ନୂଆଦିଲ୍ଲୀ: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳ 'ୟୁନାଇଟେଡ୍ ରୁଷିଆ'  ସଂସଦର ନିମ୍ନ ସଦନ 'ଷ୍ଟେଟ୍ ଡୁମା' ନିର୍ବାଚନରେ ପ୍ରଚଣ୍ଡ ବହୁମତ ହାସଲ କରିଛି। ମୋଟ ୪୫୦ଟି ଆସନ ମଧ୍ୟରୁ ଦଳ ୩୫୫ଟି ଆସନ ଜିତି ନିଜର ଦୃଢ଼ ସ୍ଥିତି ଜାହିର କରିଛି।   ରୁଷିଆର ମୁଖ୍ୟ ନିର୍ବାଚନ ଆୟୋଗର ଅଧ୍ୟକ୍ଷା ଏଲା ପାମଫିଲୋଭା ସୋମବାର ଏହି ନିର୍ବାଚନର ଫଳ ପ୍ରକାଶ କରିଛନ୍ତି। 

ତିନି ଦିନ ଧରି ଚାଲିଥିବା ଏହି ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହେବା ପରେ ଏବଂ ଭୋଟ ଗଣତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଏହି ସଫଳତା ସାମ୍ନାକୁ ଆସିଛି। ଏହି ବିଜୟ ସହ ୟୁନାଇଟେଡ୍ ରୁଷିଆ ଦଳ ୨୦୧୬ ନିର୍ବାଚନର ନିଜର ପୂର୍ବ ରେକର୍ଡ (୩୪୩ ଆସନ) କୁ ଭାଙ୍ଗି ନୂଆ ଇତିହାସ ରଚିଛି। ନିର୍ବାଚନରେ ୟୁନାଇଟେଡ୍ ରୁଷିଆ ଦଳକୁ ପ୍ରାୟ ୫୭.୮୩% ଭୋଟ୍ ମିଳିଛି। ଏଥର ନିର୍ବାଚନରେ ଭୋଟରଙ୍କ ଉପସ୍ଥିତି ପ୍ରାୟ ୫୯% ରୁ ଅଧିକ ରହିଥିଲା, ଯାହା ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଏକ ରେକର୍ଡ।  

ସେପଟେ କମ୍ୟୁନିଷ୍ଟ ପାର୍ଟି (KPRF) ୪୦ଟି ଆସନ ପାଇଥିବା ବେଳେ  ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDPR) ୨୫ଟି ଆସନ ଏବଂ   ନ୍ୟୁ ପିପୁଲ ୨୦ଟି ଆସନ ପାଇଛି ।  ଏହି ନିର୍ବାଚନରେ କ୍ରେମଲିନ୍ କିମ୍ବା ରାଷ୍ଟ୍ରପତି ପୁଟିନ୍‌ଙ୍କ ନୀତିକୁ କଡ଼ା ସମାଲୋଚନା କରୁଥିବା କୌଣସି ପ୍ରମୁଖ ବିରୋଧୀ ଦଳ କିମ୍ବା ନେତାଙ୍କୁ ଲଢ଼ିବାକୁ ସୁଯୋଗ ମିଳିନଥିଲା।  ୨୦୨୨ରେ ରୁଷିଆ-ୟୁକ୍ରେନ୍ ସଂଘର୍ଷ ଆରମ୍ଭ ହେବା ପରେ ରୁଷିଆରେ ଅନୁଷ୍ଠିତ ହୋଇଥିବା ଏହା ପ୍ରଥମ ପ୍ରମୁଖ ସଂସଦୀୟ ନିର୍ବାଚନ ଥିଲା।   

ଏହି ନିର୍ବାଚନରେ ୟୁକ୍ରେନ୍ ଯୁଦ୍ଧକ୍ଷେତ୍ରରୁ ଫେରିଥିବା ଅନେକ ସାମରିକ ଯୋଦ୍ଧା ଏବଂ ସୈନିକମାନେ ପ୍ରାର୍ଥୀ ହୋଇ ଜିତିଛନ୍ତି, ଯାହା ସଂସଦରେ ସେନାର ପ୍ରଭାବକୁ ବୃଦ୍ଧି କରିବ। ରୋପୀୟ ୟୁନିଅନ୍ (EU) ଏବଂ ଅନେକ ପାଶ୍ଚାତ୍ୟ ଦେଶ ଏହି ନିର୍ବାଚନ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କଡ଼ା ସେନ୍ସରସିପ୍ ଏବଂ ବିରୋଧୀଙ୍କୁ ଦମନ କରାଯାଇ ଏହି ନିର୍ବାଚନ କରାଯାଇଥିବାରୁ ଏହା ଗଣତାନ୍ତ୍ରିକ ନୁହେଁ। ଅପରପକ୍ଷରେ, ରୁଷ ସରକାର ଏହାକୁ ଦେଶର ଜନସାଧାରଣଙ୍କ ସ୍ପଷ୍ଟ ଜନାଦେଶ ଏବଂ ରାଷ୍ଟ୍ରପତି ପୁଟିନ୍‌ଙ୍କ ନୀତି ପ୍ରତି ଦୃଢ଼ ସମର୍ଥନ ବୋଲି ଆଖ୍ୟା ଦେଇଛନ୍ତି।