ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ବିଦେଶ ମାଟିରେ ନିରାଶାଜନକ ପ୍ରଦର୍ଶନକୁ ନେଇ କଠୋର ଆଭିମୁଖ୍ୟ ଆପଣାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)। ଟିମ୍ ଇଣ୍ଡିଆର ସମ୍ପ୍ରତି ପରାଜୟ ଓ ଖେଳାଳିଙ୍କ ଫିଟନେସ୍ ସମସ୍ୟାକୁ ଦୃଷ୍ଟିରେ ରଖି ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଡକାଇଛି। ଏଥିପାଇଁ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ସିନିୟର ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟକୁ ଡକାଯାଇଛି।

ନିକଟରେ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ୨-୦ରେ ପରାଜୟ ସହ ଭାରତର ଦୀର୍ଘ ଦିନର ଅପରାଜେୟ ରେକର୍ଡ ଭାଙ୍ଗିଥିଲା। ଏହାପରେ ଇଂଲଣ୍ଡ ଗସ୍ତରେ ମଧ୍ୟ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୦ରେ ହରାଇଥିବା ବେଳେ ଦିନିକିଆ ସିରିଜ୍କୁ ମଧ୍ୟ ୨-୧ରେ ହାତଛଡ଼ା କରିଥିଲା।

Also Read: କେବଳ ବୁମରା ନୁହନ୍ତି, ଟିମ୍ ଇଣ୍ଡିଆରେ ଚୟନ ହୋଇଛନ୍ତି ଏହି ୪ ଆହତ ଖେଳାଳି ! ଉଠିଲା ପ୍ରଶ୍ନ

ଏହି ସମୀକ୍ଷା ବୈଠକରେ କେବଳ ପରାଜୟର କାରଣ ଖୋଜାଯିବ ନାହିଁ, ବରଂ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି, ଆଇପିଏଲ୍ରେ ଖେଳାଳିଙ୍କ ୱାର୍କଲୋଡ୍ ମ୍ୟାନେଜମେଣ୍ଟ, ଆହତ ସମସ୍ୟା ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ର କାର୍ଯ୍ୟଶୈଳୀ ଉପରେ ବିସ୍ତୃତ ଆଲୋଚନା କରାଯିବ। ଖେଳାଳିମାନଙ୍କ ବାରମ୍ବାର ଆହାତ ହେବା ଏବଂ ଫିଟନେସ୍କୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବୋର୍ଡ ଏହି କଠୋର ପଦକ୍ଷେପ ନେଇଛି।

ବୈଠକର ଏକ ବଡ଼ ପ୍ରସଙ୍ଗ ସେଣ୍ଟର ଅଫ ଏକ୍ସିଲେନ୍ସ ମଧ୍ୟ ରହିବ। କାରଣ ବର୍ଷର ଶେଷ ଆଡ଼କୁ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ଗସ୍ତ କରିବାର ଅଛି। ଏହା ପରେ ୨୦୨୭ ବିଶ୍ଵକପ୍ ମଧ୍ୟ ଭାରତୀୟ ଦଳର ବଡ଼ ପ୍ରାଥମିକତା। ଏମିତିରେ ବିସିସିଆଇ ଚାହୁଁଛି ଦଳ ପ୍ରବନ୍ଧକ, ଚୟନ କମିଟି, ଖେଳାଳି ଓ ସିଓଇ ଗୋଟିଏ ଦିନରେ ଉତ୍ତମ ସମନ୍ଵୟ ରଖି କାମ କରନ୍ତୁ।

Also  Read: ପାକିସ୍ତାନ କ୍ରିକେଟର ଶୋଚନୀୟ ସ୍ଥିତି: କୋଚ୍ ପଦ ପାଇଁ 'ଲିଙ୍କଡଇନ୍'ରେ ଦେଲା ବିଜ୍ଞାପନ

ହେଲେ ରିପୋର୍ଟ ଅନୁସାରେ ଅନେକ ଖେଳାଳି ଉପରେ ସିଓଇ ଭରସା କରି ପାରୁନି। ଖେଳାଳି, ସିଓଇ ଏବଂ ଚୟନ କମିଟି ମଧ୍ୟରେ ଆଲୋଚନା ଏବଂ ତାଳମେଳର ଅଭାବ ଥିବା ଖବର ସାମ୍ନାକୁ ଆସିଛି। ଏହି କାରଣରୁ ଖେଳାଳିଙ୍କ ଆଘାତ ସମସ୍ୟା ଏବଂ ଫିଟନେସ୍ ମ୍ୟାନେଜମେଣ୍ଟକୁ ନେଇ ବୋର୍ଡ ଏବେ ଅଧିକ ଗମ୍ଭୀର ନଜର ଆସୁଛନ୍ତି।