କୋଣାର୍କ ୧୧।୧୧: କୁଶଭଦ୍ରା ନଦୀରେ ଅଭାବନୀୟ ଘଟଣା । ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ମାଆ-ପୁଅ । ପୁଅ ବୁଡ଼ିଯାଉଥିବା ବେଳେ ବଞ୍ଚାଇବାକୁ ନଦୀକୁ ଡେଇଁପଡ଼ିଲେ ମାଆ । ହେଲେ ଦୁର୍ଭାଗ୍ୟ, ନଦୀରେ ବୁଡ଼ି ମାଆଙ୍କର ମୃତ୍ୟୁ ଘଟିଛି ।

ରାଉରକେଲାରୁ ସ୍ୱାଗତିକା ପୃଷ୍ଟି ଏବଂ ତାଙ୍କ ପୁଅ ଗୋପ ବ୍ଲକ ବଣିଆସାହିରେ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ । ଗ୍ରାମ ନିକଟସ୍ଥ କୁଶଭଦ୍ରା ନଦୀକୁ ସେମାନେ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସିଯାଇ ନଦୀ ଗର୍ଭକୁ ଚାଲିଯାଇଥିଲା । ପୁଅକୁ ବଞ୍ଚାଇବାକୁ ଯାଇ ମାଆ ସ୍ୱାଗତିକା ନଦୀରେ ବୁଡ଼ି ଯାଇଥିଲେ । ପାଖରେ ଥିବା ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରି ପୁଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । କିନ୍ତୁ ମାଆ ନିଖୋଜ ହୋଇଯାଇଥିଲେ ।

ଖବର ପାଇ ଗୋପ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ତଲାସୀ ଅଭିଯାନ ଚଳାଇଥିଲେ । ପ୍ରାୟ ଏକ ଘଣ୍ଟା ଖୋଜାଖୋଜି କରିବା ପରେ ସ୍ୱାଗତିକାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Also Read:-ଓଡ଼ିଶା-ଜାପାନ ମଧ୍ୟରେ ବନ୍ଧୁତ୍ୱର ନୂଆ ଅଧ୍ୟାୟ, ଟୋଟୋରି ସହ ଚୁକ୍ତି ସ୍ୱାକ୍ଷର

ଏହି ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଗୋପ ତହସିଲଦାର ଓ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛନ୍ତି ।