ନୂଆଦିଲ୍ଲୀ, ୨୪/୦୪ : ମେଟାରେ ଚାକିରି କରିବା ଏବେ ସୁରକ୍ଷିତ ନୁହେଁ । କେତେବେଳେ ବି ଚାଲିଯାଇପାରେ ଚାକିରି । ବିନା କୌଣସି ନୋଟିସରେ ବିଦା କରିପାରେ କମ୍ପାନୀ । ବିଶ୍ୱର ଅନ୍ୟତମ ବଡ ଟେକ୍ କମ୍ପାନୀ ମେଟାରେ ଏବେ ଛଟେଇ ଆରମ୍ଭ ହୋଇଛି । ଏଆଇର ଏଣ୍ଟ୍ରି ପରେ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି ।

ରିପୋର୍ଟ ଅନୁସାରେ, ମେଟା ନିଜର ଦଶ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିବାକୁ ଯୋଜନା କରୁଛି । ପ୍ରାୟ ୮ ହଜାର କର୍ମଚାରୀ କମ୍ପାନୀରୁ ଛଟେଇ ହୋଇପାରନ୍ତି । ଏଆଇରେ ନିବେଶ କରିବା କରାଣରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଛଟେଇ ବାବଦରେ କହି ସାରିଛନ୍ତି । କର୍ମଚାରୀଙ୍କୁ ବିଦା କରାଯାଇ ସେହି ଅର୍ଥ ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ବ୍ୟବହାର ହେବ । ଫଳରେ ମେଟା ଆମାଜନ, ଗୁଗୁଲ, ମାଇକ୍ରୋସଫ୍ଟ ଏବଂ ଓପନ୍ ଏଆଇ ଭଳି ଅନ୍ୟ କମ୍ପାନୀ ସହ ପ୍ରତିଯୋଗିତା କରିପାରିବ ।

Also Read :-LPG Cylinder Stock Rules: ଘରେ ଅଧିକ ଗ୍ୟାସ ସିଲିଣ୍ଡର ରଖିଲେ କଟିବ କନେକ୍ସନ, ଜରିମାନା ସହ ହୋଇପାରେ ଜେଲ ଦଣ୍ଡ

ସିଏନବିସି ରିପୋର୍ଟରେ ଆହୁରି ମଧ୍ୟ ଜଣାପଡିଛି ଯେ, ମାଇକ୍ରୋସଫ୍ଟ ମଧ୍ୟ ଆମେରିକା କାର୍ଯ୍ୟାଳୟରେ ଅନେକ କର୍ମଚାରୀଙ୍କୁ ବିଦା କରିବାକୁ ଚାହୁଁଛି । ୧୯୭୫ରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ପୂର୍ବରୁ ମଧ୍ୟ ଛଟେଇ କରିଛି । ତେବେ ଅନେକ ବରିଷ୍ଠ କର୍ମଚାରୀ ଚାକିରି ହରାଇବାର ଭୟ ରହିଛି । କିଛି କର୍ମଚାରୀଙ୍କ ବୟସ ୭୦ କିମ୍ବା ଏହାଠୁ ବେଶି ହେବ । ଏଆଇରେ କୋଟି କୋଟି ଟଙ୍କା ନିବେଶ କରୁଥିବା ମାଇକ୍ରୋସଫ୍ଟ ଛଟେଇ ବାବଦରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।

ଜାନୁଆରୀରେ ମେଟାର ଭଲ ଆୟ

ଗତ ଜାନୁଆରୀ ମାସରେ ଏଆଇରେ ନିବେଶ କରିବା କାରଣରୁ ମେଟା ଭଲ ଆୟ କରିଛି । ପୂର୍ବ ଆୟ ଅପେକ୍ଷା କମ୍ପାନୀ ପ୍ରାୟ ୪୦ ପ୍ରତିଶତ ଅଧିକ ଆୟ କରିଥିବା କୁହାଯାଉଛି । ଅନ୍ୟ ଦିଗରେ ଜାନୁଆରୀ ସୁଦ୍ଧା ମେଟା ଏଆଇରେ ୨୨.୧୪ ବିଲିୟନ ଡଲାର ନିବେଶ କରିଛି । ଫଳରେ ଗତ ବର୍ଷରୁ ଏବେସୁଦ୍ଧା କମ୍ପାନୀ ଏଆଇର ବିଭିନ୍ନ ପ୍ରକଳ୍ପରେ ପ୍ରାୟ ୧୩୫ ବିଲିୟନ ଡଲାର ଖର୍ଚ୍ଚ କରିସାରିଲାଣି ।

ଏହାକୁ ନେଇ ସିଇଓ ଜୁକରବର୍ଗ କହିଛନ୍ତି ଯେ, ୨୦୨୬ରେ କମ୍ପାନୀ ନୂଆ ନୂଆ ପ୍ରକଳ୍ପ ହାତକୁ ନେବ । ଏଆଇରେ ଆହୁରି ଅନେକ ନିବେଶ କରାଯିବ । ଫଳରେ ଅନେକ କର୍ମଚାରୀଙ୍କୁ ବିଦା କରିବା ପାଇଁ ଯୋଜନା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।