ହାମିରପୁର: ଯଦି ମନରେ ଶିଖିବାର ଇଚ୍ଛା ଥାଏ, ତେବେ ବୟସ କେବେ ବି ପ୍ରତିବନ୍ଧକ ସାଜିପାରିବ ନାହିଁ। ଏହି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ୭୫ ବର୍ଷୀୟ ମିଲ୍‌ଖି ରାମ। ତାଙ୍କ ନାମରେ ପୂର୍ବରୁ ୩୨ଟି ଶିକ୍ଷାଗତ ଡିଗ୍ରୀ ରହିଥିବା ବେଳେ ନିକଟରେ ସେ ଆଉ ଏକ ଡିଗ୍ରୀ ପାଇଁ ପରୀକ୍ଷା ଦେଇଛନ୍ତି। ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଗାନ୍ଦର ଅଞ୍ଚଳର ବାସିନ୍ଦା ମିଲଖି ରାମ, ଗତ ଜୁନ୍ ୩୦ ତାରିଖରେ ହାମିରପୁର ସ୍ଥିତ ଇଗ୍ନୁ (IGNOU) ଷ୍ଟଡି ସେଣ୍ଟରରେ ସଂସ୍କୃତ ବିଷୟରେ ଏକ ପରୀକ୍ଷା ଦେଇଛନ୍ତି। ପରିଣତ ବୟସରେ, ସାଧାରଣତଃ ଲୋକେ ଆରାମ କରିବାକୁ ପସନ୍ଦ କରନ୍ତି, ସେଭଳି ସମୟରେ ପରୀକ୍ଷା ହଲ୍‌ରେ ତାଙ୍କର ଉପସ୍ଥିତି ଅନ୍ୟ ଯୁବ ଛାତ୍ରଛାତ୍ରୀମାନଙ୍କୁ ବେଶ୍ ଅନୁପ୍ରାଣିତ କରିଛି। ସେ ଏହି କେନ୍ଦ୍ରର ସବୁଠାରୁ ବୟୋଜ୍ୟେଷ୍ଠ ପରୀକ୍ଷାର୍ଥୀ ଥିଲେ। ସଂସ୍କୃତରେ ଏମଏ କରୁଛନ୍ତି ମିଲଖି ରାମ । 

୧୯୫୨ ଫେବୃଆରୀ ୧୦ରେ ଜନ୍ମଗ୍ରହଣ କରିଥିବା ମିଲଖି ରାମ ୧୯୭୨ ମସିହାରେ ଜଙ୍ଗଲ ବିଭାଗରେ ଚାକିରି ପାଇଥିଲେ । ଏହାପରେ ୧୯୭୬ ମସିହାରେ ସେ ଧର୍ମଶାଳାର ଏକ ଘରୋଇ କଲେଜରୁ ସ୍ନାତକ ହାସଲ କରିଥିଲେ। ସଂସାର ଓ ଚାକିରିର ସମସ୍ତ ଦାୟିତ୍ୱ ତୁଲାଇବା ସହ ସେ ପାଠପଢ଼ା କେବେ ବନ୍ଦ କରିନଥିଲେ। ୨୦୧୦ ମସିହାରେ ସେ ଜଙ୍ଗଲ ବିଭାଗର ଗ୍ରେଡ୍-୧ ଅଧିକାରୀ ଭାବେ ଅବସର ନେବା ବେଳକୁ ତାଙ୍କ ପାଖରେ ୨୬ଟି ଡିଗ୍ରୀ ଥିଲା, ଯାହା ଏବେ ବୃଦ୍ଧି ପାଇ ୩୨ରେ ପହଞ୍ଚିଛି।

ତାଙ୍କର ବହୁମୁଖୀ ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ବି.ଇଡି (BEd), ପ୍ରଭାକର, ଏଲ୍‌.ଏଲ୍‌.ବି (LLB), ସାମ୍ବାଦିକତା (JMC), ବି.ଏ (ସଂସ୍କୃତ), ଏମ୍.ଏ (ହିନ୍ଦୀ, ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ଇତିହାସ, ଇଂରାଜୀ ଓ ଅର୍ଥଶାସ୍ତ୍ର), ଏମ୍‌.ବି.ଏ (MBA), ଏମ୍‌.ଫିଲ୍ (MPhil) ଏବଂ ହିନ୍ଦୀରେ ପିଏଚ୍‌.ଡି (PhD) ସାମିଲ । ଯୁବପିଢ଼ି ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଉଚିତ, କାରଣ ଜ୍ଞାନ ହେଉଛି ଏଭଳି ଏକ ସମ୍ପତ୍ତି ଯାହାକୁ କେହି କେବେ ଛଡ଼ାଇ ନେଇପାରିବେ ନାହିଁ। ବ୍ୟକ୍ତି ଓ ସମାଜର ବିକାଶ ପାଇଁ ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ବୋଲି କହିଛନ୍ତି ମିଲଖି ରାମ ।

ମିଲଖି ରାମ ନିଜର ଏହି ସଫଳତା ପାଇଁ ପତ୍ନୀ ବିଦ୍ୟା ଦେବୀଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କ ପତ୍ନୀ ମଧ୍ୟ ଜଙ୍ଗଲ ବିଭାଗର ଜଣେ ଅବସରପ୍ରାପ୍ତ ଗ୍ରେଡ୍-୧ ଅଧିକାରୀ ଏବଂ ତାଙ୍କ ପୁଅ ରାକେଶ କୁମାର ରେଳ ମନ୍ତ୍ରଣାଳୟ ଅଧୀନରେ ଜଣେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ ଅଧିକାରୀ । ନିକଟରେ ସେ ନିଜ ଆଖିର ଚିକିତ୍ସା କରାଇଛନ୍ତି । ଆଗକୁ କୌଣସି ଅସୁବିଧା ବିନା ସେ ନିଜର ପାଠପଢ଼ା ଜାରି ରଖିପାରିବେ। ହାମିରପୁର ଷ୍ଟଡି ସେଣ୍ଟରର ପ୍ରଭାରୀ ପ୍ରଫେସର ସଞ୍ଜୟ କୁମାର କହିଛନ୍ତି ଯେ, ସାମାନ୍ୟ ସମସ୍ୟାରେ ପାଠପଢ଼ା ଛାଡ଼ି ଦେଉଥିବା ଆଜିର ଯୁବପିଢ଼ିଙ୍କ ପାଇଁ ମିଲଖି ରାମ ଏକ ଜ୍ୱଳନ୍ତ ଉଦାହରଣ ଏବଂ ସମାଜ ପାଇଁ ଏକ ବଡ଼ ପ୍ରେରଣା ।