଉଭୟ ତଥ୍ୟର ସିଧାସଳଖ ତୁଳନା କରିବା କଷ୍ଟକର। ତେଣୁ ୭.୮% ଜିଡିପି ବୃଦ୍ଧିକୁ କିଛିଟା ସତର୍କତାର ସହ ବିଶ୍ଳେଷଣ କରିବା ଆବଶ୍ୟକ।

କରେଣ୍ଟ ପ୍ରାଇସ୍ ଜିଡିପି ଉପରେ ମଧ୍ୟ ପ୍ରଶ୍ନ

ଗର୍ଗ ଆହୁରି କହିଛନ୍ତି, ୨୦୨୫-୨୬ର ପ୍ରଥମ ତ୍ରୈମାସିକର ନୋମିନାଲ୍ ଜିଡିପି ବୃଦ୍ଧି ହାର ୧୦.୩% ବୋଲି ସଂଶୋଧିତ ତଥ୍ୟରେ ଦର୍ଶାଯାଇଛି। କିନ୍ତୁ ପୂର୍ବରୁ ପ୍ରକାଶିତ କରେଣ୍ଟ ପ୍ରାଇସ୍ ତଥ୍ୟକୁ ଆଧାର କଲେ ବୃଦ୍ଧି ହାର ୨.୫%ରୁ ମଧ୍ୟ କମ୍ ହୋଇଥାନ୍ତା ବୋଲି ସେ ଦାବି କରିଛନ୍ତି।

ନୂଆ ଜିଡିପି ସିରିଜ୍‌ରେ ନୂଆ ଉତ୍ପାଦ ଓ କମ୍ପାନୀ ସାମିଲ ହେବା ସହ କିଛି ପୁରୁଣା ତଥ୍ୟ ବାଦ ପଡ଼ିପାରେ। ଏହାଦ୍ୱାରା ଉତ୍ପାଦନ ମୂଲ୍ୟରେ ପରିବର୍ତ୍ତନ ସ୍ୱାଭାବିକ। ତେବେ ପରିବର୍ତ୍ତନର ପରିମାଣ ଏତେ ବଡ଼ ହେଲେ ତାହାର କାରଣ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଗର୍ଗ କହିଛନ୍ତି।

ତାଙ୍କ ଅନୁସାରେ, ନୂଆ ସିରିଜ୍ ଆସିବା ପରେ ୨୦୨୩-୨୪ର ଜିଡିପି ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା କମିଛି। କୃଷି ଓ ଖଣି କ୍ଷେତ୍ରର ତଥ୍ୟ ବଢ଼ିଥିବାବେଳେ ମାନୁଫାକ୍ଚରିଂ, ନିବେଶ ଓ ବ୍ୟବହାର ସମ୍ପର୍କିତ ତଥ୍ୟରେ ବଡ଼ ପରିବର୍ତ୍ତନ ହୋଇଛି।

Also Read- ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ ଖୁସି ଖବର

ତେଣୁ ନୂଆ ଓ ପୁରୁଣା ଜିଡିପି ସିରିଜ୍‌ ମଧ୍ୟରେ ଏତେ ବଡ଼ ପାର୍ଥକ୍ୟ କାହିଁକି ଆସିଲା, ତାହା ସ୍ପଷ୍ଟ କରିବା ଜରୁରୀ ବୋଲି ଗର୍ଗ କହିଛନ୍ତି। ଏହି ମତାମତ ପରେ ୭.୮% ଜିଡିପି ବୃଦ୍ଧି ହାରର ବାସ୍ତବତାକୁ ନେଇ ଆର୍ଥିକ ମହଲରେ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।