ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। ଜମାତ-ଇ-ଇସଲାମୀ (JI) ଏବଂ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (PTI) ପକ୍ଷରୁ ରାଜଧାନୀ ଇସଲାମାବାଦ ଆଡ଼କୁ ଅଲଗା ଅଲଗା ବିକ୍ଷୋଭ ପଦଯାତ୍ରା (Long March) ଆରମ୍ଭ କରାଯାଉଥିବାରୁ ସରକାର କଡ଼ା କଟକଣା ଜାରି କରିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥାକୁ ଦୈନିକ ପ୍ରାୟ ୪୦୦ ନିୟୁତ ଡଲାରର କ୍ଷତି ସହିବାକୁ ପଡ଼ିପାରେ ବୋଲି ସରକାର ଚେତାବନୀ ଦେଇଛନ୍ତି।

ଆର୍ଥିକ ମହାସଙ୍କଟ ନେଇ ସରକାରଙ୍କ ଚେତାବନୀ
ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ଚେତାବନୀ ଦେଇଛନ୍ତି ଯେ, ଧର୍ମଘଟ, ଧାରଣା, ଲଙ୍ଗ ମାର୍ଚ୍ଚ (ପଦଯାତ୍ରା) ଏବଂ ରାସ୍ତାରୋକ ଯୋଗୁଁ ପାକିସ୍ତାନ ଅର୍ଥବ୍ୟବସ୍ଥାକୁ ଦୈନିକ ପ୍ରାୟ ୪୦୦ ନିୟୁତ ଡଲାରରୁ ଅଧିକର କ୍ଷତି ସହିବାକୁ ପଡ଼ିପାରେ। ଆର୍ଥିକ ସେବା, ଯୋଗାଯୋଗ, ଖୁଚୁରା ବ୍ୟବସାୟ, ପରିବହନ, ପାଇକାରୀ ବ୍ୟବସାୟ ଏବଂ ଆତିଥ୍ୟ ସେବା କ୍ଷେତ୍ରରେ ଦୈନିକ ପ୍ରାୟ ୮୬ ବିଲିୟନ ଟଙ୍କାର କ୍ଷତି ହେବ। ଶିଳ୍ପ କ୍ଷେତ୍ରରେ ୨୫ ବିଲିୟନ ଟଙ୍କା ଏବଂ କୃଷି କ୍ଷେତ୍ରରେ ୯ ବିଲିୟନ ପାକିସ୍ତାନୀ ଟଙ୍କାର କ୍ଷତି ହେବ ।

ପ୍ରତିବାଦ ଯୋଗୁଁ ଉପୁଜିବାକୁ ଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସଲାମାବାଦର ପ୍ରମୁଖ ସରକାରୀ ହସ୍ପିଟାଲଗୁଡ଼ିକୁ ସଜାଗ ରଖାଯାଇଛି ।  'ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ' (PIMS) ଏବଂ 'ଫେଡେରାଲ ଗଭର୍ଣ୍ଣମେଣ୍ଟ ପଲିକ୍ଲିନିକ ହସ୍ପିଟାଲ'କୁ ହାଇ-ଅଲର୍ଟରେ ରଖାଯାଇଛି। ଜରୁରୀକାଳୀନ , ଟ୍ରମା ସେଣ୍ଟର, ICU, ଅପରେସନ ଥିଏଟର, ବ୍ଲଡ୍ ବ୍ୟାଙ୍କ ଏବଂ ଆମ୍ବୁଲାନ୍ସ ସେବାକୁ ସମ୍ପୂର୍ଣ୍ଣ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଟକଣା
PIMS ପକ୍ଷରୁ କୁହାଯାଇଛି ଯେ, ଏହି ଜରୁରୀକାଳୀନ ବ୍ୟବସ୍ଥା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। PTI ନେତାଙ୍କ କିଛି ବିବାଦୀୟ ବୟାନକୁ ନେଇ ସରକାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ପାକିସ୍ତାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ତାରିକ ଫଜଲ ଚୌଧୁରୀ କହିଛନ୍ତି ଯେ, PTI ର ଜଣେ ବରିଷ୍ଠ ନେତା ଇସଲାମାବାଦକୁ "ସୋମନାଥ" ରେ ପରିଣତ କରିଦେବା ନେଇ ଦେଇଥିବା ବୟାନ ହିଂସାର ଆଶଙ୍କା ବଢ଼ାଇ ଦେଇଛି। 

ରାଜଧାନୀରେ ଶାନ୍ତି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, ଜମାତ-ଇ-ଇସଲାମୀର ବିକ୍ଷୋଭକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।  ଜମାତ-ଇ-ଇସଲାମୀ ଗତ ଅଗଷ୍ଟ ୧୬ ତାରିଖରୁ ତେଲ ଉପରେ ଲାଗୁ ହୋଇଥିବା ପେଟ୍ରୋଲିୟମ୍ ଲେଭିକୁ ପ୍ରତ୍ୟାହାର କରିବା ଦାବିରେ ନିରନ୍ତର ପ୍ରତିବାଦ କରିଆସୁଛି। ସରକାର JI ନେତୃତ୍ୱଙ୍କ ସହ ଆଲୋଚନା ପ୍ରକ୍ରିୟା ଜାରି ରଖିଛନ୍ତି ଏବଂ ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।ପାକିସ୍ତାନର ଅର୍ଥବ୍ୟବସ୍ଥା ପୂର୍ବରୁ ଦୁର୍ବଳ ଥିବାବେଳେ ଏହି ନୂତନ ରାଜନୈତିକ ସଂଘର୍ଷ ଏବଂ ଇସଲାମାବାଦ ଘେରାଉ ଚେତାବନୀ ଦେଶର ଆର୍ଥିକ ସ୍ଥିତିକୁ ଆହୁରି ସଙ୍କଟଜନକ କରିପାରେ।