ନୂଆଦିଲ୍ଲୀ: ମଣିଷକୁ ୧୫୦ ବର୍ଷ ବଞ୍ଚାଇବାକୁ ଏବଂ ବାର୍ଦ୍ଧକ୍ୟ ରୋକିବାକୁ ରୁଷ ଗୁପ୍ତ ଭାବରେ ଗବେଷଣା କରୁଛି । ଏଥିପାଇଁ ପ୍ରତିବର୍ଷ ୨୬ ମିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି ରୁଷ । ୨୦୨୪ରୁ ଆରମ୍ଭ ହୋଇଥିବା ଏହି ଗବେଷଣାରେ ରୁଷ ଧିରେ ଧିରେ ଆଗକୁ ବଢ଼ୁଛି । ତେବେ ମଣିଷକୁ ଅମର କରିବା ଲାଗି, ଏହି ଚର୍ଚ୍ଚା ହେବା ପଛରେ ବଡ଼ କାରଣ ରହିଛି । ଏନେଇ ରୁଷ ରାଷ୍ଟ୍ରପତି ପୁଟିନ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆଲୋଚନାର ଏକ ଲିକ୍ ଅଡିଓ ସାମ୍ନାକୁ ଆସିଥିଲା ।

ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ଏକ ଆଲୋଚନାର ଅଡିଓ ଲିକ୍ ହୋଇଥିଲା। ଏହି କଥାବାର୍ତ୍ତାରେ ଉଭୟ ନେତା ମଣିଷର ଆୟୁଷକୁ ୧୫୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ସମ୍ପର୍କରେ ଆଲୋଚନା କରୁଥିଲେ। ଏହି ଘଟଣା ପରେ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଥିଲା ଯେ, କ’ଣ ଜିନପିଙ୍ଗ ଏବଂ ପୁଟିନ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହୁଁଛନ୍ତି ?

ଏବେ ରୁଷର ରାଷ୍ଟ୍ରପତି ଭବନ ‘କ୍ରେମଲିନ’ରୁ ଆସିଥିବା ସୂଚନା ଏହି ସନ୍ଦେହକୁ ସତ ପ୍ରମାଣିତ କରିଛି। ପ୍ରସିଦ୍ଧ ପତ୍ରିକା ‘ଦ ୱାଲ ଷ୍ଟ୍ରିଟ ଜର୍ନାଲ’ର ରିପୋର୍ଟ ଅନୁଯାୟୀ, ରୁଷ ସରକାର ମଣିଷର ଆୟୁଷ ବଢ଼ାଇବାର ଉପାୟ ଖୋଜିବା ପାଇଁ ଏକ ବଡ଼ ଗବେଷଣା ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏହି ପ୍ରୋଜେକ୍ଟ ପାଇଁ ୨୬ ମିଲିୟନ ଡଲାର ଖର୍ଚ୍ଚ କରାଯାଉଛି।

ପ୍ରୋଜେକ୍ଟର ନେତୃତ୍ୱ ନେଉଛନ୍ତି ପୁଟିନଙ୍କ ଝିଅ

୭୩ ବର୍ଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏହି ବୈଜ୍ଞାନିକ ପ୍ରୋଜେକ୍ଟର ତଦାରଖ କରୁଛନ୍ତି। ଏହି ମିଶନର ଦାୟିତ୍ୱ ପୁଟିନ ତାଙ୍କର ସବୁଠାରୁ ବିଶ୍ୱସ୍ତ ଲୋକଙ୍କ ହାତରେ ଦେଇଛନ୍ତି । ପୁଟିନଙ୍କ ଝିଅ ମାରିଆ ଭୋରୋନସୋଭା, ଯିଏ ଜଣେ ପ୍ରସିଦ୍ଧ ଏଣ୍ଡୋକ୍ରିନୋଲୋଜିଷ୍ଟ (Endocrinologist), ସେ ଏହି ପ୍ରୋଜେକ୍ଟର ନେତୃତ୍ୱ ନେଉଛନ୍ତି।ରୁଷର ପ୍ରସିଦ୍ଧ କୁରଚାତୋଭ ଇନଷ୍ଟିଚ୍ୟୁଟ୍ର ମୁଖ୍ୟ ମିଖାଇଲ କୋଭାଲଚୁକ, ଯିଏ ଏହି ଗବେଷଣାରେ ପୁଟିନଙ୍କ ଝିଅଙ୍କୁ ସହଯୋଗ କରୁଛନ୍ତି।

କିପରି ଚାଲିଛି ରୁଷର ପ୍ରସ୍ତୁତି ?

୨୦୨୪ ମସିହାରୁ ରୁଷର ବୈଜ୍ଞାନିକମାନେ ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଆରମ୍ଭରେ ଏହାର ଗତି ଧୀମା ଥିଲେ ମଧ୍ୟ ଏବେ ଏହାକୁ ଅଧିକ ତୀବ୍ର କରାଯାଇଛି। ବାର୍ଦ୍ଧକ୍ୟକୁ ରୋକିବା ପାଇଁ ୩ଟି ପ୍ରମୁଖ ପଦ୍ଧତି ଉପରେ କାମ ଚାଲିଛି ।

ଜିନ୍ ଥେରାପି (Gene Therapy): ଶରୀରର କୋଷଗୁଡ଼ିକୁ ବୁଢ଼ା ହେବାରୁ ରୋକିବା ପାଇଁ ଏହି ଥେରାପିର ବ୍ୟବହାର କରାଯାଉଛି। ଏହାର ଲକ୍ଷ୍ୟ ହେଉଛି ମଣିଷ ଶରୀରରେ ବାର୍ଦ୍ଧକ୍ୟ ବଢ଼ାଉଥିବା ଜିନ୍କୁ ଚିହ୍ନଟ କରି ତାକୁ ନଷ୍ଟ କରିବା।

୩ଡି ବାୟୋପ୍ରିଣ୍ଟିଂ (3D Bioprinting): ଶରୀରର ଯେଉଁ ଅଙ୍ଗଗୁଡ଼ିକ ଖରାପ ହୋଇଯାଉଛି, ତାକୁ ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପୁନର୍ବାର ପ୍ରସ୍ତୁତ କରାଯିବ। ପୁଟିନଙ୍କ ମତରେ, ଯଦି ବୃଦ୍ଧାବସ୍ଥାରେ ମଣିଷର ଖରାପ ଅଙ୍ଗକୁ ନୂଆ ଅଙ୍ଗ ସହ ବଦଳାଇ ଦିଆଯାଏ, ତେବେ ତାର ଆୟୁଷ ସହଜରେ ବଢ଼ିଯାଇପାରିବ।

ଘୁଷୁରି ଶରୀରରେ ମାନବ ଅଙ୍ଗର ବିକାଶ: ଜେନେଟିକାଲି ମ୍ୟାଚ୍ କରୁଥିବା ଛୋଟ ଘୁଷୁରି ଶରୀରରେ ମାନବ ଅଙ୍ଗ ପ୍ରସ୍ତୁତ କରିବାକୁ ପ୍ରୟାସ ଚାଲିଛି। ରୁଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ଏବେ ସୁଦ୍ଧା ମୂଷାର ଥାଇରଏଡ୍ ଗ୍ଲାଣ୍ଡ ଏବଂ ମଣିଷର କାର୍ଟିଲେଜ ଟିସୁ ବାୟୋପ୍ରିଣ୍ଟ କରିବାରେ ସଫଳ ହୋଇଛନ୍ତି। ବୈଜ୍ଞାନିକମାନଙ୍କ ଆଶା ରହିଛି ଯେ, ୨୦୩୦ ସୁଦ୍ଧା ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହେବ।

ପ୍ରୋଜେକ୍ଟକୁ ଗୁପ୍ତ ରଖିବାର କାରଣ କ’ଣ ?

ଏହି ସମ୍ପୂର୍ଣ୍ଣ ମିଶନକୁ ଅତି ଗୋପନୀୟ ବା ସିକ୍ରେଟ୍ ରଖାଯାଇଛି। ଏଥିରେ କେବଳ ପୁଟିନଙ୍କ କିଛି ବିଶ୍ବସ୍ତ ବୈଜ୍ଞାନିକ ଓ ସମ୍ପର୍କୀୟ ସାମିଲ ଅଛନ୍ତି। ରୁଷ ଏହି ଗବେଷଣା ପଛରେ ଏତେ ଅର୍ଥ ଖର୍ଚ୍ଚ କରିବାର ଅନ୍ୟ ଏକ କାରଣ ହେଉଛି, ଦେଶର ଜନସଂଖ୍ୟାଗତ ସମସ୍ୟା। ରୁଷରେ ପୁରୁଷମାନଙ୍କର ହାରାହାରି ଆୟୁଷ ମାତ୍ର ୬୮ ବର୍ଷ, ଯାହା ସମଗ୍ର ୟୁରୋପ ମହାଦେଶରେ ସବୁଠାରୁ କମ୍। ଅପରପକ୍ଷରେ, ୟୁରୋପର ଅନ୍ୟ ଦେଶଗୁଡ଼ିକରେ ପୁରୁଷମାନଙ୍କ ହାରାହାରି ଆୟୁଷ ୭୮ ବର୍ଷ ରହିଛି। ତେଣୁ ନିଜର ବାର୍ଦ୍ଧକ୍ୟକୁ ରୋକିବା ସହ ଦେଶର ଏହି ବଡ଼ ସମସ୍ୟାର ସମାଧାନ ପାଇଁ ରୁଷ ବିଜ୍ଞାନର ଆଶ୍ରୟ ନେଇଛି।