ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଛି ଟି-୨୦ ସିରିଜ୍। ଏଥିପାଇଁ ବିସିସିଆଇ ମଙ୍ଗଳବାର ଦଳ ଘୋଷଣା କରିଛି। ହେଲେ ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ଦଳରେ ୪ ଖେଳାଳି ଏମିତି ରହିଛନ୍ତି, ଯେଉଁମାନେ ଏ ପର୍ଯ୍ୟନ୍ତ ଫିଟ୍ ଘୋଷିତ ହୋଇ ନାହାନ୍ତି। ଏଥିରେ ଯଶପ୍ରୀତ ବୁମରା ମଧ୍ୟ ସାମିଲ୍। ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପ୍ରଥମେ ଚୟନ କରାଯାଇ ପରେ ବାଦ୍ ଦିଆଯାଇଥିଲା।

ଗତକାଲି ଜାତୀୟ ଚୟନକର୍ତ୍ତା ଦଳ ଘୋଷଣା କରିବା ସହିତ ଚାରି ଖେଳାଳି ସଂପୂର୍ଣ୍ଣ ଫିଟ୍ ହୋଇ ନ ଥିବା ସୂଚନା ଦେଇଥିଲେ। ବୁମରାଙ୍କ ସମେତ ଏହି ଚାରି ଖେଳାଳିଙ୍କ ଖେଳିବା ଫିନଟେନ୍ ମଞ୍ଜୁରୀ ଉପରେ ନିର୍ଭର କରେ। ଏହାକୁ ନେଇ ଏବେ ଟିମ୍ ଇଣ୍ଡିଆର ଚୟନ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଫିଟ୍ ନ ଥିବା ଖେଳାଳିଙ୍କୁ ଦଳରେ କାହିଁକି ଚୟନ କରାଗଲା। ଶ୍ରୀଲଙ୍କା ବିପକ୍ଷ ଗତ ଟେଷ୍ଟ ସିରିଜରେ ମଧ୍ୟ ଆହତ ସତ୍ତ୍ଵେ କିଛି ଖେଳାଳିଙ୍କୁ ଦଳରେ ଚୟନ କରାଯାଇଥିଲା। ହେଲେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଉକ୍ତ ଖେଳାଳି ଫିଟ୍ ହୋଇ ପାରି ନ ଥିଲେ। ପୁଣି ବିସିସିଆଇକୁ ବଦଳ ଖେଳାଳି ଘୋଷଣା କରିବାକୁ ପଡ଼ିଥିଲା।

Also Read: ଦଳରେ ଜାଗା ମିଳିଲାନି, ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଦେଲେ କୃଣାଳ ପାଣ୍ଡ୍ୟା ! କହିଦେଲେ ବହୁତ କିଛି...

୧. ଯଶପ୍ରୀତ ବୁମରା

ଗୋଡ଼ ଆଘାତ (ବାମ ଆଣ୍ଠୁ) ଯୋଗୁଁ ବୁମରା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରୁ ବାଦ୍ ପଡ଼ିଥିଲେ। ଏହାପରେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ମନୋନୀତ ହୋଇଥିଲେ ବି ଫିଟନେସ୍ ସମସ୍ୟା ଯୋଗୁଁ ଖେଳିପାରି ନଥିଲେ। ଏବେ ଆଫଗାନିସ୍ତାନ ସିରିଜରେ ସ୍ଥାନ ପାଇଥିଲେ ବି ତାଙ୍କୁ ଫିଟନେସ୍ ଟେଷ୍ଟ ଦେବାକୁ ପଡ଼ିବ।

୨. ହର୍ଷିତ ରାଣା

ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁ ଆଘାତ ଯୋଗୁଁ ଟି-୨୦ ବିଶ୍ୱକପ୍ ଓ ଆଇପିଏଲ୍ରୁ ବାଦ୍ ପଡ଼ିଥିଲେ। ଇଂଲଣ୍ଡ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ ବି ପୁଣି ଥରେ ହ୍ୟାମଷ୍ଟ୍ରିଙ୍ଗ୍ ସମସ୍ୟା ଦେଖାଦେଇଥିଲା। ବର୍ତ୍ତମାନ ତାଙ୍କୁ ମଧ୍ୟ ‘ସବ୍ଜେକ୍ଟ ଟୁ ଫିଟନେସ୍’ ଆଧାରରେ ଦଳରେ ସାମିଲ କରାଯାଇଛି।

୩. ୱାଶିଂଟନ୍ ସୁନ୍ଦର

ଗତ ଜୁଲାଇ ମାସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ କରୁଥିବା ସମୟରେ ୱାଶିଂଟନ୍ ସୁନ୍ଦର ହ୍ୟାମଷ୍ଟ୍ରିଙ୍ଗ୍ ଆଘାତର ଶିକାର ହୋଇଥିଲେ। ଆଫଗାନିସ୍ତାନ ସିରିଜ୍ ପାଇଁ ଦଳକୁ ଫେରିଥିଲେ ବି ସେ ଫିଟନେସ୍ କ୍ଲିୟରାନ୍ସ ମିଳିବା ପରେ ହିଁ ମଇଦାନକୁ ଓହ୍ଲାଇପାରିବେ।

୪. ନିତୀଶ କୁମାର ରେଡ୍ଡୀ

ଗତ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ନିତୀଶ ଆହତ ହୋଇଥିଲେ। ସେବେଠାରୁ ସେ ଦଳରୁ ବାହାରେ ଥିଲେ। ଏବେ ଟି-୨୦ ଦଳରେ ସ୍ଥାନ ପାଇଥିଲେ ସୁଦ୍ଧା ତାଙ୍କୁ ମଧ୍ୟ ଫିଟନେସ୍ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ।ଏହିପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଫିଟନେସ୍ ସମସ୍ୟା ଥାଇ ବି ଏହି ଖେଳାଳିମାନଙ୍କୁ କାହିଁକି ବାରମ୍ବାର ଦଳରେ ରଖାଯାଉଛି?