ଦୁବାଇ: ଏକ ଭୀଷଣ ସଡ଼କ ଦୁର୍ଘଟଣା ଖବର ଆସୁଛି। ଦୁବାଇରେ ସୋମବାର ହୋଇଥିବା ଏହି ରାସ୍ତା ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ବେଳେଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଏକ ଟ୍ରକ୍ ମଝି ରାସ୍ତାରେ ଛିଡା ହୋଇ ରହିଥିବା ବେଳେ ଏହାକୁ ମିନିବସ୍ ଧକ୍କା ଦେଇଛି। ଦୁବାଇ ପୋଲିସର ଜେନେରାଲ ଡିପାର୍ଟମେଣ୍ଟ ଅଫ ଟ୍ରାଫିକ୍ ନିର୍ଦ୍ଦେଶକ ବ୍ରିଗେଡିୟର ଜୁମା ସଲେମ ବିନ ସୁବୈଦାନ କହିଛନ୍ତି ଯେ ଇଞ୍ଜିନ ଖରାପ କାରଣରୁ ଟ୍ରକ୍ ଟି ଏମିରେଟସ ରୋଡର ମଝି ସଡକରେ ଛିଡା ହୋଇ ରହିଥିଲା।

ତେବେ ମିନିବସ୍ ଚାଳକ କଥିତ ରୂପେ ସୁରକ୍ଷିତ ଦୂରତା ରକ୍ଷା କରିବାରେ ବିଫଳ ହେବା ସହ ଟ୍ରକ୍ ରେ ବସ୍ କୁ ପିଟି ଦେଇଛନ୍ତି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି। ଏଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ସବୁ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି, କାରଣ ମିନିବସ୍ ରେ କିଛି ଭାରତୀୟ ମଧ୍ୟ ଥିଲେ।

ବାଣିଜ୍ୟଦୂତାବାସ କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ସହ ମିଶି ପୀଡ଼ିତ ଓ ସେମାନଙ୍କ ପରିବାରଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଉଦ୍ୟମ କରାଯାଉଛି। ଦୂତାବାସ ଅଧିକାରୀ ହସ୍ପିଟାଲ ପହଞ୍ଚି ଭାରତୀୟଙ୍କୁ ଭେଟିଛନ୍ତି। ଦୁବାଇ ପୋଲିସ ଅନୁସାରେ ଟ୍ରାଫିକ ଏକ୍ସିଡେଣ୍ଟ ଇନିଭେଷ୍ଟିଗେସନ ସେକ୍ସନର ଟିମ୍ କୁ ଦୁର୍ଘଟଣା ସ୍ଥଳକୁ ପଠା ଯାଇଛି। ଏହି ଟିମ୍ ଦୁର୍ଘଟଣାର ସଠିକ କାରଣ ଯାଞ୍ଚ କରିବ। ସେହିପରି ଟ୍ରାଫିକ ପୋଲିସ ଯାତାୟାତକୁ ନିୟନ୍ତ୍ରଣ କରି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଟ୍ରକ୍ ଓ ବସ୍ କୁ ହଟାଇ ରାସ୍ତା ସଫା କରାଯାଇଛି।