ନୂଆଦିଲ୍ଲୀ, ୧୪/୧୦ : ରୁଷ ଓ ନାଟୋ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନାଟୋ ଦେଶ ବିରୋଧରେ ଛାୟାଯୁଦ୍ଧ ତ୍ବରାନ୍ବିତ କରିବା ପରେ ଏବେ ନାଟୋ ଦେଶମାନେ ତାଙ୍କୁ କଡା ଚେତାବନୀ ଦେଇଛନ୍ତି। ନାଟୋର ଶୀର୍ଷ କମାଣ୍ଡର ଜେନେରାଲ ଆଲୋକ୍ସସ ଗ୍ରିନକେୱିଚ୍ କହିଛନ୍ତି ଆମେ ଯୁଦ୍ଧ ଲଢ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ। ଆବଶ୍ୟକ ପଡିଲେ ଆଜି ରାତିରେ ମଧ୍ୟ ଯୁଦ୍ଧ ଲଢ଼ିପାରିବୁ। ନାଟୋ ସଦସ୍ୟ ରାଷ୍ଟ୍ର ଉପରେ ଆକ୍ରମଣ ହେଲେ ତାର ପରିଣତି ଭୟାବହ ହେବ।

Also Read :- ରୋହିତ ପୁଣି ହେବେ ଅଧିନାୟକ ! ଖୁବ୍ ଶୀଘ୍ର ଘୋଷଣା କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ଜେନେରାଲ ଗ୍ରିନକେୱିଚ୍ ହେଉଛନ୍ତି ଆମେରିକା ବାୟୁ ସେନାର ଶୀର୍ଷ ଅଧିକାରୀ ତଥା ୟୁରୋପ ପାଇଁ ନାଟୋର ସୁପ୍ରିମ୍ ଆଲାଏଡ କମାଣ୍ଡର । ମଙ୍ଗଳବାର ସେ ୱାର୍ସ ଠାରେ ଆୟୋଜିତ ଏକ ସୁରକ୍ଷା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ନାଟୋ ହେଉଛି ଏକ ସୁରକ୍ଷା ସଙ୍ଗଠନ । ସଦସ୍ୟ ରାଷ୍ଟ୍ର ଉପରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ। ଶତ୍ରୁ ରାଷ୍ଟ୍ରକୁ ଏହାର ଉପଯୁକ୍ତ ଜବାବ ଦିଆଯିବ। ଏହି ଯୁଦ୍ଧରେ ଶତ୍ରୁ ରାଷ୍ଟ୍ର କେବଳ ହାରିବ ନାହିଁ ବରଂ ଏହାର ସମସ୍ତ ସାମରିକ ସିଷ୍ଟମ, କମାଣ୍ଡ ସେଣ୍ଟର ଓ ଲଜିଷ୍ଟିକ ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯିବ। ଆମେ ଶତ୍ରୁର ସୈନିକଙ୍କ ଉପରେ କେବଳ ଆକ୍ରମଣ କରିବୁ ନାହିଁ, ବରଂ ଶତ୍ରୁର ସବୁ ସିଷ୍ଟମକୁ ହମଲା କରିବୁ।

ଯଦିଓ ଜେନେରାଲ ଗ୍ରିନକେୱିଚ୍ ରୁଷର ନାମ ନେଇ ନାହାନ୍ତି, କିନ୍ତୁ ତାଙ୍କର ଏହି ଚେତାବନୀ ମସ୍କୋ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ନାଟୋର ସଦସ୍ୟ ଥିବା ୟୁରୋପୀୟ ଦେଶ ମାନେ ଅଭିଯୋଗ କରିଛନ୍ତି କି ରୁଷ ସେମାନଙ୍କ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି। ସେମାନଙ୍କୁ ଉସୁକାଇବା ଭଳି କାର୍ଯ୍ୟ କରୁଛି । ସେମାନଙ୍କ ଦେଶରେ ସାଇବର ଆକ୍ରମଣ କରୁଛି। ସେମାନଙ୍କ ବାୟୁସୀମା ଭିତରକୁ ରୁଷ ଡ୍ରୋନ ମଧ୍ଯ ଅନୁପ୍ରବେଶ କରାଉଛି।

ତେବେ ଚଳିତମାସରେ ପୁଟିନ ସ୍ପଷ୍ଟ କରିଦେଇଥିଲେ କି ରୁଷ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ଉପରେ ଆକ୍ରମଣ କରିବାର କୌଣସି ଯୋଜନା ନାହିଁ । ନାଟୋ ସହ ଶାନ୍ତିପୂର୍ଣ୍ଣ ଭାବେ ରହିବାକୁ ରୁଷ ପସନ୍ଦ କରେ। ତେବେ ନାଟୋ ରାଷ୍ଟ୍ରମାନେ ଯଦି ରୁଷର ବାହ୍ୟ ସୀମାରେ ଥିବା ଅଞ୍ଚଳକୁ ଛଡାଇ ନେବାକୁ ଉଦ୍ୟମ କରନ୍ତି ତେବେ ରୁଷ ଆକ୍ରମଣ କରିବାକୁ ବାଧ୍ୟହେବ। ଏପରିକି ଆଣବିକ ଅସ୍ତ୍ର ପ୍ରୟାଗ କରିବାକୁ ମଧ୍ୟ ପଛାଇବ ନାହିଁ ।