କାଠମାଣ୍ଡୁ : ପ୍ରକୃତିର ତାଣ୍ଡବରେ ଦୋହଲି ଯାଇଥିଲା ନେପାଳର ଭିତ୍ତିଭୂମି। ବନ୍ୟାପାଣି ଓ ଭୂସ୍ଖଳନରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି ଭାଙ୍ଗିଥିଲା ଅନେକ କୋଠା । ହେଲେ ଏବେ ସ୍ଥିତି ବଦଳିଛି। ବଡ଼ ବିପର୍ଯ୍ୟୟ ପରେ ନେପାଳ ଏବେ ସ୍ୱାବଲମୀ ହେବାରେ ଲାଗିଛି । ସେହି ବନ୍ୟା ପାଣିରୁ ଏବେ ନିଜ ରାଜସ୍ବର ବାଟ କାଢ଼ିଛି ନେପାଳ । ଭାରତକୁ ବିଜୁଳି ବିକ୍ରି କରି କୋଟି କୋଟି ଟଙ୍କା ଆୟ କରୁଛି ଦେଶ । ଜଳବିଦ୍ୟୁତରୁ ନେପାଳ ପ୍ରାୟ ୩୭୦ କୋଟି ଟଙ୍କା ଆୟ କରିଥିବା ଖବର ଏବେ ସାମ୍ନାକୁ ଆସିଛି। କେବଳ ଭାରତ ନୁହେଁ, ବାଂଲାଦେଶକୁ ମଧ୍ୟ ବିଜୁଳି ଯୋଗାଣ ଆରମ୍ଭ କରିଛି ଦେଶ । ଯେଉଁ ଦେଶ ଦିନେ ନିଜର ଶକ୍ତି ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଥିଲା, ସେହି ଦେଶ ଏବେ ବିଦ୍ୟୁତ୍ ରପ୍ତାନି କରି ବଢ଼ାଉଛି ଆୟ।

ନେପାଳର ଅର୍ଥନୀତିକୁ ନୂଆ ଶକ୍ତି ଦେଇଛି ଜଳବିଦ୍ୟୁତ୍ । ପାହାଡ଼ିଆ ଭୌଗୋଳିକ ସ୍ଥିତି ଓ ନଦୀର ପ୍ରବାହ ଯୋଗୁଁ ନେପାଳରେ ଜଳବିଦ୍ୟୁତ୍ ଉତ୍ପାଦନର ବ୍ୟାପକ ସମ୍ଭାବନା ରହିଛି। ବିଶେଷକରି ବର୍ଷା ଋତୁରେ ନଦୀଗୁଡ଼ିକରେ ଜଳପ୍ରବାହ ବଢ଼ିବା ସହ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ । ଦେଶର ଆବଶ୍ୟକତା ପୂରଣ ପରେ ଅତିରିକ୍ତ ବିଦ୍ୟୁତ୍କୁ ଭାରତ ଭଳି ପଡ଼ୋଶୀ ଦେଶକୁ ବିକ୍ରି କରି ନେପାଳ ରାଜସ୍ୱ ଆୟ କରୁଛି। ମିଳିଥିବା ସୂଚନା ଅନୁଯାଇ , ଭାରତକୁ ବିଦ୍ୟୁତ୍ ବିକ୍ରି କରି ନେପାଳ ପ୍ରାୟ ୩୭୦ କୋଟି ଟଙ୍କା ଆୟ କରିଛି। ଏହା ସହ ବାଂଲାଦେଶକୁ ମଧ୍ୟ ବିଦ୍ୟୁତ୍ ଯୋଗାଣ ଆରମ୍ଭ କରିଛି। ନେପାଳ ସରକାରଙ୍କ ଏହି ପଦକ୍ଷେପ ଦକ୍ଷିଣ ଏସିଆରେ ଆଗକୁ ଶକ୍ତି ସହଯୋଗକୁ ଆହୁରି ମଜବୁତ କରିବାରେ ସହାୟକ ହୋଇପାରେ।

ତେବେ ନେପାଳ ପାଇଁ ଏହି ବିଦ୍ୟୁତ୍ ରପ୍ତାନି କେବଳ ଆୟର ଏକ ମାଧ୍ୟମ ନୁହେଁ, ବରଂ ଦେଶର ଶକ୍ତି କ୍ଷେତ୍ରରେ ବଢ଼ୁଥିବା କ୍ଷମତାର ମଧ୍ୟ ଏକ ସଙ୍କେତ। ଭାରତ ଦୀର୍ଘଦିନରୁ ନେପାଳରୁ ବିଦ୍ୟୁତ୍ ଆମଦାନି କରିଆସୁଛି । ଅନ୍ୟପଟେ, ବାଂଲାଦେଶକୁ ବିଦ୍ୟୁତ୍ ଯୋଗାଣ ନେପାଳ ପାଇଁ ନୂଆ ବଜାରର ସୁଯୋଗ ସୃଷ୍ଟି କରୁଛି। କିନ୍ତୁ ଏହି ସଫଳତାକୁ ଦୀର୍ଘସ୍ଥାୟୀ କରିବା ପାଇଁ ନେପାଳକୁ ନିଜର ଜଳବିଦ୍ୟୁତ୍ ପ୍ରକଳ୍ପ, ପ୍ରସାରଣ ବ୍ୟବସ୍ଥା ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ।