ଭୁବନେଶ୍ଵର: କେନ୍ଦ୍ର ଓ ରାଜ୍ୟ ଭିତରେ ଚାଉଳ ଉଠାଣ ବିବାଦ ବହୁ ପୁରୁଣା । ହେଲେ ଏ ଯାଏଁ ଏହାର ସମାଧାନ ହୋଇପାରୁ ନାହିଁ । ଏମିତି କି ଏହାର ତୁରନ୍ତ ସମାଧାନ ନ ହେଲେ ରାଜ୍ୟର ସ୍ଥିତି ଖରାପ ହୋଇଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଏପରି ଦାବିକୁ ନେଇ ସରକାରଙ୍କୁ ଘେରିଛି ବିଜେଡି ।

ଚାଷୀଙ୍କ ଅସଲ ସମସ୍ୟା ବଖାଣିଲେ ମୁଖ୍ୟମନ୍ତ୍ରୀ। କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆଗରେ କଲେ ଉପସ୍ଥାପନ। ରାଜ୍ୟର ସମସ୍ୟା ନେଇ କୃଷିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ। ରାଜ୍ୟରେ ବିଭିନ୍ନ ରାଇସ ମିଲ ଓ ଗୋଦାମରେ ଚାଉଳ ଭର୍ତ୍ତି ହୋଇ ରହିଛି । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏହା ଖାଲି ହୋଇ ପାରୁନାହିଁ । ଯାହାର ସିଧାସଳଖ ପ୍ରଭାବ ମଣ୍ଡିରେ ଧାନ ସଂଗ୍ରହ ବେଳେ ପଡୁଛି। ଏମିତି କିଛି ସମସ୍ୟାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Also Read: ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ରେଡ୍ରେ ଠାବ ହେଲାଣି ୬୫ ଏକର ଜମି

ଆଜି ଭୁବନେଶ୍ୱରରେ ଆୟୋଜିତ 'ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬' ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଏବେ ଧାନ ଉତ୍ପାଦନରେ ଦେଶରେ ୨ୟ ସ୍ଥାନରେ ଅଛି । ପୂର୍ବରୁ କେରଳ ଓ ବିହାର ଆମଠାରୁ ଚାଉଳ ନେଉଥିଲେ । ହେଲେ ଏବେ ସେମାନଙ୍କର ଉତ୍ପାଦନ ବଢିଛି । ତେଣୁ ଓଡ଼ିଶା ଚାଉଳ ପଡ଼ିରହୁଛି। ଏଥିପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେପଟେ ଧାନ ସହିତ ମିଶ୍ରିତ କୃଷି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ।

Also Read: ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି, ଦୁଇ ବର୍ଷରେ ଚାଉଳ ରଖିବାକୁ ଗୋଦାମ କରିପାରିଲେନି...

ସେପଟେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ କରିଥିବାଲ ଦାବିକୁ ନେଇ ଘେରିଛି ବିଜେଡି । ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଜି ସ୍ବୀକାର କରିଛନ୍ତି ଯେ ବର୍ତ୍ତମାନ ରାଜ୍ୟର କୃଷି କ୍ଷେତ୍ର ପ୍ରଭାବିତ । ଚାଉଳ ରଖିବା ପାଇଁ ଦୁଇ ବର୍ଷ ରେ ଗୋଦାମ ସୃଷ୍ଟି ହୋଇନାହିଁ। ଏପରିକି ରାଜ୍ୟରେ ବର୍ତ୍ତମାନ କୈଣସି ସ୍ଥାନରେ ରବି ଧାନ ପାଇଁ ମଣ୍ଡି ନ ଖୋଲିବା ଏହାର ପ୍ରଭାବ ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟରୁ ଚାଉଳ ଉଠାଣକୁ କେନ୍ଦ୍ର ଓ ରାଜ୍ୟ ଭିତରେ ତୁତୁ ମେମେ ଦୀର୍ଘ ବର୍ଷକରୁ ଲାଗି ରହିଛି। ଏବେ ଏହି ସମସ୍ୟା କେବେ ସମାଧାନ ହେବ ତା ଉପରେ ଚାଷୀମାନେ ନଜର ରଖିଛନ୍ତି।