ନନ୍ଦାହାଣ୍ଡି,୧୩|୦୭: ମାଆଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଚାଲିଗଲା ପୁଅଙ୍କ ଜୀବନ। ସେ ହେଲେ ସଦର ବ୍ଳକ ପଡ଼ାଲଗୁଡ଼ା ପଞ୍ଚାୟତ ଚାରିଛକର ଗଣେଶ ବିଷୋୟୀ(୩୭)। ସୁଦୁର ବେଙ୍ଗାଲୁରରୁ ବସରେ ଆସୁଥିବା ବେଳେ ତାମିଲନାଡୁର ସାଲେମ୍ ବସଷ୍ଟାଣ୍ଡରେ ଗଣେଶଙ୍କ ମୃତ୍ୟୁ ହୋଇଛି। ସେଠାକାର ପୁଲିସ ଶବ ଜବତ କରିଛି। ମାଆ ପରେ ପୁଅର ଜୀବନ ଚାଲିଯିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୫ ବର୍ଷ ହେଲା ବେଙ୍ଗାଲୁରୁରେ ଶ୍ରମିକ ଭାବେ କାମ କରୁଥିଲେ ଗଣେଶ। ଗତ ୧୦ ତାରିଖରେ ତାଙ୍କ ମାଆ ସାବିତ୍ରୀ ବିଷୋୟୀ(୫୫)ଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ଗାଁକୁ ବସରେ ଫେରୁଥିଲେ । ସାଲେମ୍ ବସଷ୍ଟାଣ୍ଡରେ ଗାଡ଼ିରୁ ଓହ୍ଲାଇଥିଲେ। ହଠାତ ତାଙ୍କ ମୃତ୍ୟୁ ହୋଇଥିଲା। ତାମିଲନାଡୁ ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଘରେ ଗଣେଶଙ୍କ ସ୍ତ୍ରୀ ଓ ୩ ପିଲା ଅଛନ୍ତି । ୨ ଦିନରେ ଆଗପଛ ହୋଇ ପରିବାରର ୨ ଜଣଙ୍କ ମୃତ୍ୟୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Also Read :-ମୋବାଇଲରେ ଚିକିତ୍ସା, ଅବହେଳାରୁ ମରିଗଲେ ରୋଗୀ… ମେଡିକାଲ ପରିସରରେ ପାଟିତୁଣ୍ଡ

ଅନ୍ୟ ଏକ ଘଟଣାରେ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସଦର ବ୍ଳକ ଦହଣା ପଞ୍ଚାୟତ ଅଣ୍ଟାସରର ପ୍ରଭାକର ହରିଜନ (୩୪)। ମୃତ୍ୟୁ କାରଣ ସ୍ପଷ୍ଟ ହୋଇନି । ବ୍ୟବଚ୍ଛେଦ ପରେ ପ୍ରଭାକରଙ୍କ ମୃତଦେହ ଗାଁରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ପ୍ରଭାକର ତାମିଲନାଡୁ ର ଟି-୭ ନୁରପୁରା ଅଞ୍ଚଳରେ ଘରୋଇ କମ୍ପାନିରେ କାମ କରୁଥିଲେ। କିଛି ଦିନ ତଳେ ଗାଁକୁ ଫେରି ପୁଣି ତାମିଲନାଡୁ ଯାଇଥିଲେ। ଗତ ୯ ତାରିଖରେ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ରବିବାର ସନ୍ଧ୍ୟାରେ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ସୃଷ୍ଟି ହୋଇଛି।