ନୂଆଦିଲ୍ଲୀ: ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର (IRGC) ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ଏହା ଆଗାମୀ ଦିନରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଏକ ନୂଆ ଏବଂ ଭୟଙ୍କର ମୋଡ଼ ଦେଇପାରେ। IRGC ସ୍ପଷ୍ଟ କରିଛି ଯେ, ଯଦି ଆମେରିକା ପୁଣିଥରେ ଇରାନ ଉପରେ ସାମରିକ ଆକ୍ରମଣ କରେ, ତେବେ ତେହେରାନ ଏହାର ଜବାବରେ ନୂଆ ଯୁଦ୍ଧାସ୍ତ୍ରର ପ୍ରୟୋଗ କରିବ ଏବଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ସିଧାସଳଖ ଟାର୍ଗେଟ କରିବ।

IRGCର ମୁଖପାତ୍ର ହୋସେନ୍ ମୋହେବି ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯଦି ଆମେରିକା ପୁନର୍ବାର ଆକ୍ରମଣ କରେ, ତେବେ ଇରାନର ପ୍ରତିରକ୍ଷା ଏବଂ ଜବାବୀ ଆକ୍ରମଣ କୌଶଳରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ। ସେ ଚେତାବନୀ ଦେଇ କହିଛନ୍ତି, ଯୁଦ୍ଧର କ୍ଷେତ୍ର ବଦଳିବ । ଯୁଦ୍ଧ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ରହିବ ନାହିଁ, ଏହାର ଭୌଗୋଳିକ ପରିସର ବୃଦ୍ଧି ପାଇବ।

ଇରାନ ଏପରି ନୂଆ ନୂଆ ସାମରିକ ପ୍ରଯୁକ୍ତିବିଦ୍ୟା ଏବଂ କ୍ଷେପଣାସ୍ତ୍ର ଯୁଦ୍ଧକ୍ଷେତ୍ରକୁ ଆଣିବ, ଯାହା ପୂର୍ବରୁ କେବେ ଦେଖାଯାଇ ନାହିଁ। ଏହାକୁ ଦେଖି ପୂରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯିବ ବୋଲି ସେ କହିଛନ୍ତି । ଏଥର ଇରାନର ଟାର୍ଗେଟ୍ ସମ୍ପୂର୍ଣ୍ଣ ଅଲଗା ହେବ। ଆମେରିକାର ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଘାଟି ଓ ପ୍ରତିଷ୍ଠାନକୁ ଟାର୍ଗେଟ କରାଯିବ, ଯାହା ଉପରେ ପୂର୍ବରୁ କେବେ ଆକ୍ରମଣ ହୋଇନଥିଲା।

ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ନେଇ ସଜାଗ ଇରାନ

ଏହି ବୟାନ ପୂର୍ବରୁ ଇରାନର ସଶସ୍ତ୍ର ବାହିନୀର କେନ୍ଦ୍ରୀୟ ମୁଖ୍ୟାଳୟ 'ଖାତାମ୍ ଅଲ୍-ଅନ୍ବିୟା' ପକ୍ଷରୁ ମଧ୍ୟ ଏକ ସମାନ ସୂଚନା ଦିଆଯାଇଥିଲା। ଇରାନର ଗୁପ୍ତଚର ସୂଚନା ଅନୁଯାୟୀ, ଭବିଷ୍ୟତରେ ଆମେରିକା ପୁଣିଥରେ ଇରାନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ସମ୍ଭାବ୍ୟ ଆକ୍ରମଣକୁ ଆଖିଆଗରେ ରଖି ଇରାନ ନିଜର ଆକ୍ରମଣାତ୍ମକ କୌଶଳ ପ୍ରସ୍ତୁତ କରିସାରିଛି।

ଆମେରିକା ଚିନ୍ତାରେ !

ଅନ୍ୟପଟେ, ଇରାନର ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) ର ଆଭ୍ୟନ୍ତରୀଣ ରିପୋର୍ଟରୁ ଏକ ଭିନ୍ନ ସତ୍ୟ ସାମ୍ନାକୁ ଆସିଛି । ପେଣ୍ଟାଗନର ଇନ୍ସପେକ୍ଟର ଜେନେରାଲଙ୍କ ସୂଚନା ଅନୁଯାୟୀ, ଇରାନ ସହ ଚାଲିଥିବା ସଂଘର୍ଷ ହେତୁ ଆମେରିକା ପାଖରେ ଗୋଳାବାରୁଦ ଓ ସାମରିକ ସରଞ୍ଜାମର ଅଭାବ ଦେଖାଦେଇଛି ଏବଂ ନୂତନ ଯୋଗାଣରେ ବିଳମ୍ବ ହେଉଛି। ଫେବୃଆରୀରୁ ଜୁନ୍ ମାସ ମଧ୍ୟରେ ଆମେରିକା କେବଳ ଗୋଳାବାରୁଦ ବାବଦରେ ୨୨ ବିଲିୟନ୍ ଡଲାରରୁ ଅଧିକ ଖର୍ଚ୍ଚ କରିସାରିଛି, ଫଳରେ ରଣନୈତିକ ସାମରିକ ସଂରକ୍ଷଣ ହ୍ରାସ ପାଇଛି।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଆସୁଛନ୍ତି ଯେ ଆମେରିକା ପାଖରେ ଅସ୍ତ୍ରଶସ୍ତ୍ରର କୌଣସି ଅଭାବ ନାହିଁ ଏବଂ ଏହା ‘ଅସୀମିତ’। ସେ ଗଣମାଧ୍ୟମର ରିପୋର୍ଟକୁ 'ଫେକ୍ ନ୍ୟୁଜ୍' ବୋଲି କହିଥିଲେ ସୁଦ୍ଧା ସରକାରୀ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଏହି ଅଭାବକୁ ସ୍ୱୀକାର କରିଛନ୍ତି। ଗୋଟିଏ ପଟେ ଆମେରିକାର ଗୋଳାବାରୁଦ ସଙ୍କଟ ଏବଂ ଅନ୍ୟପଟେ ଇରାନର ନୂଆ ଯୁଦ୍ଧାସ୍ତ୍ର ବ୍ୟବହାରର ଧମକ, ମଧ୍ୟପ୍ରାଚ୍ୟରେ ଏକ ବଡ଼ ଧରଣର ଯୁଦ୍ଧର ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।