ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଜିଡିପି ଆକଳନକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଉଛି । କଂଗ୍ରେସ କହିଛି ଯେ ମୋଦୀ ସରକାର ବୁଝିବା ଉଚିତ୍ ଯେ 'ପିଆର' ମାଧ୍ୟମରେ ଜିଡିପିର ଚିତ୍ର ଚମକାଯାଇପାରେ, କିନ୍ତୁ ଅର୍ଥବ୍ୟବସ୍ଥାକୁ ନୁହେଁ । ବୁଧବାର କେରଳ କଂଗ୍ରେସ ନିଜର ଏକ୍ସ  ହ୍ୟାଣ୍ଡେଲରେ ଗୋଟିଏ ବିଅର ମଗ୍‌ର ଫଟୋ ସେୟାର କରି ଜିଡିପି ବୃଦ୍ଧି ଆକଳନକୁ "ମିଛ କାହାଣୀ" ବୋଲି କହିବା ସହ ସରକାର ଦେଖେଇ ହେଉଥିବା ଅଭିଯୋଗ ଆଣିଛି । କେରଳ କଂଗ୍ରେସର ଏହି ପୋଷ୍ଟ ଉପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ପାଲଟା ଆକ୍ରମଣ କରିଛନ୍ତି । ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ନେତାମାନେ ଭାରତର ପ୍ରଗତିକୁ ନିନ୍ଦା କରିବା ନିଶାରେ ଅଛନ୍ତି କି ?

କିରେନ ରିଜିଜୁ କେରଳ କଂଗ୍ରେସର ପୋଷ୍ଟ ଉପରେ କଟାକ୍ଷ କରି କହିଛନ୍ତି, "କଂଗ୍ରେସ ଦଳ ଅଧିକ ବିଅର ପିଇବା ଯୋଗୁଁ ଗଭୀର ନଶାରେ ଅଛି, ନା କଂଗ୍ରେସ ଲୋକମାନେ ଭାରତର ପ୍ରଗତିକୁ ଅନ୍ଧ ଭାବେ ଘ୍ରୁଣା କରୁଛନ୍ତି ଯେ ସେମାନେ ବାସ୍ତବତାକୁ ଦେଖିପାରୁନାହାନ୍ତି ?"

 

କେରଳ କଂଗ୍ରେସ ପକ୍ଷରୁ ଗୋଟିଏ ବିଅର ମଗ୍‌ର ଫଟୋ ସେୟାର କରାଯାଇଥିଲା । ଯେଉଁଥିରେ 'ଅଫିସିଆଲ୍ ଜିଡିପି' ଏବଂ 'ଇଣ୍ଡିଆନ୍ ଇକୋନୋମି' ଲେଖାଯାଇଥିଲା । ଫଟୋ ସହ ଲେଖାଯାଇଥିଲା ଯେ ଏବେ ସେହି ମିଛ କାହାଣୀକୁ କେହି ବିଶ୍ୱାସ କରୁନାହାନ୍ତି । ସାରା ଦୁନିଆ ଏହି ପ୍ରତାରଣାକୁ ବୁଝିପାରୁଛି ।

Also Read: ଜଳୁଥିଲା ମଧ୍ୟପ୍ରାଚ୍ୟ, ବିକାଶ କରୁଥିଲା ଭାରତ; ପ୍ରଥମ ତ୍ରୈମାସରେ GDP ୭.୮ ପ୍ରତିଶତ, କମିଲା ଆର୍ଥିକ ନିଅଣ୍ଟ

ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶ ଦାବି କରିଛନ୍ତି ଯେ, ସରକାର ନିଜ ଟିମ୍ ଏବଂ ମିଡିଆ ମାଧ୍ୟମରେ ସଂଖ୍ୟାର ଯାଦୁକରୀ ଦେଖାଇ ପ୍ରସ୍ତୁତ କରାଯାଇଥିବା ଜିଡିପି ବୃଦ୍ଧିର ଢୋଲ ପିଟୁଛନ୍ତି । ଯାହା ବାସ୍ତବତାଠାରୁ ସମ୍ପୂର୍ଣ୍ଣ ବିପରୀତ । ସେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗଙ୍କ ଆକଳନକୁ ଦର୍ଶାଇ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଦେଶର ପ୍ରକୃତ ଜିଡିପି ବୃଦ୍ଧି ହାର ପାଖାପାଖି ୨.୬ ପ୍ରତିଶତ, ୭.୮ ପ୍ରତିଶତ ନୁହେଁ । ରମେଶ କହିଛନ୍ତି ଯେ ଆମେ ଚାହୁଁ ଅର୍ଥବ୍ୟବସ୍ଥା ସତରେ ମଜବୁତ ହେଉ, କିନ୍ତୁ ମଜବୁତ ଅର୍ଥବ୍ୟବସ୍ଥାର ରାସ୍ତା ମିଛ ମୂଳଦୁଆରେ ଗଢ଼ାଯାଇଥିବା ଆକଳନକୁ ସଜାଇବାରେ ମିଳେନାହିଁ, ବରଂ ସତ୍ୟକୁ ସ୍ୱୀକାର କରିବାରେ ମିଳିଥାଏ ।