ନୂଆଦିଲ୍ଲୀ, ୧୪/୧୦ : ଆସନ୍ତା ବର୍ଷ ହେବାକୁ ଥୁବା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ରୋହିତ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରିବାକୁ ଚିନ୍ତା କରୁଥିବା ଖବର ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଚାମ୍ପିଅନ୍ ହୋଇ ସାରିଛି। ତାଙ୍କୁ କେବଳ ଗୋଟିଏ ସିଜନ ପାଇଁ ପୁନର୍ବାର ଅଧିନାୟକ ନିଯୁକ୍ତ କରିବାକୁ ଯୋଜନା କରାଯାଉଛି। ଗତ ୩ଟି ସିଜନରେ ଅଧିନାୟକ ନିଯୁକ୍ତ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବିଦାୟ ଏକ ପ୍ରକାର ନି ନିଶ୍ଚିତ ହୋଇ ସାରିଛି।

Also Read :- ଅଜରବୈଜାନରେ ୯୬% ମୁସ୍ଲିମ: ତଥାପି ବ୍ୟାନ ହେଲା ହିଜାବ, ତେଜିଲା ଛାତ୍ର ଆନ୍ଦୋଳନ

ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ କିମ୍ବା ଯଶପ୍ରୀତ ବୁମରା ଅଧୂନାୟକ ପଦ ପାଇଁ ପ୍ରମୁଖ ଦାବିଦାର । ମାତ୍ର ଉଭୟଙ୍କୁ ନେତୃତ୍ଵ ପ୍ରଦାନ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସ ସମ୍ପ୍ରତି ଆଗ୍ରହୀ ନଥିବା ଜଣା ପଡ଼ିଛି। ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳରୁ ବାଦ ପଡ଼ି ସାରିଛନ୍ତି। ଦୀର୍ଘ ସ୍ଥାୟୀ ଅଧିନାୟକ ଭାବେ ତାଙ୍କୁ ବି ବିବେଚନା କରାଯାଇପାରିବ ନାହିଁ। ବୁମରା ମଧ୍ୟ ବାରମ୍ବାର ଆହତ ହେଉଛନ୍ତି। ବିସିସିଆଇ ତାଙ୍କ କାର୍ଯ୍ୟଭାରକୁ ନିୟନ୍ତ୍ରଣ କରୁଛି। ତେଣୁ ସେ ସ୍ଥାୟୀ ଅଧିନାୟକ ହେବା କଷ୍ଟକର। ଏଭଳି ସ୍ଥଳେ ରୋହିତଙ୍କୁ କେବଳ ଗୋଟିଏ ସିଜନ ପାଇଁ ନେତୃତ୍ବ ଭାର ପ୍ରଦାନ କରି ପରବର୍ତ୍ତୀ ମେଗା ନିଲାମ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ଅପେକ୍ଷା କରିବ।

୨୦୨୮ ସିଜନରେ ଆଇପିଏଲରେ ମେଗା ନିଲାମ ଅନୁଷ୍ଠିତ ହେବ । ୨୦୨୭ ସିଜନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ନିଯୁକ୍ତ କରିବ। ରୋହିତ ନେତୃତ୍ବ ନେବା ସହ ଭବିଷ୍ୟତର ଅଧିନାୟକ ପ୍ରସ୍ତୁତ କରିବେ। ତିଳକ ବର୍ମା ପରବର୍ତ୍ତୀ ଅଧିନାୟକ ହେବା ଆଶା କରାଯାଉଛି।

ଅନ୍ୟ ଦିଗରେ ଯଶସ୍ତ୍ରୀ ଜୈସ୍ୱାଲଙ୍କୁ ଆଣିବା ପାଇଁ ମଧ୍ଯ ଯୋଜନା କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ରିୟାନ ପରାଗ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଉତ୍ଥାନ ରାଜସ୍ଥାନ ରୟାଲ୍ସରେ ଜୈସ୍ବାଲଙ୍କ ପାଇଁ ଏକ ପ୍ରକାର ଅସୁରକ୍ଷିତ ପରିବେଶ ସୃଷ୍ଟି କରିଛି। ଦୀର୍ଘ ବର୍ଷ ଧରି ଉନ୍ନତ ପ୍ରଦର୍ଶନ ସତ୍ତ୍ବେ ଜୈସ୍ବାଲ୍ ରାଜସ୍ଥାନ ରୟାଲ୍ସର ଅଧିନାୟକ ହେବା ସମ୍ଭାବନା ନାହିଁ ତେଣୁ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଫାଇଦା ଉଠାଇ ଜୈସ୍ବାଲଙ୍କୁ ଆଣିବା ସହ ଆଗାମୀ ଦିନ ପାଇଁ ରୋହିତ ଶର୍ମାଙ୍କ ବିକଳ୍ପ ଓପନର ଭାବେ ପ୍ରସ୍ତୁତ କରିବ ।