ପାଟଣା: ଶ୍ରେଣୀଗୃହରେ ଚାଲିଥିଲା ପାଠପଢ଼ା। ହଠାତ୍ ସେତିକି ବେଳେ ପଶି ଆସିଲା ଏକ ବଡ଼ ହନୁ ମାଙ୍କଡ଼। କିଛି ବୁଝିବା ଆଗରୁ ଆରମ୍ଭ କରିଦେଲା ଉତ୍ପାତ। ପିଲାଙ୍କ ଖାତା-ବହି କାମୁଡ଼ି ଛିଣ୍ଡାଇବା ସହ ଆକ୍ରମଣ କରିବାରୁ ବିଦ୍ୟାଳୟରେ ଖେଳିଗଲା ଚାଞ୍ଚଲ୍ୟ। ଭୟରେ ଶ୍ରେଣୀଗୃହ ଛାଡ଼ି ବାହାରକୁ ଦୌଡ଼ି ପଳାଇଆସିଲେ ଛାତ୍ରଛାତ୍ରୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଦଧିବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ। ମାଙ୍କଡ଼ର ଆତଙ୍କ ପରେ ସ୍କୁଲ ଛୁଟି କରି ଦେଇଛନ୍ତି ପ୍ରଧାନ ଶିକ୍ଷକ

ସୂଚନା ଅନୁଯାୟୀ, ଆଜି ବିଦ୍ୟାଳୟରେ ସାଧାରଣ ଦିନ ଭଳି ପାଠପଢ଼ା ଚାଲିଥିଲା। ଏହି ସମୟରେ ହଠାତ୍ ଗୋଟିଏ ହନୁ ମାଙ୍କଡ଼ ଶ୍ରେଣୀଗୃହ ଭିତରକୁ ପଶି ଆସି ବେଞ୍ଚ ଉପରେ ବସିପଡ଼ିଥିଲା। ପିଲାମାନେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ମାଙ୍କଡ଼ଟି ଅଚାନକ ଆକ୍ରମଣାତ୍ମକ ହୋଇପଡ଼ିଥିଲା। ଫଳରେ ମାଙ୍କଡ଼ ଆକ୍ରମଣରେ ୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

Also Read: ରେଳ ଧାରଣା ପାର୍ ହେଉଥିବା ବେଳେ ଚଢ଼ିଗଲା ଶାଲିମାର ଏକ୍ସପ୍ରେସ୍, ନଣନ୍ଦ-ଭାଉଜଙ୍କ ମୃତ୍ୟୁ

ଆହତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ଚାଲିଛି। ଏହି ଘଟଣା ପରେ ସ୍କୁଲ ପରିସରରେ ଆତଙ୍କିତ ପରିବେଶ ସୃଷ୍ଟି ହେବା ସହ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଏହି ଅଞ୍ଚଳରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ବିଦ୍ୟାଳୟ ପରିସରରେ ସୁରକ୍ଷା ଦୃଷ୍ଟିରୁ ଏହି ହିଂସ୍ର ମାଙ୍କଡ଼ଟିକୁ ତୁରନ୍ତ କାବୁ କରିବା ପାଇଁ ବନ ବିଭାଗ ନିକଟରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ଦୃଢ଼ ଦାବି କରିଛନ୍ତି।