ଭଦ୍ରକ ୧୩।୦୭ : ଚିକିତ୍ସାରେ ଅବେହେଳା ଅଭିଯୋଗ । ମେଡିକାଲରେ ଚାଲିଗଲା ଝାଡ଼ା-ବାନ୍ତିରେ ଆକ୍ରାନ୍ତ ରୋଗୀ । ମୋବାଇଲରେ ଡାକ୍ତରଙ୍କ ସହ କଥା ହୋଇ ନର୍ସ ଚିକିତ୍ସା କରିଥିବାର ଅଭିଯୋଗ ହୋଇଛି । ଯାହାପରେ ଘରୋଇ ହସ୍ପିଟାଲରେ ଉତ୍ତେଜନା ଲାଗି ରହିଛି । ଡାକ୍ତର ଓ ସହଯୋଗୀ ଅଟକ ଥିବା ମଧ୍ୟ ସୂଚନା ମିଳିଛି ।  

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡି ଛକ ନିକଟରେ ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖା ଦେଇଛି । ଧୁଷୁରୀ ଥାନା ଅର୍ଜୁନପୁର ଗାଁର ଅଭୟ ଜେନାଙ୍କର  ଝାଡାବାନ୍ତି ହେବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ହେଲେ ତାଙ୍କ ଜଣେ ସହଯୋଗୀ ଆରଡି ଛକ ନିକଟରେ ଥିବା ଏକ ଘରୋଇ ମେଡିକାଲକୁ ଆଣିଥିଲେ । ଘରୋଇ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ଚିକିତ୍ସା କରିନଥିବା କହିଛନ୍ତି ମୃତ ରୋଗୀଙ୍କ ପୁଅ ।

Also Read:-ଆକାଶରୁ ଚନ୍ଦ୍ର ଅଦୃଶ୍ୟ ହୋଇଗଲେ ପୃଥିବୀର କ'ଣ ହେବ ?

ତେବେ ଦାୟିତ୍ୱରେ ଥିବା ନର୍ସ ଡାକ୍ତରଙ୍କ ସହ କଥା ହୋଇ କେବଳ ଇଞ୍ଜେକସନ ଦେଇଥିଲେ । ସକାଳ ସମୟରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟ ମେଡିକାଲ ପରିସରରେ ପାଟିତୁଣ୍ଡ କରିଥିଲେ । ଉତ୍ତେଜନା ଦେଖି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଥାନାରେ ଲିଖିତ ଏତଲା ପରେ ଡାକ୍ତର ଓ ଘରୋଇ ମେଡିକାଲକୁ ଆଣିଥିବା ଯୁବକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ଅନ୍ୟପଟେ ଡାକ୍ତରଙ୍କ କହିବା ମୁତାବିକ, ସେ ପ୍ରଥମେ ମୃତକଙ୍କ ସଂପର୍କୀୟଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ମନା କରିଥିଲେ । ରୋଗୀଙ୍କୁ ସକାଳୁ କାର୍ଡିଆକ ଆରେଷ୍ଟ ହୋଇଥିବାରୁ ମୃତ୍ୟୁ ହୋଇଛି । ଚିକିତ୍ସାରେ କୌଣସି ପ୍ରକାରର ଅବହେଳା କରାଯାଇନାହିଁ ।