Tech Layoffs: ଗତ ମାସକ ଭିତରେ ଟେକ୍ କମ୍ପାନୀଗୁଡ଼ିକରେ ଅନେକ ପରିବର୍ତ୍ତନ ହୋଇଛି। କମ୍ପାନୀଗୁଡ଼ିକ ଏଆଇ ଟେକ୍ନୋଲୋଜୀରେ ବିଲିଅନ ବିଲିଅନ ଅର୍ଥ ନିବେଶ କରୁଥିବା ବେଳେ ଶ୍ରମବଳ ହ୍ରାସ କରୁଛନ୍ତି। ଓରାକଲ, ମେଟା ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀ ମାସକରେ ୪୬,୭୫୦ କର୍ମଚାରୀ ଛଟେଇ କରିଛନ୍ତି। କମ୍ପାନୀଗୁଡ଼ିକର ଲାଭ ବି ସେହି ଅନୁସାରେ ହେଉଛି। ହେଲେ ଟେକ୍ନୋଲୋଜୀର ଅବାଧ ପ୍ରବେଶ ଲୋକଙ୍କର ଚାକିରି ଖାଉଛି।

ପୁଣି ୮ ହଜାର ଛଟେଇ କରିବ ମେଟା

ଏଆଇ ବ୍ୟବହାର ଯୋଗୁ ପୂର୍ବରୁ ମେଟା ହଜାର ହଜାର କର୍ମଚାରୀ ଛଟେଇ କରିସାରିଥିବା ବେଳେ ଏବେ ପୁଣି ଏକ ନୂଆ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏଥର କମ୍ପାନୀ ୮ ହଜାର କର୍ମଚାରୀ ଛଟେଇ କରିବ, ଯାହା ଏହାର ୱାର୍କଫୋର୍ସର ୧୦ ପ୍ରତିଶତ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଓପନ ରୋଲ୍ସ ପାଇଁ କମ୍ପାନୀ ପୂର୍ବରୁ ନିଯୁକ୍ତି ଦେବାକୁ ଯେଉଁ ଘୋଷଣା କରିଥିଲା, ତାହା ବି ଆଉ କରିବ ନାହିଁ।

କାରଣ ମେଟା ଏଥର ଏଆଇରେ ୧୩୫ ବିଲିଅନ ନିବେଶ କରିବାକୁ ଯୋଜନା କରୁଛି। ଯାହା କମ୍ପାନୀ ଗତ ୩ ବର୍ଷର ଏଆଇ ନିବେଶ ସହ ପ୍ରାୟ ସମାନ ହେବ। ଏତେ ପରିମାଣରେ ନିବେଶ କରିବା ସହିତ କମ୍ପାନୀ ନିଜ ଶ୍ରମବଳ ହ୍ରାସ କରିବାକୁ ଚେଷ୍ଟା କରୁଛି। ଏନେଇ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ୨୦୨୬ ଏମିତି ଏକ ବର୍ଷ ହେବ, ଯେଉଁଥିରେ ଏଆଇ ଆମ କାମକୁ ଅଭୂତପୂର୍ବ ଭାବରେ ପରିବର୍ତ୍ତନ କରିଦେବ। ସୂଚନା ଥାଉକି ମେଟା ୨୦୨୨ରୁ ଛଟେଇ ଧାରା ଜାରି ରଖିଛି। ଆଗକୁ ଆହୁରି ଛଟେଇ ହେବ ବୋଲି ଏକ୍ସପର୍ଟ କହିଛି।

ଓରାକଲ ୩୦ ହଜାର ଛଟେଇ କଲା

ଟେକ୍ନୋଲୋଜୀ କମ୍ପାନୀ ଓରାକେଲ ନିକଟରେ ୩୦ ହଜାର କର୍ମଚାରୀ ଛଟେଇ କରିଛି। ଭାରତ ସମେତ ବିଭିନ୍ନ ଦେଶରୁ ଏହି ଛଟେଇ କରାଯାଇଛି। ସବୁଠାରୁ ବଡ଼ କଥା ହେଲା କମ୍ପାନୀ ଚଳିତ ବର୍ଷ ଲାଭ ହାସଲ କରିଥିଲେ ବି ଶ୍ରମବଳ ହ୍ରାସ କରିଛି। ତେବେ ବିନା କୌଣସି ଆର୍ଥିକ ସହାୟତାରେ ଛଟେଇ କରାଯାଇଛି ବୋଲି ଏକାଧିକ କର୍ମଚାରୀ ଦାବି କରିଥିଲେ। ସକାଳୁ ସକାଳୁ କର୍ମଚାରୀଙ୍କୁ ମେଲ୍ ଦେଇ ଛଟେଇ କରାଯାଇଥିବା ଅଭିଯୋଗ ହୋଇଥିଲା।

ଚାକିରି ଛାଡ଼ିବାକୁ କର୍ମଚାରୀଙ୍କୁ ଅର୍ଥ ଅଫର କରୁଛି ମାଇକ୍ରୋସଫ୍ଟ

ଓରାକେଲ କର୍ମଚାରୀମାନଙ୍କୁ ବିନା କୌଣସି ସୁରକ୍ଷା ଦେଇ ଚାକିରିରୁ ବିଦା କରିଥିବା ବେଳେ ମାଇକ୍ରୋସଫ୍ଟ ଟିକେ ଭିନ୍ନ ରାସ୍ତା ଗ୍ରହଣ କରିଛି। ସିଧାସଳଖ ଛଟେଇ ବଦଳରେ, କମ୍ପାନୀ ଏହାର ଆମେରିକୀୟ କର୍ମଚାରୀଙ୍କ ପ୍ରାୟ ୭ ପ୍ରତିଶତ, ଯାହା ପ୍ରାୟ ୮,୭୫୦ କର୍ମଚାରୀ,ଙ୍କୁ ସ୍ୱେଚ୍ଛାକୃତ ଭାବରେ ଅବସର ନେବାକୁ କହୁଛି। କମ୍ପାନୀର ୫୧ ବର୍ଷର ଇତିହାସରେ ଏହା ପ୍ରଥମ ଥର ହୋଇଛି ଯେ ମାଇକ୍ରୋସଫ୍ଟ କର୍ମଚାରୀଙ୍କ ପାଇଁ ଏପରି ଅବସର ପ୍ରଚଳନ କରିଛି। କିଛି ଅର୍ଥରାଶି ସହ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ କମ୍ପାନୀ କହିଛି।

Also Read- ଯାହାକୁ ଟ୍ରେନିଂ ଦେବୁ ସେ ଆମ ଚାକିରି ନେବ, କର୍ମଚାରୀଙ୍କ ପ୍ରତି ମେଟାର ଗୁଇନ୍ଦା ମନିଟରିଂ ନେଇ ଇଣ୍ଟରନେଟ୍ କରୁଛି ପ୍ରଶ୍ନ