ନୂଆଦିଲ୍ଲୀ, ୨୬/୧୦ : ସର୍ବିୟାରେ ସରକାରରେ ଦୀର୍ଘଦିନ ହେବ ରହିଥିବା ଶକ୍ତିଶାଳୀ ନେତା ଆଲେକଜାଣ୍ଡର୍ ଭ୍ୟୁସିକ୍ ରବିବାର ନିଜ ପରାଜୟ ସ୍ୱୀକାର କରିଛନ୍ତି । ଗତ ଦୁଇବର୍ଷ ଧରି ଭ୍ୟୁସିକ ସରକାରଙ୍କ ବିରୋଧରେ ଦେଶରେ ବିରୋଧ ପ୍ରଦର୍ଶନ ହେଉଛି । ନିର୍ବାଚନରେ ଭ୍ୟୁସିକଙ୍କ ପାର୍ଟି ବିରୋଧରେ ଛାତ୍ର ନେତୃତ୍ୱରେ ହୋଇଥିବା ଆନ୍ଦୋଳନର ନେତାମାନେ ନିର୍ବାଚନ ଲଢୁଥିଲେ ।

ବାଲକନ୍ ପ୍ରାନ୍ତରେ ସର୍ବିୟା ସରକାରର ପରିବର୍ତ୍ତନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଭ୍ୟୁସିକ୍ ୧୪ ବର୍ଷ ଧରି ସରକାରରେ ଥିଲେ । ପୂର୍ଣ୍ଣ ବହୁମତ ସହ ସେ ସରକାର ଚଳାଉଥିଲେ । ତାଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସମର୍ଥନ ରହିଥିଲା । ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନରେ ବିଦେଶୀ ଶକ୍ତିର ହାତ ଥିବା ଭ୍ୟୁସିକ୍ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ସରକାରରୁ ହଟାଇବା ପାଇଁ ଷଡଯନ୍ତ୍ର ହୋଇଥିବା ସେ କହିଥିଲେ ।

ଛାତ୍ର ଆନ୍ଦୋଳନ ମଧ୍ୟରେ ନିର୍ବାଚନରେ ଭଲ ମତଦାନ ହୋଇଥିଲା । ଦେଶରେ ଉତ୍ତେଜନା ମଧ୍ୟ ଖୁବ୍ ବୃଦ୍ଧି ପାଇଥିଲା । ନିର୍ବାଚନରେ ଭ୍ୟୁସିକଙ୍କ ଦକ୍ଷିଣପନ୍ଥୀ ସର୍ବିୟାନ ପ୍ରୋଗ୍ରେସିଭ୍ ପାର୍ଟି ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଛାତ୍ରମାନେ ସରକାରଙ୍କ ବିରୋଧରେ ଭ୍ରଷ୍ଟାଚାର ଏବଂ ଗଣତନ୍ତ୍ରକୁ ଶେଷ କରିଥିବା ଅଭିଯୋଗ କରିଥିଲେ । ଛାତ୍ରଙ୍କୁ ସାଧାରଣ ନାଗରିକ ଖୁବ୍ ସମର୍ଥନ କରିଥିଲେ ।

Also Read :- ବ୍ରାଜିଲରେ ପୁଣି ରାଷ୍ଟ୍ରପତି ନିର୍ବାଚିତ ହେଲେ ଲୁଇଜ୍ ଲୁଲା : ଟ୍ରମ୍ପଙ୍କ ସହଯୋଗୀ ପରାଜିତ

ସର୍ବିୟାରେ ୬୪ ଲକ୍ଷ ଭୋଟର୍ ୨୫୦ ସଦସ୍ୟ ବିଶିଷ୍ଟ ସଂସଦ ପାଇଁ ପ୍ରତିନିଧି ବାଛିଚନ୍ତି । ତେବେ ପରାସ୍ତ ହେଲା ପରେ ଭ୍ୟୁସିକ୍ କହିଛନ୍ତି ଯେ, ତାଙ୍କ ପାର୍ଟି ଅଧିକ ସିଟ୍ ଜିତିବନି । ୧୦୫ ଆସନରେ ରହିଯିବ । କିନ୍ତୁ ଯୁବକଙ୍କ ସମର୍ଥନରେ ଥିବା ଷ୍ଟୁଡେଣ୍ଟ୍ ଲିଷ୍ଟକୁ ୧୪୦ ସିଟ୍ ଜିତିପାରେ । ଏହା କହି ସେ ନିଜ ପରାଜୟ ସ୍ୱାକୀର କରିଥିବା ପ୍ରକାଶ କରିଛନ୍ତି । ଏହାସହ ଏଥିରେ ଆମେରିକାର ହାତ ଥିବା ସେ ଅଭିଯୋଗ କରିଛନ୍ତି ।