କଳାହାଣ୍ଡି ୯।୭: ଆମ୍ବୁଲାନ୍ସ ତ୍ରୁଟିରୁ ଚାଲିଗଲା ନାବାଳିକାଙ୍କ ଜୀବନ l ପଙ୍କଚର ହେଲା ଆମ୍ବୁଲାନ୍ସ ଟାୟାର, ଆଖି ବୁଜିଲା ନାବାଳିକା । ନର୍ଲାରୁ ଭବାନୀପାଟଣାକୁ ସ୍ଥାନାନ୍ତର ବେଳେ ଗୋହିରା ପଦର ଗାଁ ନିକଟରେ ଆମ୍ବୁଲାନ୍ସର ଟାୟାର ପଙ୍କଚର ହୋଇଥିଲା । ଯାହା ଫଳରେ କୋମଳମତି ଝିଅର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ତୁଲାପଡା ଗ୍ରାମର ଡିଙ୍ଗର ନାଏକଙ୍କ ୧୧ ବର୍ଷର ଝିଅ ରିଆ ନାଏକ ଅସୁସ୍ଥ ହେବାରୁ ତାଙ୍କ ବାପା ନର୍ଲା ଚିକିତ୍ସାଳୟକୁ ନେଇଥିଲେ l ସେଠାରେ ଡାକ୍ତର ରିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ରିଆଙ୍କୁ ସ୍ଥାନାନ୍ତର କରିବା ବାଟରେ ଆମ୍ବୁଲାନ୍ସର ପଛ ଚକା ପଙ୍କଚର ହୋଇଯାଇଥିଲା । ଫଳରେ ୩ ଘଣ୍ଟା ଅଟକି ରହିଥିଲା ଆମ୍ବୁଲାନ୍ସ । ଭିତରେ ରହି ନାବାଳିକା ଜଣଙ୍କ ଛଟପଟ ହେଉଥିଲେ ମଧ୍ୟ ଆଉ କିଛି ଉପାୟ ନଥିଲା । ଭବାନୀପାଟଣା ହସ୍ପିଟାଲର ପହଞ୍ଚିବା ପୂର୍ବରୁ ନାବାଳିକାଙ୍କ ଜୀବନ ଚାଲିଯାଇଥିଲା ।

Also Read:- ଅମାନୁଷିକ ! ୪ବର୍ଷର ଶିଶୁ କନ୍ୟାକୁ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

ସେପଟେ ବିଳମ୍ବରେ ମେଡିକାଲର ପହଞ୍ଚିବା ଯୋଗୁଁ ନାବାଳିକାଙ୍କ ଜୀବନ ଚାଲିଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି l ପରିବାର ଲୋକଙ୍କ ପକ୍ଷରୁ ନର୍ଲା ଥାନାରେ ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିବା ଜଣାପଡିଛି l