ନୂଆଦିଲ୍ଲୀ: ୟୁରୋପୀୟ ଦେଶ ସର୍ବିୟାରେ ଜେନ-ଜିଙ୍କ ବୃହତ୍ତ ବିଜୟ । ଦୀର୍ଘ ବର୍ଷ ଧରି ଶାସନରେ ଥିବା ଦକ୍ଷିଣପନ୍ଥୀ ଦଳର ନେତା ଆଲେକଜାଣ୍ଡର ଭୁଚିଚ୍‌ଙ୍କୁ ପରାସ୍ତ କରି ସର୍ବିୟାରେ ଜେନ-ଜି ବିଜୟୀ ହୋଇଛନ୍ତି । ଆଉ ଏହି ବିଜୟ ପରେ, ଦେଶର ରାଜଧାନୀ ସମେତ ବିଭିନ୍ନ ସହରରେ ଯୁବପିଢ଼ି ଉତ୍ସବ ପାଳନ କରିଛନ୍ତି ।  ସର୍ବିଆନ୍ ପ୍ରୋଗ୍ରେସିଭ୍ ପାର୍ଟି (SNS) ର ନେତା ଭୁଚିଚ୍ ନିଜର ପରାଜୟ ସ୍ୱୀକାର କରିଛନ୍ତି।   ଛାତ୍ରସଂଗଠନର "ଷ୍ଟୁଡେଣ୍ଟସ୍ ଲିଷ୍ଟ" ବିପୁଳ ଜନସମର୍ଥନ ହାସଲ କରିଛି ।

ଷ୍ଟୁଡେଣ୍ଟସ୍ ଲିଷ୍ଟ ପ୍ରାୟ ୨୨ ଲକ୍ଷ ଭୋଟ୍ ପାଇଥିବା ବେଳେ ୫୨ ପ୍ରତିଶତ ଭୋଟ୍ ସେୟାର୍ ହାସଲ କରିଛି। ୨୫୦ ଆସନ ବିଶିଷ୍ଟ ସଂସଦରେ ଏହି ସଂଗଠନ ୧୪୦ ଆସନ ଜିତି ସରକାର ଗଠନ କରିବାକୁ ଯାଉଛି।   ସର୍ବିଆନ୍ ପ୍ରୋଗ୍ରେସିଭ୍ ପାର୍ଟି ପ୍ରାୟ ୧୭.୨ ଲକ୍ଷ ଭୋଟ୍ ମିଳିଛି । SNS କେବଳ ୧୦୫ଟି ଆସନରେ ସୀମିତ ରହିଛି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଆଲିଆନ୍ସ ଅଫ୍ ଭୋଜଭୋଡିନା ହଙ୍ଗେରୀୟାନ୍ସ ୩ଟି, ଆଲବାନିଆନ୍ ଦଳ ୧ଟି ଏବଂ SDA ଗୋଟିଏ ଆସନ ପାଇଛନ୍ତି।

ରାଜଧାନୀରେ ଉତ୍ସବ 
ଫଳାଫଳ ଘୋଷଣା ହେବା କ୍ଷଣି ରାଜଧାନୀ ବେଲଗ୍ରେଡ୍ ସମେତ ଅନ୍ୟ ସହରର ଉତ୍ସବ ପାଳନ କରାଯାଇଛି । ରାସ୍ତା, ପାର୍କ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ଯୁବପିଢ଼ି ଓ ନାଗରିକମାନେ ଗାଡ଼ିର ହର୍ଣ୍ଣ ବଜାଇ, ଗୀତ ଗାଇ ଏବଂ ଆଲେକଜାଣ୍ଡର ଚାଲିଗଲେ ନାରା ଦେଇ ଖୁସି ମନାଇଛନ୍ତି । ବେଲଗ୍ରେଡର କେନ୍ଦ୍ରୀୟ ପାର୍କରେ ଭୁଚିଚ୍‌ଙ୍କ ସମର୍ଥକମାନେ ପକାଇଥିବା ତମ୍ବୁ ଓ ବ୍ୟାରିକେଡଗୁଡ଼ିକୁ ଯୁବପିଢ଼ି ଭାଙ୍ଗି ଦେଇଛନ୍ତି । 

ନିର୍ବାଚନ ଶେଷ ହେବାର ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ଭୁଚିଚ୍ ଦେଶବାସୀଙ୍କୁ ସମ୍ବୋଧିତ କରି ନିଜ ଦଳର ପରାଜୟ ସ୍ୱୀକାର କରିଥିଲେ। ସେ କହିଥିଲେ, ‘ଆମେ ନିର୍ବାଚନ ହାରିଯାଇଛୁ।’ଷ୍ଟୁଡେଣ୍ଟସ୍ ଲିଷ୍ଟର ପ୍ରାର୍ଥୀ ରାଡୋମିର ସାଇଚିଚ୍ କହିଛନ୍ତି ଯେ, ‘ଏହା କେବଳ ଫଳାଫଳ ହେଁ, ଏହା ହେଉଛି ଭୟ ଉପରେ ଜୟ। ଏହା କୌଣସି ବ୍ୟକ୍ତିଗତ ଟ୍ରଫି ନୁହେଁ, ଏହା ନାଗରିକମାନଙ୍କର ବିଜୟ।’ଯୁବପିଢ଼ିଙ୍କ ଏହି ବୃହତ୍ତ ବିଜୟ ଲାଗି ଷ୍ଟୁଡେଣ୍ଟସ୍ ଲିଷ୍ଟକୁ  ଶୁଭେଚ୍ଛା ଜଣାଇଛନ୍ତି ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନ୍‌ ଡେର୍ ଲେୟନ । 
 
ଦୀର୍ଘ ଦିନ ଧରି ଭୁଚିଚ୍‌ଙ୍କ ବିରୋଧରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା । ବିଶେଷ କରି ଛାତ୍ର ସଂଗଠନଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଥିଲେ । ଛାତ୍ରଛାତ୍ରୀଙ୍କୁ ଦେଶବାସୀଙ୍କ ସମର୍ଥନ ମିଳିଥିଲା ଏବଂ ଶେଷରେ ସେମାନେ ହିଁ, ଦୀର୍ଘ ଦିନର ଶାସନ ତନ୍ତ୍ରକୁ ଉପାଡ଼ି ଫିଙ୍ଗି ଦେଇଛନ୍ତି । ଏବେ ଜେନ-ଜି ବିଜୟ ହାସଲ କରିଥିବା ବେଳେ, ଆଗକୁ ନୂଆ ସରକାର ଦେଶ ପାଇଁ କ’ଣ ସବୁ ବିକାଶ କାର୍ଯ୍ୟ ହେବ ତା ଉପରେ ସମଗ୍ର ବିଶ୍ବର ନଜର ରହିବ । ସୂଚନାଯୋଗ୍ୟ, ନେପାଳ ଏବଂ ବାଂଲାଦେଶରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ବିଶେଷ କରି ନେପାଳରେ ଜେନ୍‌-ଜିଙ୍କ ଦ୍ବାରା ନିର୍ବାଚତ ସରକାର ଗଠନ ହୋଇଥିଲା ।