ଭୁବନେଶ୍ଵର: MMDRକୁ ନେଇ ଥମୁନି ରାଜନୀତି । ଶାସକ ଦଳ ଏ ନେଇ ବାରମ୍ବାର ସଫେଇ ଦେବା ପରେ ବି ପ୍ରସଙ୍ଗକୁ ଗଣ୍ଠି କରିଛି ମୁଖ୍ୟ ବିରୋଧୀ ଦଳ ବିଜେଡି । MMDRକୁ ନେଇ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼େଇ ହେବବୋଲି ଖୋଲା ଆହ୍ବାନ ଦେଇଛି ଦଳ । ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ଲୋକଭବନ ଆଗରେ ଧାରଣା ଦେବା ସହ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି । କଂଗ୍ରେସ ମଧ୍ୟ ବିଜେଡି ସ୍ବରରେ ସ୍ବର ମିଳାଇଛି । ଯାହାର କଡ଼ା ଜବାବ୍ ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

MMDR ଆକ୍ଟକୁ ନେଇ ଥମୁନି ରାଜନୀତି । ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢ଼େଇ କରିବାକୁ ବିଜେଡିର ରଣହୁଙ୍କାର। ଖୁବ୍ ଶୀଘ୍ର ଲୋକଭବନ ଆଗରେ ଧାରଣା ଦେବ ଦଳ । ଯଦି କେନ୍ଦ୍ର ସରକାର ଏହାକୁ ନମାନନ୍ତି ତାହେଲେ ଆଗାମୀ ଦିନରେ ଓଡ଼ିଶା ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇଛି ବିଜେଡି । ଗତ ଅଗଷ୍ଟ ୧୦ ତାରିଖରେ ଲୋକସଭାରେ ପାରିତ ହୋଇଥିଲା MMDR ସଂଶୋଧନ ବିଲ । ତା’ ପରଠାରୁ ଲଗାତର ଭାବେ ରାଜ୍ୟରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ଣତା ।

Also Read: ‘OJC’ରୁ ଲଢିବା ପ୍ରସଙ୍ଗରେ ସୋଫିଆଙ୍କୁ ଭକ୍ତ ଦାସଙ୍କ କଟାକ୍ଷ, କହିଲେ ନୈତିକ ଦୃଷ୍ଟିକୋଣରୁ ଇସ୍ତଫା ଦିଅନ୍ତୁ...

ବିଶେଷ କରି ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରତିଦିନ ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଖଣି ରାଜସ୍ବହାନିର ହିସାବ ମାଗୁଛନ୍ତି । ଏହାରି ଭିତରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଖସଡା ଆରମ୍ଭ କରିଦେଇଛନ୍ତି ବିରୋଧି । ଏମିତି କି ଆସନ୍ତା ମୌସୁମୀ ଅଧିବେଶନରେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ସଜବାଜ ହେଉଛନ୍ତି ।

ସେପଟେ ବିରୋଧୀଙ୍କ ଅଭିଯୋଗର କଡା ଜବାବ ରଖିଛନ୍ତି ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ଲୋକଙ୍କୁ କନଭିନ୍ସ୍ କର, କନଫ୍ୟୁଜ ନୁହେଁ । ଏଥି ସହ ବିରୋଧୀଙ୍କୁ ଏହି ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ମଧ୍ୟ ଆହ୍ବାନ ଦେଇଛନ୍ତି । କେଉଁ ହିସାବରେ ବିଜେଡି ନେତା ଭାବୁଛନ୍ତି ୧୨ ହଜାର କୋଟି ଟଙ୍କାର କ୍ଷତି ହେବ, ତା’ର କାରଣ ସମ୍ପର୍କରେ ଲୋକଙ୍କୁ ବୁଝାଇବା ଦରକାର ବୋଲି କହିଛନ୍ତି ମନମୋହନ । MMDR ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିବା ପାଇଁ ବିରୋଧୀ ବଡ ଯୋଜନା କରିଛନ୍ତି । ବିଧାନସଭା ମୌସୁମୀ ଅଧିବେଶନରେ ଗୃହ ଭିତରେ ଓ ବାହାରେ ପ୍ରତିବାଦ ପାଇଁ ପ୍ରସ୍ତୁତ ହେଉଛି ବଡ଼ ରଣନୀତି ।