ନୂଆଦିଲ୍ଲୀ: ଭାରତ ସୋମବାର ସିନ୍ଧୁ ଜଳସନ୍ଧିକୁ ନେଇ ହେଗ୍ ସ୍ଥିତ ଇଣ୍ଟରନ୍ୟାସନାଲ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ମାନିବାକୁ ମନା କରିଦେଇଥିଲା। ଏହା ସହିତ ଟ୍ରିବ୍ୟୁନାଲର ବୈଧତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲା। ଭାରତର ଏହି କଡ଼ା ଆଭିମୁଖ୍ୟ ପରେ ପାକିସ୍ତାନ ବୁଧବାର ଭାରତକୁ ୧୯୬୦ ଜଳବଣ୍ଟନ ବୁଝାମଣାର ପରିସରରେ ‘ରଚନାତ୍ମକ ଢଙ୍ଗରେ’ ଆଲୋଚନା କରିବାକୁ ନିବେଦନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ବିଦେଶମନ୍ତ୍ରାଳୟ ମୁଖପାତ୍ର ତାହିର ଅନ୍ଦ୍ରାବୀ କହିଛନ୍ତି ଯେ ପର୍ମାନେଣ୍ଟ କୋର୍ଟ ଅଫ ଆର୍ବିଟ୍ରେସନ କହିଛନ୍ତି ଯେ ସନ୍ଧି ସମ୍ପୂର୍ଣ୍ଣ ଲାଗୁ ଅଛି ଓ ବାଧ୍ୟକାରୀ ମଧ୍ୟ। ତେବେ ଏହାକୁ ଲାଗୁ କରିବାକୁ ପାକିସ୍ତାନ ଏବେ ସବୁମତେ ଉଦ୍ୟମ କରିବ।

ଆନ୍ଦ୍ରାବୀ କହିଛନ୍ତି ଯେ ପାକିସ୍ତାନ ସନ୍ଧିର ଭାଷା ଓ ପ୍ରାବଧାନ ଅନୁସାରେ ତାକୁ ସମ୍ପୂର୍ଣ୍ଣ ସଠିକ ଭାବନା ସହିତ ଲାଗୁ କରିବାକୁ ସଂକଳ୍ପବଦ୍ଧ। ସେ କହିଛନ୍ତି ଯେ ପାକିସ୍ତାନ ମଧ୍ୟ ଭାରତକୁ ଏହିଭଳି ଆଭିମୁଖ୍ୟ ଆପଣେଇବାକୁ ଆବେଦନ ଜାରି ରଖିବ, ଯାହାଦ୍ୱାରା ସନ୍ଧିର ପାଳନ, ତାର ଭାଷା,ଭାବନା ଓ ଆଇନଗତ ବ୍ୟବସ୍ଥାର ପାଳନ ସମ୍ପୂର୍ଣ୍ଣ କରାଯାଇ ପାରିବ। ଭାରତ ସନ୍ଧିକୁ ସ୍ଥଗିତ କରିବା ପରେ ପାକିସ୍ତାନ ମାର୍ଚ୍ଚ ୨୦୨୬ରେ ହେଗ୍ ମଧ୍ୟସ୍ଥତା କୋର୍ଟକୁ ମୁହାଁଇଥିଲା ଓ ସନ୍ଧିର ସ୍ଥିତି ଉପରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲା। ତେବେ ଭାରତ ୩୧ ଅଗଷ୍ଟ ସୋମବାର ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଖାରଜ କରିଦେଇଛି।

ଏହି ବିବାଦ ବିସକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀରେ ମଧ୍ୟ ଉଠିଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସବୁ ଦେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆହ୍ୱାନ ଦେଇଥିଲେ ଯେଉଁମାନେ ଆତଙ୍କବାଦକୁ ରାଜ୍ୟର ନୀତିରେ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି। ଏଠାରେ ମୋଦି ଆତଙ୍କବାଦର ଇକୋ ସିଷ୍ଟମକୁ ସମାପ୍ତ କରିବାର କଥା କହିଥିଲେ। ଯେଉଁଥିରେ ଫଣ୍ଡିଂ ନେଟୱାର୍କ, ନିଯୁକ୍ତିର ଉପାୟ ଓ ସୁରକ୍ଷିତ ଆଡ୍ଡା ମଧ୍ୟ ସାମିଲ ଥିଲା।

ସେହିପରି ଶିଖର ସମ୍ମିଳନାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପାଣିକୁ ଏହି କ୍ଷେତ୍ରର ଜୀବନ ବୋଲି କହିଥିଲେ ଓ ଏହାକୁ କେବେ ଅସ୍ତ୍ର ଭାବେ ବ୍ୟବହାର କରାନଯାଉ ବୋଲି ନିବେଦନ କରିଥିଲେ।