ଭୁବନେଶ୍ବର ୧୧।୧୧: ଓଡ଼ିଶା-ଜାପାନ ମଧ୍ୟରେ ବନ୍ଧୁତ୍ୱର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଜାପାନର ଟୋଟୋରି ପ୍ରଦେଶ ସହ ଓଡ଼ିଶାର ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ ସ୍ବାକ୍ଷର ହୋଇଛି । ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଟୋଟୋରି ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇ ଉପସ୍ଥିତିରେ ଚୁକ୍ତି ସ୍ବାକ୍ଷର ହୋଇଛି ।

ଷ୍ଟାର୍ଟଅପ ଓଡ଼ିଶା ଓ ଟୋଟୋରିର ଶିଳ୍ପ ନିର୍ଦ୍ଦେଶକଙ୍କ ମଧ୍ୟରେ ଏବଂ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଓ ଟୋଟୋରି ମଧ୍ୟରେ ଦୁଇଟି ପ୍ରତିଷ୍ଠାନଗତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଫଳରେ ଶିକ୍ଷା, ସ୍କିଲ୍ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ସହଯୋଗ ବଢିବା ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନୂଆ ରାସ୍ତା ଖୋଲିବ । ଉଦ୍ୟୋଗ, ନବସୃଜନ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଅଞ୍ଚଳ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବା ଆଶା କରାଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏହି ଚୁକ୍ତି ଦ୍ୱାରା ଓଡ଼ିଶା ଓ ଟୋଟୋରି ମଧ୍ୟରେ ସାଂସ୍କୃତିକ, ବାଣିଜ୍ୟିକ, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବ । ଷ୍ଟାର୍ଟଅପ୍, ଦକ୍ଷତା ବିକାଶ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଏହି ଚୁକ୍ତି ନୂଆ ସୁଯୋଗ ସୃଷ୍ଟି କରିବ । ଆଗାମୀ ଦିନରେ ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶକୁ ନୂଆ ଦିଗ ଦେବ । ରାଜ୍ୟର ଅର୍ଥନୀତି, ଶିଳ୍ପ ଓ ନିଯୁକ୍ତି କ୍ଷେତ୍ରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା ରହିଛି ।